ଘରପୋଡ଼ିର ୭ବର୍ଷ ପରେ ବି ମିଳୁନି ଘର
ଢେଙ୍କାନାଳ: ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ । ଜିଲ୍ଲାରେ ଲାଞ୍ଚ କାରବାର ହେଉଛି କି ନାହିଁ, ହେରାଫରି ହେଉଛି କି ନାହିଁ ଏହା ହେଉଛି ତାର ଜ୍ୱଳନ୍ତ ଉଦାହରଣ । ପ୍ରକାଶ ଥାଉକି ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦୁ୍ୟତ୍ ସର୍ଟସର୍କିଟ ଯୋଗୁଁ ୨୦୧୭ ମସିହାରେ ପୋଡ଼ି ନଷ୍ଟ ହୋଇଯାଇଥିଲା । ସେତେବେଳେ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ଜରି ପାଲ ଏବଂ ଦୁଇ ହଜାର ଟଙ୍କା ଦେଇଥିଲେ । ଘର ଖଣ୍ଡିଏ ସାହାଯ୍ୟ ପାଇବା ପାଇଁ ସଦର ବ୍ଲକ ନାଗିଆପଶି ପଞ୍ଚାୟତ ଅନ୍ତର୍ଗତ ଛଣବୋଲୁଅ ଗ୍ରାମର ସାରଳା ସାହୁ ଓ ସ୍ୱାମୀ ନିରାକାର ସାହୁ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଆଜି ପର୍ଯ୍ୟନ୍ତ ଘର ପାଇନାହାନ୍ତି । ନିରାକାର ଜଣେ ଦିନ ମଜୁରିଆ । ରାଜସ୍ୱ ନିରୀକ୍ଷକ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିÿକୁ ଯାତାୟାତରେ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି ନିରାକାର । ତଥାପି ଆବାସ ଯୋଜନାରେ ଘର ଖଣ୍ଡିଏ ସାହାଯ୍ୟ ପାଇବା ପାଇଁ ଆଶା ରଖିଛନ୍ତି । ଆଜି ପୁଣି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଆବାସ ପାଇଁ ଦରଖାସ୍ତ ଦେଇଛନ୍ତି । ସରକାରଙ୍କର ଏତେ ଯୋଜନା ଥାଇ ମଧ୍ୟ ଏତେ ସଂସ୍ଥା ଥାଇ ମଧ୍ୟ ନିରାକାରଙ୍କୁ ଘର ଖଣ୍ଡେ ମିଳିବ ବୋଲି କେହି ଆଶ୍ୱାସନା ଦେଇନାହାନ୍ତି । ସାତବର୍ଷ ହେଲା ଘର ମିଳିବା ଲିଷ୍ଟ ପଞ୍ଚାୟତରୁ ଆସୁଛି । ସ୍ଥାନୀୟ ସରପଞ୍ଚ ସର୍ଭେ କରୁଛନ୍ତି ବୋଲି ବିଡିଓ କହୁଛନ୍ତି । ଆଜି ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଆଶ୍ୱାସନା ଦେଇ କହିଲେ ଏଥର ଘର ମିଳିଯିବ । ଏବେ ଦେଖିବାକୁ ବାକି ରହିଲା ନିରାକାରଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ କେବେ ମିଳିବ ।