ହଜାରେ କୋଟିର ପଞ୍ଜି ସ୍କାମ୍‌ ; ଠକକୁ ବାନ୍ଧିଲା ଇଓଡବ୍ଳ୍ୟୁ

ହଜାରେ କୋଟିର ପଞ୍ଜି ସ୍କାମ୍‌ ; ଠକକୁ ବାନ୍ଧିଲା ଇଓଡବ୍ଳ୍ୟୁ

ଭୁବନେଶ୍ୱର : ଅଧିକ ସୁଧର ଲୋଭ ଦେଖାଇ ୧୦ ରାଜ୍ୟରୁ ହଜାରେ କୋଟି ଠକେଇ କରିଥିବା ଜଣେ ଠକକୁ ଆଜି ଇଓଡବ୍ଳ୍ୟୁ ଗିରଫ କରିଛି । ଅଭିଯୋଗକାରୀ ବିଜୟ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଛାନଭିନ କରିଥିଲା । ତଦନ୍ତ ପରେ ଟିମ ଆଜି ଜଣେ ଠକ ପ୍ରତାପ କୁମାର ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି  ।

ଅଭିଯୋଗ ଅନୁଯାୟୀ, ବିଜୟ କୁମାର ପାଣିଗ୍ରାହୀ ହେଜେକ୍ସ ଫଣ୍ଡରେ ୯୨,୬୦,୪୮୦/- ଟଙ୍କା ନିବେଶ କରିଛନ୍ତି । ହେଜେକ୍ସ ଫଣ୍ଡ ଏଲଏଲପିରେ ଦୀନେଶ ଜୈନ ଓ କୁଳଦୀପ ସିଂ ପନୱାର ପାର୍ଟନର ଅଛନ୍ତି । ପ୍ରତାପ ରାଉତଙ୍କଠାରୁ ସେ ଏହି ଫଣ୍ଡ ବିଷୟରେ ଜାଣିଥିଲେ । ଯିଏ ତାଙ୍କୁ ୧୧% -୧୮%ରୁ ମାସିକ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ । ହେଜେକ୍ସ ଫଣ୍ଡରେ ତାଙ୍କର ଅବସର ରାଶି ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ସେ ପ୍ରତାପ କୁମାର ରାଉତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ନମ୍ବର ବ୍ୟବହାର କରି ପ୍ରଥମ ଜମା କରିଥିଲେ । କିନ୍ତୁ କିଛି ଦିନ ପରେ, କମ୍ପାନୀ କାମ କରିବା ବନ୍ଦ କରିଦେଲା ଏବଂ ତାଙ୍କ ଜମା ରାଶି ବନ୍ଦ କରିଦିଆଗଲା । ଯେତେବେଳେ ସେ ଗିରଫ ଅଭିଯୁକ୍ତ ହେଜେକ୍ସ ପାଣ୍ଠିର ଓଡ଼ିଶା ମୁଖ୍ୟ ପ୍ରତାପ କୁମାର ରାଉତଙ୍କ ସହିତ ଯୋଗାଯୋଗ କଲେ, ସେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଥିଲେ । ହେଜେକ୍ସର ଓଡ଼ିଶା ମୁଖ୍ୟ ପ୍ରତାପ ରାଉତ ପାଣ୍ଠି ସଂଗ୍ରହ ପାଇଁ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବଦଳାଇ ଟଙ୍କା ସଂଗ୍ରହ କରୁଥିଲେ । ଏନେଇ ହୋଇଥିବା ତଦନ୍ତରୁ ଜଣାପଡିଛିଯେ, କମ୍ପାନୀ ୨୦୨୩ ମସିହାରେ ଗୋଆରେ ପଞ୍ଜିକୃତ ହୋଇଥିଲା । ତେବେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଏବଂ ଓଡ଼ିଶାକୁ ଏହାର ଚେର ବ୍ୟାପିଥିବାବେଳେ ଏଥିରେ ୩ ଲକ୍ଷରୁ ଅଧିକ ଜମାକାରୀ ସାମିଲ ଅଛନ୍ତି । ଏଥିରେ ପ୍ରାୟ ୧୦୦୦ କୋଟିରୁ ଅଧିକ ଠକେଇ ହୋଇଥିବା ନେଇ ଅନୁମାନ କରାଯାଉଛି । ଓଡ଼ିଶାରେ, ୧୨୦୦୦ ରୁ ଅଧିକ ଜମାକାରୀ ଥିବାବେଳେ ୧୩୯ କୋଟି ଟଙ୍କା ଠକେଇ ହୋଇଛି । ହେଜେକ୍ସ ଜମାକାରୀଙ୍କୁ ଠକିବା ପାଇଁ ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୩-୨୦୨୪ ମଧ୍ୟରେ କୌଶଳା ଫାଉଣ୍ଡେସନ, ଲାଭ୍ୟା ୱାର୍ଲ୍ଡ, ଫ୍ରିକ୍ସ ମାର୍କେଟ ଲାଭ୍ୟା ଇଣ୍ଟରନ୍ୟାସନାଲ ଇତ୍ୟାଦି ଅନେକ ସହଯୋଗୀ ସଂସ୍ଥା ସୃଷ୍ଟି କରିଥିଲା ।