ପଣସ-ଆମ୍ବ ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆର୍ôଥକ ସ୍ୱାବଲମ୍ବୀ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ଉଦ୍ୟମ ଏବଂ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀଙ୍କ ମିଳିତ ସହଯୋଗରେ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୨ଟି ଆମ୍ବ ଓ ପଣସ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯାଇଥିଲା । ଫିରିଙ୍ଗିଆ ବ୍ଲକର ପାଙ୍ଗା ଉପରସାହି ପଞ୍ଚାୟତର କାଲାଡ଼ି ଗାଁ ନିକଟରେ ଏକ ପଣସ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରାଯାଇଥିବାବେଳେ ସାଡିଙ୍ଗିଆ ପଞ୍ଚାୟତର କଟାପଙ୍ଗା ଗାଁ ନିକଟରେ ଏକ ଆମ୍ବ ପ୍ରକ୍ରିୟା କରଣ ୟୁନିଟ୍‌ ସ୍ଥାପନ ହୋଇଥିଲା । ହେଲେ ୨ଟି କେନ୍ଦ୍ର କାର୍ଯ୍ୟକ୍ଷମ ନ ହୋଇ ବନ୍ଦ ହୋଇ ପଡିଛି ।  ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଏବଂ ଆନ୍ତରିକତାର ଅଭାବ ଯୋଗୁଁ ତାହା ଦୀର୍ଘ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଆର୍ôଥକ ସ୍ୱାବଲମ୍ବୀ ହେବା ଦୂରର କଥା କୋଟି କୋଟି ଟଙ୍କାରେ ନିର୍ମାଣଧୀନ ୨ଟି ଆମ୍ବ ଓ ପଣସ ପ୍ରକ୍ରିୟାକରଣ ୟୁନିଟ ଯନ୍ତ୍ରାଂଶ ସହ କାର୍ଯ୍ୟକ୍ଷମ ଆଗରୁ ଖତ ଖାଇବାକୁ ବସିଛି ।  କନ୍ଧମାଳ ଜିଲ୍ଲାରେ ଅଧିକ ମାତ୍ରାରେ ଆମ୍ବ ପଣସ ଗଛ ଭରି ହୋଇ ରହିଥିବାରୁ ସରକାରଙ୍କ ପକ୍ଷରୁ ଏହି ଆମ୍ବ ପଣସର ପ୍ରକ୍ରିୟାକରଣ କରି ଚିପ୍‌ସ ଓ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ଜିନିଷ ତିଆରି କରି ବାହାରକୁ ପଠାଇ ରୋଜଗାର କ୍ଷମ ହେବା ସହ ଆମ୍ବ ପଣସ ଯେଭଳି ନଷ୍ଟ ନହୁଏ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା । ହେଲେ ବିଡମ୍ବନାର ବିଷୟ ମହିଳାମାନଙ୍କୁ ବିଭିନ୍ନ ଜାଗାରେ ଆମ୍ବ ପଣସରୁ ବିଭିନ୍ନ ଜିନିଷ ତିଆରି ଓ ବିକ୍ରି ପାଇଁ ତାଲିମ ପ୍ରଦାନ କରାଯିବା ପରେ ବି ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ କୋଟି କୋଟି ଟଙ୍କାର ଗୃହ ନିର୍ମାଣ ସହ ବିଦ୍ୟୁତ ସଂଯୋଗ, ଲକ୍ଷାଧିକ ଟଙ୍କାର ପ୍ରକ୍ରିୟା କରଣମେସିନ ଓ ବୋରିଂ ଖୋଳି ସବୁ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଲାନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ତେବେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କହିବା କଥା ପ୍ରଶାସନିକ ଅଧିକାରୀ ତାଙ୍କୁ କୁଆଡେ ଡେମୋ ଦେଖାଇ ପ୍ରକ୍ରିୟାକରଣ ନାଁରେ ଗଲା ପରେ ଆଉ କାହାର ଦେଖା ମିଳୁନାହାଁନ୍ତି । ବର୍ତ୍ତମାନ ଆମ୍ବ ପଣସ ପାଖାପାଖି ସରିବାକୁ ବସିଲାଣି । ଆଉ ଯାହା ଅଛି ଗଛ ତଳେ ପଡି ଖତ ଖାଉଛି  । ତେଣୁ ୨ଟି ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲେ ରୋଜଗାର ହେବା ସହ ଆମ୍ବ ପଣସ ମଧ୍ୟ କାମରେ ଲାଗିଥାନ୍ତା ବୋଲି ମହିଳାମାନେ କହିଛନ୍ତି । ତେବେ ପ୍ରଶାସନିକ ଅଧିକାରୀ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ସବୁ ଖତ ହେବ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଅଞ୍ଚଳବାସୀ କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନିକ ଅଧିକାରୀ ଏହାକୁ କାର୍ଯ୍ୟକ୍ଷମ କରୁଛନ୍ତି ନା ଆଗାମୀ ଦିନରେ ରୋଜଗାର ନାଁରେ କୋଟି କୋଟି ଟଙ୍କାର ପ୍ରକ୍ରିୟା କରଣ ୟୁନିଟ ଖତ ଖାଉଛି ।