ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଅନ୍ତ୍ୟୋଦୟ ଯୋଜନାରେ ଘର

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି । ସବୁ ଯୋଜନାରୁ ବାଦ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ତାଲିକା ପ୍ରସ୍ତୁତି ଚାଲିଛି, ୨ ମାସ ଭିତରେ ପ୍ରକ୍ରିୟା ସରିବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ।ସୂଚନାଯୋଗ୍ୟ, ରାଜ୍ୟରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ସମାଜର ଦୁର୍ବଳ ବର୍ଗର ସବୁ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯିବ । ପ୍ରଚଳିତ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରଗୁଡିକୁ ଏହି ଯୋଜନାରେ ପକ୍କାଘର ଦିଆଯିବ ।
୨୫ବର୍ଗ ମିଟର ପରିଧିର ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଦେବେ । ୩ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ । ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି। ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେଷ୍ଟସ, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଂଟ ଯୋ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘର ଭାବେ ବିବେଚନା କରାଯିବ । ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ବାମୀ,ସ୍ତ୍ରୀ, ର୍ନିଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାରମାନେ ଯୋଜନାରେ ଉପକୃତ ହୋଇପାରିବେ। ଏହି ଯୋଜନାରେ ଶୌଚାଳୟ ଅଞ୍ଚଳକୁ ହିତାଧିକାରୀଙ୍କୁ ବାଦ ଦେଇ ୨୫ବର୍ଗ ମିଟର ବିଶିଷ୍ଟ ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପାଇବେ।