ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ
ସୌର ଚନ୍ଦ୍ର ମହାପାତ୍ର : ଆଜି ହେଉଛି ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ । ଦିନକୁ ଦିନ ମହିଳାଙ୍କ ଉପରେ ଅଭାବନୀୟ ଓ ଉଦ୍ବେଗଜନକ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ସମ୍ମାନ ଓ ସାମାଜିକ ସ୍ରୋତରେ ସମସ୍ତଙ୍କ ସହ ସାମିଲ କରିବାରେ ଆମ ମାନଙ୍କ ଭିତରେ ରହିଥିବା ପ୍ରେରଣାମୂଳକ ସହଯୋଗର ଆତ୍ମଚିନ୍ତନ ଦିନଟି ଆଜି । ସମ୍ପ୍ରତି ବିଶ୍ୱରେ ନାରୀ ନିର୍ଯାତନା ଘଟଣା ବଢ଼ିବାରେ ଲାଗିଛି । ଆମ ଦେଶ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମହିଳାମାନେ ଯୌନ ଉତ୍ପୀଡ଼ନ, ଶୋଷଣ, ଘରୋଇ ହିଂସାର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ୨୫ ନଭେମ୍ବର ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସରେ ନାରୀ ସୁରକ୍ଷା ପାଇଁ ବଡ଼ ଧରଣର ସାମାଜିକ ଆନ୍ଦୋଳନର ଆବଶ୍ୟକତା ଦେଖା ଦେଇଛି । ପ୍ରତିବର୍ଷ ବିଶ୍ୱବ୍ୟାପୀ ଏହି ଦିବସରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ରୋକିବା ଲାଗି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି ଦିବସ ପାଳନକୁ ମିିଳିତ ଜାତିସଂଘର ଅନୁମୋଦନ ମିଳିଛି । ମିଳିତ ଜାତିସଂଘ ପକ୍ଷରୁ ଏହି ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଏହା ନିଃସନ୍ଦେହ ଯେ ପରିବର୍ତ୍ତନଶୀଳ ସମୟ ସହ ନାରୀର ଅଧିକାର ପରିବର୍ତ୍ତିତ ହୋଇଚାଲିଛି । ସ୍ୱାଧୀନତା ଓ ଆତ୍ମବିଶ୍ୱାସ ବଳରେ ବିଭିନ୍ନ କ୍ଷେତ୍ରରେ ନାରୀ ନିଜର ଆଧିପତ୍ୟ ବିସ୍ତାର କରିସାରିଲାଣି । ଏହା ସତ୍ତେ୍ୱ ବି ଗାଁ ଠାରୁ ଆରମ୍ଭ କରି ସହରଯାଏ, ଅଶିକ୍ଷିତ ଓ ଶିକ୍ଷିତ ସମସ୍ତ ମହିଳାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଅର୍ଥ ନୁହେଁ କି ସେ ତା ଅଧିକାର ଜାଣିନାହିଁ ବୋଲି ଏପରି ଘଟୁଛି । ମାତ୍ର ଏ ପରିସ୍ଥିତିରେ ସେ ତା ଅଧିକାର ପ୍ରତି ସଜାଗ ରହିବା ନିହାତି ଦରକାର ।
ପୂର୍ବରୁ କର୍ମଜୀବୀ ମହିଳାଟିଏ ସ୍ୱାମୀ ଠାରୁ ଅଲଗା ହେବା ପରେ ତା ଭରଣପୋଷଣ ଦାୟିତ୍ୱ ସେ ନିଜେ ବହନ କରିବାକୁ ପଡ଼ୁଥିଲା । ୨୦୧୧ରେ ଦିଲ୍ଲୀ ହାଇକୋର୍ଟ କର୍ମଜୀବୀ ମହିଳାଙ୍କ ସପକ୍ଷରେ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ । ଯାହାଫଳରେ କର୍ମଜୀବୀ ମହିଳାଟିଏ ଛାଡ଼ପତ୍ର ପରେ ବି ପତିଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ । ୨୦୧୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଅନୁସାରେ ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିବା ମହିଳାମାନଙ୍କୁ ସେ ସମସ୍ତ ଅଧିକାର ଦିଆଯିବ, ଯାହା ୨୦୦୫ର ଅଧିନିୟମ ଅନୁସାରେ ଘରୋଇ ହିଂସା ପାଇଁ ମହିଳାମାନଙ୍କୁ ଦିଆଯାଇଥାଏ । ଭାରତୀୟ ବୈବାହିକ ପଦ୍ଧତି ଅନୁସାରେ ମହିଳାଟିଏ ବିବାହ ପରେ ନିଜ ସର୍ନେମକୁ ପରିବର୍ତ୍ତନ କରି ସ୍ୱାମୀଙ୍କ ସରନେମ୍କୁ ଆଦରିବାକୁ ପଡ଼ିଥାଏ । ପୁଣି ଛାଡ଼ପତ୍ର ପରେ ଏହା ପରିବର୍ତ୍ତନ କରାଯାଇଥାଏ । ଫଳରେ ପାସ୍ପୋର୍ଟ, ଆକାଉଣ୍ଟ, ଭୋଟର କାର୍ଡ଼ ଓ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇନରେ ସଂଶୋଧନ ଅଣାଯାଇଥିଲା । ସଂଶୋଧିତ ଆଇନ ହେଲା ଛାଡ଼ପତ୍ର ପରେ ବି ମହିଳାମାନେ ସ୍ୱାମୀଙ୍କ ସର୍ନେମ୍ ରଖିପାରିବେ । ୧୯୫୬ ହିନ୍ଦୁ ଆଡ଼୍ପସନ୍ ଏବଂ ମେଣ୍ଟେନାନ୍ସ ଆକ୍ଟ ଅନୁସାରେ ମହିଳାଟିଏ ବିବାହ ବିଛେଦ ପରେ ପତିଙ୍କ ସହମତିରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ସମ୍ଭବ ହୋଇଛି । ହିନ୍ଦୁ ବିବାହ ଆଇନ୍ ୧୯୫୫ ଅନୁସାରେ ପୂର୍ବରୁ ବିବାହ ବିଛେଦ ମାମଲା ପାଇଁ ୩୦ ଦିନ ସମୟ ଦିଆଯାଉଥିଲା । ଫଳରେ ମହିଳାମାନଙ୍କ ପାଇଁ ଏତେ କମ୍ ସମୟରେ ଅର୍ଥ ଓ ଓକିଲ ଯୋଗାଡ଼ କରିବା ବେଳେ ବେଳେ କଷ୍ଟ ହୋଇପଡ଼ୁଥିଲା । ୨୦୦୩ରେ ଏଥିରେ ସଂଶୋଧନ କରାଯାଇ ଏହି ସମୟସୀମାକୁ ୩୦ ଦିନ ପରିବର୍ତ୍ତେ ୯୦ ଦିନକୁ ବଢ଼ାଇ ଦିଆଯାଇଛି ।
୧୯୫୧ ହିନ୍ଦୁ ବିବାହ ଆଇନ୍ ଅନୁସାରେ କୌଣସି ମହିଳା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଲେ ସେହି ସ୍ଥାନକୁ ଯିବାକୁ ପଡ଼ୁଥିଲା, ଯେଉଁଠାରେ ସେମାନେ ବିବାହ ହୋଇଥିଲା । ୨୦୦୩ରେ ଏଥିରେ ସଂଶୋଧନ କରାଯାଇ ନିଷ୍ପତ୍ତି ନିଆଗଲା ଯେ ଜଣେ ମହିଳା ରହୁଥିବା ଜାଗାରେ ହିଁ ସ୍ୱାମୀଙ୍କ ବିରୋଧରେ ମକଦମା ଲଢ଼ିପାରିବେ । ମୁସଲ୍ମାନ ନିୟମ ଅନୁସାରେ ସ୍ୱାମୀଙ୍କ ଠାରୁ ଅଲଗା ହେଉଥିବା ମହିଳାମାନଙ୍କୁ ମାତ୍ର ୩ ମାସ ଯାଏ ଭରଣପୋଷଣ ଦିଆଯାଇଥାଏ । ମାତ୍ର ସଂଶୋଧିତ ନିୟମାନୁସାରେ ୩ ମାସ ପରେ ବି ମୁସଲମାନ ମହିଳାମାନଙ୍କୁ ଭରଣପୋଷଣ ଦିଆଯିବ । ତା ସହିତ ସ୍ୱାମୀଙ୍କ ସମସ୍ତ ସମ୍ପତ୍ତି ଉପରେ ସେତିକି ଅଧିକାର ରହିବ, ଯାହା ସେମାନେ ବୈବାହିକ ଜୀବନରେ ପାଇଥିଲେ । ଏହି ଆଇନ ଅନୁସାରେ ଦୁଇଟି ଭିନ୍ନ ଧର୍ମର ଲୋକ ଯଦି ବିବାହ କରି ସ୍ୱାମୀ ସ୍ତ୍ରୀ ଭାବରେ ଜୀବନ ଅତିବାହିତ କରୁଥାନ୍ତି । କୌଣସି କାରଣରୁ ଯଦି ବିଛେଦ ହୁଏ, ତେବେ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ମକଦମା କରିବାର ୬୦ ଦିନ ଭିତରେ ଫଇସଲା କରିବାକୁ ପଡ଼ିବ । ନଚେତ୍ ଜରିମନା ଦେବାକୁ ପଡ଼ିବ । ଭାରତର ନ୍ୟାୟପାଳିକା ଦିନକୁ ଦିନ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଅନେକ କ୍ରାନ୍ତିକାରୀ ଆଇନ ପ୍ରଣୟନ କରୁଛନ୍ତି ଓ କେନ୍ଦ୍ର ସରକାର ମଧ୍ୟ ମହିଳା ସଶକ୍ତିକରଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
ମୋ : ୯୪୩୭୦୦୪୪୬୬