ଆଫଗାନିସ୍ତାନରେ ପାକର ଏୟାରଷ୍ଟ୍ରାଇକ : ୩ ଯୁବ କ୍ରିକେଟର ମୃତ
ନୂଆଦିଲ୍ଲୀ : ଆଫାଗାନିସ୍ତାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ । ଏଥିରେ ଆଫଗାନିସ୍ତାନର ୩ଜଣ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି । ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ ଏହି ବିମାନ ଆକ୍ରମଣ କରାଯାଇଛି । ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି ଘଟଣାକୁ ଦୃଢ ନିନ୍ଦା କରିଛି । ପାକିସ୍ତାନ ସେନାର ଏହା କାପୁରୁଷ ଆକ୍ରମଣ ବୋଲି କହିଛି । ଏହାସହ ପାକିସ୍ତାନ ଓ ଶ୍ରୀଲଙ୍କାକୁ ନେଇ ହେବାକୁ ଥିବା ଆଗାମୀ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଫଗାନିସ୍ତାନ ଖେଳିବ ନାହିଁ ବୋଲି ଘୋଷଣା କରିଛି । ଆଫଗାନିସ୍ତାନ ନଭେମ୍ବର ୫ ରୁ ୨୯ ପର୍ଯ୍ୟନ୍ତ ଲାହୋର ଓ ରାୱଲପିଣ୍ଡିରେ ଶ୍ରୀଲଙ୍କାକୁ ନେଇ ତ୍ରିରାଷ୍ଟ୍ରୀୟ ସିରିଜରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଦ୍ଭ ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ ବର୍ବରୋଚିତ ବିମାନ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି । କହିଛନ୍ତି ଯେ ତ୍ରିରାଷ୍ଟ୍ରୀୟ ସିରିଜରୁ ଓହରିଯିବା ପାଇଁ ଆଫଗାନିସ୍ତାନର ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି । ଏହି ହୃଦୟବିଦାରକ ଘଟଣାରେ ଉର୍ଗୁନ୍ ଜିଲ୍ଲାର ୫ ଜଣ ଦେଶବାସୀଙ୍କ ସହିତ ତିନି ଜଣ ଖେଳାଳି (କବୀର, ସିବଘାଟୁଲ୍ଲା ଓ ହାରୁନ୍) ସହିଦ ହୋଇଛନ୍ତି । ଅନ୍ୟ ୭ ଜଣ ଆହତ ହୋଇଥିବା ଆଜି ଏସିବି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯେତେବେଳେ ଆଫଗାନ ସେନା ପାକିସ୍ତାନର ଅନେକ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ମୃତ୍ୟୁବରଣ କରିଛନ୍ତି । ଏହାପରେ ୪୮ ଘଣ୍ଟାର ଅସ୍ତ୍ରବିରତି ଘୋଷଣା ହୋଇଥିଲା । ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ବିମାନ ଆକ୍ରମଣ କରିବା ପରେ ଏହା ଭଙ୍ଗ କରାଯାଇଛି । ତାଲିବାନ ଏହି ଆକ୍ରମଣକୁ ଯୁଦ୍ଧବିରାମର ଉଲ୍ଲଂଘନ ବୋଲି ନିନ୍ଦା କରିଛି । କାରଣ ଉଭୟ ଦେଶର ପ୍ରତିନିଧି ଦଳ ଆଲୋଚନା ପାଇଁ ଦୋହାରେ ଥିଲେ । ଖେଳାଳିମାନେ ପୂର୍ବରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ଅଂଶଗ୍ରହଣ କରିବା ପାଇଁ ପାକଟିକା ପ୍ରଦେଶର ରାଜଧାନୀ ଶାରଣା ଯାତ୍ରା କରିଥିଲେ । ଉର୍ଗୁନକୁ ଫେରିବା ପରେ ଏକ ସମାବେଶ ସମୟରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା ।