ବିଳାସପୁର ଟ୍ରେନ ଦୁର୍ଘଟଣା : ୧୧ ଛୁଇଁଲା ମୃତ୍ୟୁ
ବିଳାସପୁର : ଛତିଶଗଡ ବିଳାସପୁର ରେଳ ଷ୍ଟେସନ ନିକଟରେ ଗତକାଲି ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ଆଜି ୧୧ରେ ପହଞ୍ଚଛି । ଏଥିରେ ଆହତ ହୋଇଥିବା ୨୦ଜଣ ଆପୋଲୋ ହସ୍ପିଟାଲ ଓ ବିଳାସପୁରରେ ଥିବା ଛତିଶଗଡ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସାଧୀନ ଅଛନ୍ତି । ଆଜି ସକାଳୁ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ଦେଇଛନ୍ତି ରେଳ ଅଧିକାରୀ । ମୃତକଙ୍କ ମଧ୍ୟରେ ଅଛନ୍ତି ପାସେଞ୍ଜର ଟ୍ରେନ ଲୋକୋ ପାଇଲଟ ବିଦ୍ୟ ସାଗର(୫୩), ଲବକୁଶ ଶୁକ୍ଳା(୪୧), ରଣଜିତ ପ୍ରଭାକର (୪୦), ଶିଲା ଯାଦବ(୨୫) ଓ ପ୍ରିୟ ଚନ୍ଦ୍ର(୨୧) । ୪ଜଣ ମହିଳା ଓ ୨ଜଣ ପୁରୁଷଙ୍କ ପରିଚୟ ମିଳି ପାରିନାହିଁ । ୨୦ଜଣ ଆହତଙ୍କ ମଧ୍ୟରେ ୯ଜଣ ମହିଳା ଓ ଜଣେ ଅଢେଇ ବର୍ଷର ଶିଶୁ ରହିଛି ।
ଆହତମାନଙ୍କ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ର ସହାୟକ ଲୋକୋ ପାଇଲଟ୍ ରଶ୍ମି ରାଜ (୩୪), ଟ୍ରେନ୍ ପରିଚାଳକ (ଗାର୍ଡ) ଅଶୋକ କୁମାର ଦୀକ୍ଷିତ (୫୪) ଓ ମାଲବାହୀ ଟ୍ରେନର ଗାର୍ଡ ଶୈଳେଶ ଚଦ୍ରା (୪୯) ରହିଛନ୍ତି । ଆହତମାନଙ୍କୁ ଆଗୁଆ ରିଲିଫ୍ ସ୍ୱରୂପ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ସମସ୍ତ ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଚିକିତ୍ସା, ପରିବହନ ଓ ଆବଶ୍ୟକୀୟ ସହାୟତା ସୁନିଶ୍ଚିତ କରିବା ପାଇଁ ରେଳ ପ୍ରଶାସନ ହସ୍ପିଟାଲଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗ ଜାରି ରଖିଛି । ରେଡ ସିଗନାଲ ଅତିକ୍ରମ କରିବା ପରେ ଯାତ୍ରୀବାହୀ ଟ୍ରେନଟି ଘଣ୍ଟା ପ୍ରତି ୬୦-୭୦ କିମି ବେଗରେ ପଛରୁ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ବୋଲି ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି । ରେଡ ସିଗନାଲ ଅତିକ୍ରମ କରିବା ପରେ ଲୋକୋ ପାଇଲଟ୍ କାହିଁକି ଅଟକିଲେ ନାହିଁ ଓ ଏହି ସମୟ ମଧ୍ୟରେ ଜରୁରୀକାଳୀନ ବ୍ରେକ୍ ଲଗାଇଲେ ନାହିଁ, ତାହା ଏବେ ତଦନ୍ତର ବିଷୟ ବୋଲି ଅଧିକାରୀ କହିଛନ୍ତି ।