ଆଦିବାସୀ ବହୁଳ ଗ୍ରାମକୁ ନାହଁ ରାସ୍ତା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ରହିଛି ବିଭିନ୍ନ ସମସ୍ୟା । ବିଧାରପୁର ପଞ୍ଚାୟତ ଆଦିବାସୀ ବହୁଳ ଡିହ ବାଇଁଷିଆ ଗ୍ରାମକୁ ନାହିଁ ସବୁଦିନିଆ ରାସ୍ତା । ଫଳରେ ଆଦିବାସୀ ଲୋକମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଓ ଗମନା ଗମନ କ୍ଷେତ୍ରରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଗ୍ରାମକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ସହ ବ୍ଲକରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆମ୍ ଆଦମୀ ପାର୍ଟି ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି । ପ୍ରକାଶ ଯେ, ଗଁଦିଆ ବ୍ଲକର ବିଧାରପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଗ୍ରାମ ଡିହବାଇଁଶିଆକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇପାରିନାହିଁ । ଗ୍ରାମଟି ପଞ୍ଚାୟତ ଠାରୁ ମାତ୍ର ୪କି.ମି ଦୂରତାରେ ଥିଲେ ମଧ୍ୟ ଲୋକମାନେ ବିଭିନ୍ନ କାମରେ ପଞ୍ଚାୟତକୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ବର୍ଷାଦିନେ ମାଟି କାଦୁଅ ରାସ୍ତା ଯୋଗୁଁ ଅତି ଆବଶ୍ୟକୀୟ ବସ୍ତୁ ମିଳୁନଥିବା ବେଳେ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଛି । ତା’ଛଡା ମଝିରେ ଗୋଟିଏ ଛୋଟ ନାଳ ଥିବାରୁ ବର୍ଷାଦିନେ ଲୋକମାନେ ପାରି ହୋଇପାରୁ ନାହାଁନ୍ତି । ଏ ନେଇ ଗାଁକୁ ପକ୍କା ରାସ୍ତା ପାଇଁ ଗ୍ରାମବାସୀମାନେ ଅନେକ ଥର ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
- ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସେହିପରି ଗଁଦିଆ ବ୍ଲକ୍ ମନ୍ଦାର ପଞ୍ଚାୟତ ଅନ୍ତର୍ଗତ ନବଲିଙ୍ଗା, ଦଲାର, ଓରସୀଙ୍ଗା ଓ ରାମ ଲଖନ ଗାଁ ଗୁଡିକୁ ଆମ ବସ୍ ଯାଉ ନ ଥିବାରୁ ଗରିବ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ହଇରାଣ ହେଉଛନ୍ତି । ଏହି ଗ୍ରାମ ଗୁଡ଼ିକୁ ଆମ ବସ୍ ସେବା ଯୋଗାଇ ଦେବାକୁ ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ଦିଆଯାଇଛି । ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ମ୍ୟୁନିସିପାଲିଟି ସଭାପତି ଦେବାଶିଷ ନନ୍ଦ, ଗଁଦିଆ ବ୍ଲକ ସଭାପତି ରୋହିତ ବେହେରା, ସଦସ୍ୟ ପ୍ରସନ୍ନ ବରାଳ, ରବି ନାରାୟଣ ମଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।