ରାଜନୀତିରେ ହଲଚଲ! ମୁଖ୍ୟମନ୍ତ୍ରୀ ହେବା ପରେ ଶିନ୍ଦେଙ୍କ ଗୁମର ଫିଟାଇଦେଲେ ଫଡନଭିସ

ମୁମ୍ବାଇ : ମହାରାଷ୍ଟ୍ରରେ ଦୀର୍ଘ ଦିନର ସସପେନ୍ସ ପରେ ଦେବେନ୍ଦ୍ର ଫଡନଭିସ ଶେଷରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶେଷ ଯାଏ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରାଜି ଥିବା ଏକନାଥ ଶିନ୍ଦେ, ଅଜିତ ପାୱାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସରକାର ଗଠନରେ ଏତେ ବିଳମ୍ବ ହେତୁ ମହାୟୁତିରେ ସବୁକିଛି ଠିକ ଚାଲିନଥିଲା ବୋଲି କୁହାଯାଉଥିଲା। ଏବଂ ଏକନାଥ ଶିନ୍ଦେ, ଭାଜପା ଉପରେ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଥିଲା। ଯଦିଓ ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି, ତଥାପି କ୍ୟାବିନେଟ ସମ୍ବନ୍ଧୀୟ ପ୍ରସଙ୍ଗ ଏବେ ବି ଅଟକି ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଡନଭିସ, ଶିନ୍ଦେଙ୍କ ଗୁମର ଖୋଲିଛନ୍ତି।

ଫଡନଭିସ କହିଛନ୍ତି ଯେ, ନୂଆ ସରକାରଙ୍କ ଶପଥ ଗ୍ରହଣରେ ଅଧିକ ବିଳମ୍ବ ହେଇନାହିଁ। ମୋତେ ଲାଗୁନି ଶିନ୍ଦେ କୌଣସି ପ୍ରସଙ୍ଗରେ ରାଗିଛନ୍ତି। ଏକ ଗୋଷ୍ଠୀ ଥିଲେ ଯେଉଁମାନେ ଶିନ୍ଦେଜୀଙ୍କୁ ସମନ୍ବୟ କମିଟିର ସଭାପତି କରିବାକୁ ଚାହୁଁଥିଲେ, କିନ୍ତୁ ଏଥିରେ କୌଣସି ଅସନ୍ତୋଷ ନଥିଲା। ଦିଲ୍ଲୀରେ ଆମର ବୈଠକରେ ସେ ଏହା ସ୍ବୀକାର କରିଛନ୍ତି। ଶେଷରେ ସେ ଏହା ସ୍ବୀକାର କରିଛନ୍ତି ଯେ, ଭାଜପାର ଯଦି ଅଧିକ ବିଧାୟକ ଅଛନ୍ତି ତେବେ ସିଏମ କେବଳ ଭାଜପାରୁ ହେବା ଉଚିତ ବୋଲି ସେ କହିଛନ୍ତି।

ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାଁନ୍ତି କି ନାହିଁ ପ୍ରଶ୍ନର ଉତ୍ତରରେ ସିଏମ ଫଡନଭିସ କହିଛନ୍ତି ଯେ, ଯଦି ଦଳର ମୁଖିଆ ସରକାର ବାହାରେ ହେବେ, ତେବେ ଦଳ ଠିକ ଭାବରେ ଚାଲିପାରିବ ନାହିଁ। ଶିନ୍ଦେଙ୍କୁ ଏ ସମ୍ପର୍କରେ ମୁଁ ବୁଝାଇଦେଇଛି।