ଆଦର୍ଶଗତ ଲଢେଇ ଲଢୁଛୁ : ମନମୋହନ

ଆଦର୍ଶଗତ ଲଢେଇ ଲଢୁଛୁ : ମନମୋହନ
  • ୨୦୦୯ରେ ବେଇମାନି କରିଥିଲା ବିଜେଡ଼ି
  • ‘ବେଇମାନ ଓ ଚୋରି’ କଥା କହି ମୂଳ ପ୍ରସଙ୍ଗରୁ ଦୂରାଉଛି ବିଜେଡ଼ି 

ନୂଆପଡ଼ା : ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ କେବଳ ପ୍ରତିଶ୍ରୁତି ନୁହେଁ, ଏହା ଆମର ପ୍ରତିବଦ୍ଧତା । ନୂଆପଡାରେ ଆମେ ସକରାତ୍ମକ ଓ ଆଦର୍ଶଗତ ଲଢେଇ ଲଢୁଛୁ । ଯାହା କହିଛୁ, ତାହା ନିଶ୍ଚିତ ପୂରଣ କରିବୁ । ବେଇମାନ୍‌ ଓ ଚୋରି କଥା କହି ବିଜେଡ଼ି ମୂଳ ପ୍ରସଙ୍ଗକୁ ଏଡ଼ାଇ ଦେଉଛି ବୋଲି ମନମୋହନ କହିଛନ୍ତି ।

      ବେଇମାନି କଥା ଉଠାଇ ମନମୋହନ କହିଛନ୍ତିଯେ, ୨୦୦୯ ମସିହାରେ ମେଣ୍ଟ ଭାଙ୍ଗି ବିଜେଡି ବେଇମାନି କରିଥିଲା । ବେଇମାନି କି କୃତଘ୍ନ ଏ କଥା ସମଗ୍ର ରାଜ୍ୟବାସୀ ଜାଣିଛନ୍ତି । ସକରାତ୍ମକ ରାଜନୀତି ନକରି ‘ବେଇମାନ ଓ ଚୋରି’ ଭଳି ଶସ୍ତା କଥା କହି ମୂଳ ପ୍ରସଙ୍ଗକୁ ବିଜେଡି ଏଡାଇ ଦେଉଛି । ଦୀର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା ଉଭୟ କଂଗ୍ରେସ ଓ ବିଜେଡି ଦଳ ନୂଆପଡାବାସୀଙ୍କ ପାଇଁ କଣ କରିଛନ୍ତି, ତାର ଆତ୍ମସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସମ୍ମୁଖରେ ହିସାବ ରଖିବା ଉଚିତ୍‌ । ତାହା ନକରି ବିଭ୍ରାନ୍ତ କରିବାକୁ ଯାଇ ବିଜେପି ଓ ବ୍ୟକ୍ତିବିଶେଷ ଆଧାରରେ ଶସ୍ତା ଅଭିଯୋଗ କରୁଛନ୍ତି ।   କାହାର ଭାବାବେଗ ସହ ଖେଳିବା ବା କଟାକ୍ଷ କରିବା ଅନୁଚିତ୍‌ । ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି । ନୂଆପଡାରେ ଆମେ ସକରାତ୍ମକ ଓ ଆଦର୍ଶଗତ ଲଢେଇ ଲଢୁଛୁ ।

     ନୂଆପଡାବାସୀଙ୍କୁ ଯାହା କହିଛୁ, ତାହା ନିଶ୍ଚିତ ପୂରଣ କରିବୁ ବୋଲି ମନମୋହନ କହିଛନ୍ତି । ଏହି ଅବସରରେ ଓଡିଶା ଜନତା ଦଳର ପ୍ରାର୍ଥୀ ସୁଖଧର ଦଣ୍ଡସେନା ବିଜେପିରେ ସାମିଲ ହେବା ସହିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଖୋଲା ସମର୍ଥନ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ମାଳବିକା ଦେବୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂହ ମାଝୀ, ଡା.ସୋନିଆ ଜୈନ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ରାଜ୍ୟ ପ୍ରବକ୍ତା ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।