ତ୍ୱରିତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ: ମୋଦି
ାା ଏଜେନ୍ସି ।ା ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହେଉଥିବା ମହିଳା ବିରୋଧୀ ଅପରାଧ ଉପରେ ଗୁରୁତ୍ୱାରୋପ କରି ଶୀଘ୍ର ନ୍ୟାୟର ଆବଶ୍ୟକତାକୁ ଦୋହରାଇଛନ୍ତି । ଏସବୁ ଅପରାଧକୁ ରୋକିବା ପାଇଁ ଶୀଘ୍ର ନ୍ୟାୟ ପ୍ରଦାନର ଆବଶ୍ୟକତା ରହିଛି । ଏହା ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ମୋଦି କହିଛନ୍ତି ।
ମୋଦି ଆହୁରି କହିଛନ୍ତି ଯେ, ନ୍ୟାୟରେ ଘଟୁଥିବା ବିଳମ୍ବକୁ ଶେଷ କରିବା ପାଇଁ ବିଗତ ଏକ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ ହୋଇଛି । ୧୦ ବର୍ଷ ମଧ୍ୟରେ ଦେଶରେ ନ୍ୟାୟିକ ଢାଞ୍ଚାର ବିକାଶ ପାଇଁ ୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବିଗତ ୨୫ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥ ସହ ସମାନ । ବର୍ତ୍ତମାନ ସମୟରେ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର, ଶିଶୁ ସୁରକ୍ଷାକୁ ନେଇ ସମାଜରେ ଏକ ଗମ୍ଭୀର ଚିନ୍ତା ପ୍ରକଟ ପାଇଛି । ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ଅନେକ କଠୋର ଆଇନ ପ୍ରଣୟନ ହୋଇଛି । ତଥାପି ଆମକୁ ଏହାକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡ଼ିତ ମାମଲାର ଯେତେ ଶୀଘ୍ର ନ୍ୟାୟ ଆସିବ, ଦୋଷୀକୁ ଦଣ୍ଡ ମିଳିବ, ସେତେ ମହିଳାଙ୍କ ସୁରକ୍ଷା ଉପରେ ଭରସା ଆସିବ ବୋଲି ମୋଦି କହିଛନ୍ତି ।
ମୋଦି ଆହୁରି କହିଛନ୍ତି, ଭାରତର ଲୋକମାନେ ସୁପ୍ରିମକୋର୍ଟ ଏବଂ ନ୍ୟାୟପାଳିକା ଉପରେ କେବେ ବି ଅବିଶ୍ୱାସ କରନ୍ତି ନାହିଁ । ତେଣୁ ସୁପ୍ରିମକୋର୍ଟର ଏହି ୭୫ ବର୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତର ଗର୍ବକୁ ବଢାଇଥାଏ । ସୁପ୍ରିମକୋର୍ଟର ୭୫ ବର୍ଷ... ଏହା କେବଳ ଗୋଟିଏ ଅନୁଷ୍ଠାନର ଯାତ୍ରା ନୁହେଁ । ଏହା ହେଉଛି ଭାରତର ସମ୍ବିଧାନ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା । ଗଣତନ୍ତ୍ର ଭାବରେ ଅଧିକ ପରିପକ୍ୱ ହେବା ପାଇଁ ଭାରତର ଯାତ୍ରା ବୋଲି ମୋଦି କହିଛନ୍ତି । ଦିଲ୍ଲୀରେ ଆୟୋଜିକ ହୋଇଥିବା ଏହି ଉଦଘାଟନୀ ଉସôବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ବହୁ ବରିଷ୍ଠ ବିଚାରପତି ଏବଂ ଓକିଲ ଯୋଗ ଦେଇଥିଲେ ।