ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଧାନ କିଣା
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ଖୁବଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବା ପରେ ସହଯୋଗ ପାଇ ମିଲର୍ସ ମାନେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଧାନ କିଣା ପାଇଁ ରାଜ୍ୟ ଯୋଗାଣ ନିଗମ ସହ କଷ୍ଟମ ମିଲସର ବୁଝାମଣା ପତ୍ର ସ୍ୱାକ୍ଷର ପରେ ଆଜିଠାରୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବୈଠକରେ ଓଡିଶା ରାଇସ ମିଲର୍ସ ଆସୋସିଏସନ ସଭାପତି ମହେଶ କୁମାର ବଂଶଲ, ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ, ସମସ୍ତ ୩୦ଟି ଜିଲ୍ଲାର ମିଲର୍ସ ସଂଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।