‘ଆଣବିକ କେନ୍ଦ୍ର’ ଧ୍ୱଂସ ଆମେରିକାଠୁ କ୍ଷତିପୂରଣ ଦାବି କଲା ଇରାନ୍
ନୂଆଦିଲ୍ଲୀ: ଆମେରିକା ଆକ୍ରମଣରେ ଇରାନର ଆଣବିକ କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଯାଇଛି । ପ୍ରଥମେ ଇରାନ୍ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ଏବେ କିନ୍ତୁ ସ୍ୱୀକାର କରିଛି । ଏମିତିକି ଆମେରିକା ଠାରୁ କ୍ଷତିପୂରଣ ଦାବି କରିଛି । ଇରାନ୍ ପକ୍ଷରୁ କୁହାଯାଇଛିଯେ, ଆମେରିକାର ଆକ୍ରମଣରେ ଇରାନର ଆଣବିକ କେନ୍ଦ୍ର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଇରାନର ଫରଦାଓ, ନଟନଜ ଓ ଇସଫାହନ ଆଣବିକ କେନ୍ଦ୍ର ଉପରେ ଆମେରିକା ପ୍ରଚଣ୍ଡ ପ୍ରହାର କରିଥିଲା । ଏମିତିକି ଇରାନ୍ ଆଉ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ସମର୍ଥ ହୋଇପାରିବନି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କହିଥିଲେ । ଏନେଇ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବଘେଇ କହିଛନ୍ତିଯେ, ଆମେରିକାର ଆକ୍ରମଣରେ ଆଣବିକ କେନ୍ଦ୍ରରେ ବ୍ୟାପକ କ୍ଷତିଘଟିଛି । ଏନେଇ ଆମେରିକା ଠାରୁ ତାଙ୍କ ଦେଶ କ୍ଷତିପୂରଣ ଦାବି କରିବ । ଜାତିସଂଘରେ ମଧ୍ୟ ଏନେଇ ଅଭିଯୋଗ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ୧୨ ଦିନ ଲଢ଼େଇ ଚାଲିବା ପରେ ଏବେ ଯୁଦ୍ଧବିରତି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ।