ଆଜିଠୁ ଇରାନ୍‌ରୁ ଫେରିବେ ଭାରତୀୟ

  • ହସ୍‌ପିଟାଲରେ ମାଳମାଳ ଶବ

  • ଶବ ହଟାଉଛି ବୁଲଡେ଼ାଜର

ନୂଆଦିଲ୍ଲୀ : ଇରାନରେ ଏବେ ଗୃହଯୁଦ୍ଧ ଲାଗି ରହିଥିବାବେଳେ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି । ବିକ୍ଷୋଭକାରୀଙ୍କ  ଉପରେ ଦମନନୀତି ଚଳାଇଛନ୍ତି ଇରାନ୍‌ ସରକାର । ଏଭଳି ସମୟରେ ଇରାନ୍‌ରେ ଅନେକ ଭାରତୀୟ ଫସି ରହିଥିବାବେଳେ ଆସନ୍ତାକାଲି ଠାରୁ ସେମାନଙ୍କୁ ଭାରତ ଫେରାଇ ଅଣାଯିବ । ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ପ୍ରଥମ ଦଫାରେ ଛାତ୍ରଛାତ୍ରୀମାନଙ୍କୁ ଇରାନରୁ ଭାରତକୁ ଅଣାଯିବ । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିସାରିଛନ୍ତି । ଇରାନ୍‌ ସହ ବି ଭାରତ ସରକାର କଥାବାର୍ତ୍ତା ହୋଇସାରିଛନ୍ତି । ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଇରାନର ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଆଲୋଚନା କରାଯାଉଛି । କେଉଁମାନେ ଦେଶକୁ ଫେରିବାକୁ ଚାହୁଁଛନ୍ତି, ସେମାନେ କିଭଳି ଫେରିବେ ସେନେଇ ଆଲୋଚନା କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଇରାନରେ ଏବେ ଫୋନ୍‌ ଓ ଇଣ୍ଟରନେଟ ସେବା ଅନେକ ଅଞ୍ଚଳରେ ଅଚଳ ହୋଇଯାଇଥିବାରୁ ଯୋଗାଯୋଗ ସ୍ଥାପନ କରିବା ବି ମୁସ୍କିଲ୍‌ ହୋଇପଡ଼ିଛି । 


   ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଏବଂ ହିଂସା ଅତି ଭୟଙ୍କର ହେବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କାର୍ଯାନୁଷ୍ଠାନ ଫଳରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ସୁରକ୍ଷା କର୍ମୀମାନେ ରାସ୍ତା ଉପରେ ଲୋକଙ୍କ ଉପରେ ଗୁଳିବର୍ଷା କରୁଛନ୍ତି । ମୃତକଙ୍କ ସଂଖ୍ୟା ଏତେ ବଢ଼ିଯାଇଛିଯେ, ଇରାନ ରାଜଧାନୀ ତେହେରାନରେ ଥିବା ହସ୍ପିଟାଲଗୁଡିକରେ ମରଶରୀର ପାଇଁ ଆଉ ଜାଗା ନାହିଁ । ରାସ୍ତାରୁ ବୁଲଡୋଜର ଲଗାଇ ମରଶରୀରଗୁଡିକୁ ସଫା କରାଯାଉଛି।