ଦୋଳ ଉତ୍ସବ

ଫଗୁଣ ମାସର ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା ଭାବେ ଓଡ଼ିଶାରେ ଲୋକପ୍ରିୟ । ଏହି ପର୍ବରେ ଦୋଳଗୋବିନ୍ଦ ନାମରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ପୁରାଣରେ ଏହା ବସନ୍ତୋତ୍ସବ ନାମରେ ପ୍ରସିଦ୍ଧ । ପ୍ରଭୁ ମଦନଙ୍କ ସମ୍ମାନରେ ଉତ୍ସବ ପାଳନ କରାଯାଉଥିବାରୁ କେତେକ ଶାସ୍ତ୍ରରେ ଏହାକୁ ମଦନୋତ୍ସବ ବୋଲି କୁହାଯାଇଛି । ପରେ ଏହା ଦୋଳୋତ୍ସବ ନାମରେ ଲୋକପ୍ରିୟ ହୋଇଛି । ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ପାଇଁ ଏ ପର୍ବ । ଅନେକ ପୁରାଣରେ ଦୋଳୋତ୍ସବ ବିଷୟରେ ବର୍ଣ୍ଣନା କରାଯାଇଛି । 
ପଦ୍ମ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଦୋଳି ଖେଳ ଦେଖିଥିବା ବ୍ୟକ୍ତିର ସମସ୍ତ ପାପ ନାଶ ହୁଏ । କୁହାଯାଏ ପୁରାଣ ଯୁଗରେ ହିରଣ୍ୟକଶ୍ୟପ ନାମକ ରାକ୍ଷସ ପୃଥିବୀ ଉପରେ ରାଜୁତି କରୁଥିଲା । ସେ ନିଜକୁ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳର ରାଜା ବୋଲି ଦାବି କରୁଥିଲା ଏବଂ ନିଜକୁ ପୂଜା କରିବାକୁ ତ୍ରିଭୁବନବାସୀଙ୍କୁ ବାଧ୍ୟ କରୁଥିଲା । କିନ୍ତୁ ତା'ର ପୁତ୍ର ପ୍ରହଲ୍ଲାଦ ଭଗବାନ ନାରାୟଣଙ୍କର ପରମ ଭକ୍ତ ଥିଲା । ସେଥିପାଇଁ ସେ ହିରଣ୍ୟକୁ ପୂଜା କରିବାକୁ ରାଜି ହେଲାନାହିଁ । ପ୍ରହଲ୍ଲାଦକୁ ହତ୍ୟା କରିବା ପାଇଁ ହିରଣ୍ୟ ଅନେକ ଚେଷ୍ଟା କଲା, କିନ୍ତୁ ସଫଳ ହେଲାନାହିଁ । ଶେଷରେ ଭଉଣୀ ହୋଲିକାକୁ ସେ ଏହି ଦାୟିତ୍ୱ ପ୍ରଦାନ କଲା । ହୋଲିକା ଅଗ୍ନି ଭିତରେ ପ୍ରହଲ୍ଲାଦକୁ କୋଳରେ ଧରି ବସିଲା । ପ୍ରହଲ୍ଲାଦ ବିଷ୍ଣୁ ନାମ ଉଚ୍ଚାରଣ କରି ରକ୍ଷା ପାଇଲା । ହୋଲିକାଙ୍କ ନାମରୁ ହୋଲି ଶବ୍ଦ ଆସିଥିବା କୁହାଯାଏ । ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ସ୍ୱରୂପ ଏହି ପର୍ବ ପାଳିତ ହୁଏ । ଏ ଅବସରରେ ଗ୍ରାମାଞ୍ଚଳରେ ସଂକୀର୍ତ୍ତନ ମଣ୍ଡଳୀମାନେ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ବୁଲାନ୍ତି । ଘରେ ଘରେ ବିମାନ ଅଟକାଇ ଦୋଳ ଠାକୁରଙ୍କୁ ଭୋଗ ଲାଗି କରାଯାଏ । ଚାରି ଦିନ ଧରି ଏହି ପର୍ବ ପାଳିତ ହୁଏ, ଯାହା ଚାଚେରୀ ରୂପେ ପରିଚିତ । ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ଆନନ୍ଦଉଲ୍ଲାସରେ ପାଳନ କରାଯାଏ ଦୋଳ ଉତ୍ସବ ।
ହୋଲି ସାଧାରଣତଃ ଏକ ଜାତୀୟ ଗଣ ପାର୍ବଣ । ପ୍ରାୟତଃ ରଙ୍ଗ ଖେଳର ହୋଲି ଛୁଟି ଜାତୀୟ ସରକାରୀ ଓ ବେସରକାରୀ ଛୁଟି ଭାବେ ପରିଚିତ । ବର୍ତ୍ତମାନ କେବଳ ଗାଁରେ ନୁହେଁ ସହରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିର ବା ମଠ ମାନଙ୍କର ରାଧାକୃଷ୍ଣଙ୍କ ମୂର୍ତ୍ତି ବିମାନରେ ବୁଲୁଛନ୍ତି । କଟକ ସହରର ହଜାର ବର୍ଷର ପରିଚୟ ଭିତରେ ଦୋଳ ବିମାନ ଯାତ୍ରା କମ୍ ସ୍ମୃତିମୟ ନୁହେଁ । ପାଞ୍ଚଦିନର ଦୋଳବିମାନ ଯାତ୍ରା ଶେଷରେ ପଞ୍ଚଦୋଳରେ ହିଁ ଶେଷ ହୋଇଥାଏ । ସେ ସମୟର ଅବିର ବର୍ତ୍ତମାନ ବି ରହିଛି ହେଲେ କେହି କେହି ଆଧୁନିକ ରଙ୍ଗ ଟିକେ ମିଶାଇ ଦେଇଥାନ୍ତି । ହୋଲି ପର୍ବ ଭାଇଚାରାର ପର୍ବ, ଏହା ଆନନ୍ଦ ଉଲ୍ଲାସର ପାର୍ବଣ କହିଲେ ଅତୁ୍ୟକ୍ତି ହେବନାହିଁ । ଆସନ୍ତୁ ପବିତ୍ର ହୋଲି ଅବସରରେ ନିଜ ସତ୍ କର୍ମମୟ ଜୀବନକୁ ସେବାର ପୂଣ୍ୟତାରେ କର୍ମମୟ କରି ଗଢ଼ି ତୋଳିବା ଏହା ହିଁ ପବିତ୍ର ହୋଲି ଉତ୍ସବର ଅନ୍ତନିର୍ହିତ ତାତ୍ପର୍ଯ୍ୟ । 
ଡ. ତପନ କୁମାର ପାଳ