ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ
ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଆଜି ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ । ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ବିଜୟ ନାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା ।
କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ରହିଥିବା ବେଳେ ତା ବିରୁଦ୍ଧରେ ୭ରୁ ଅଧିକ ମାମଲା ରହିଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ମଧ୍ୟ ଅଜୟର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲେ । ସୂଚନା ଅନୁସାରେ ବିଜୟ ୨୦୦୯ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲା । ପ୍ରାରମ୍ଭିକ ତାଲିମ ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ ପାର୍ଟି ମେମ୍ବରରୁ ACMକୁ ପଦୋନ୍ନତି ପାଇ ଡିଭିଜନ ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ରେ ଓଡ଼ିଶାକୁ ଆସି BGN ଡିଭିଜନର ଘୁମସର ଏରିଆ କମିଟି ପାଇଁ ନେତୃତ୍ୱ ନେଉଥିଲେ । ଦଳର ବରିଷ୍ଠ କ୍ୟାଡରଙ୍କର ନିଜ କ୍ୟାଡରଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦଭାବ ଏବଂ ଭାଷାଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ପାଇଁ ସେ ପୋଲିସ ନିକଟରେ ଆତ୍ମସମର୍ପଣର ନିଷ୍ପତ୍ତି ନେଇଥିଲେ ।
ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ