ଆମେରିକା କୋର୍ଟଙ୍କୁ କହିଲେ ଟ୍ରମ୍ପ ପ୍ରଶାସନ: ୟୁକ୍ରେନ ଶାନ୍ତି ପାଇଁ ଭାରତ ଉପରେ ଶୁଳ୍କ ମାଡ଼
ନୂଆଦିଲ୍ଲୀ: ଯୁଦ୍ଧ ପୀଡିତ ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି ବୋଲି ଆମେରିକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଟ୍ରମ୍ପ ପ୍ରଶାସନ । ଟ୍ରମ୍ପଙ୍କ ପ୍ରଶାସନ କୋର୍ଟ କାଗଜପତ୍ରରେ ଚେତାବନୀ ଦେଇଛନ୍ତି ଯେ ଭାରତ ସମେତ ଦେଶଗୁଡ଼ିକ ଉପରେ ଶୁଳ୍କ ହ୍ରାସ କରିବା ଦ୍ୱାରା ଆମେରିକାକୁ ପ୍ରତିଶୋଧମୂଳକ ବ୍ୟବସାୟ କରିବାକୁ ବାଧ୍ୟ କରିବ ଓ ବିଦେଶରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ପ୍ରୟାସକୁ ଦୁର୍ବଳ କରିଦେବ ।
ଆମେରିକା ସୁପ୍ରିମକୋର୍ଟରେ ଏକ ଆବେଦନରେ ସଲିସିଟର ଜେନେରାଲ ଜନ୍ ସାଉର ବିଚାରପତିମାନଙ୍କୁ ଶୁଳ୍କ ସଂରକ୍ଷଣ କରିବାକୁ ଅନୁରୋଧ କରିଛନ୍ତି, ଯାହାକୁ ନିମ୍ନ ଅଦାଲତ ବେଆଇନ ବୋଲି ଦର୍ଶାଇଛି । ଏହା ମଧ୍ୟ କୁହାଯାଇଛି ଯେ ଏହି ମାମଲାରେ ଶୁଳ୍କ ଅଧିକ ହୋଇପାରେ ନାହିଁ । କାରଣ ଶୁଳ୍କକୁ ୟୁକ୍ରେନରେ ଶାନ୍ତି ପାଇଁ ଆମର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ଆମେରିକାର ବିପର୍ଯ୍ୟୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି । ଭାରତ ରୁଷରୁ ତେଲ କିଣିବା ପରୋକ୍ଷ ଭାବେ ୟୁକ୍ରେନ ଯୁଦ୍ଧକୁ ପ୍ରୋତ୍ସାହନ ଦେଉଛି । ରୁଷର ଯୁଦ୍ଧ ସମ୍ବନ୍ଧରେ ପୂର୍ବରୁ ଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତ ଉପରେ ଏହି ଶୁଳ୍କ ଲାଗୁ କରାଯାଇଛି । ଯଦି ଏହି ଶୁଳ୍କ ହଟାଯିବ ଆମେରିକାକୁ ଏକ ଆର୍ଥିକ ବିପର୍ଯ୍ୟୟର ଦ୍ୱାରଦେଶକୁ ଠେଲି ଦେବ । ଅନେକ ଦେଶ ବିରୁଦ୍ଧରେ ଟ୍ରମ୍ପଙ୍କ ବ୍ୟାପକ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଆମେରିକା ପ୍ରଶାସନ ସମ୍ପ୍ରତି ବାଣିଜ୍ୟ ନିଅଣ୍ଟକୁ ଉଲ୍ଲେଖ କରି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି । ରୁଷରୁ ତେଲ କିଣିବା ବନ୍ଦ ପାଇଁ ଆମେରିକାର ଚାପକୁ ପାଳନ କରିବାକୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି । ମୋଟ ଶୁଳ୍କ ବର୍ତ୍ତମାନ ୫୦ ପ୍ରତିଶତରେ ପହଞ୍ଚିଛି ।
ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ଜରୁରୀକାଳୀନ ଆବେଦନ ଆମେରିକାର ଫେଡେରାଲ ସର୍କିଟର ଆପିଲ୍ସ କୋର୍ଟର ୭-୪ ନିଷ୍ପତ୍ତି ପରେ ଆସିଛି । ଆପିଲ୍ସ କୋର୍ଟ ରାୟ ଦେଇଛି ଯେ ଟ୍ରମ୍ପ ଜରୁରୀକାଳୀନ ଆର୍ଥିକ କ୍ଷମତା ବ୍ୟବହାର କରି ବ୍ୟାପକ ଶୁଳ୍କ ଲାଗୁ କରିଛନ୍ତି । ପ୍ରଶାସନ ପ୍ରତିବାଦ କରିଛି ଯେ ଏହି ପଦକ୍ଷେପଗୁଡ଼ିକ ଶାନ୍ତି ଓ ଅଭୂତପୂର୍ବ ଆର୍ଥିକ ସମୃଦ୍ଧିକୁ ପ୍ରୋସôାହିତ କରୁଛି । ଶୁଳ୍କ ସହିତ ଯୁକ୍ତରାଷ୍ଟ୍ର ଏକ ଧନୀ ରାଷ୍ଟ୍ର; ଶୁଳ୍କ ବିନା ଏକ ଗରିବ ରାଷ୍ଟ୍ର ବୋଲି ଫାଇଲିଂରେ କୁହାଯାଇଛି । ଏହା ଯୁକ୍ତି ଦେଇଥିଲା ଯେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ଦ୍ୱାରା ଦେଶର ପ୍ରତିରକ୍ଷା-ଶିଳ୍ପ ଭିତ୍ତି ଦୁର୍ବଳ ହେବ, ବାର୍ଷିକ ୧.୨ ଟ୍ରିଲିୟନ ଡଲାର ବାଣିଜ୍ୟ ନିଅଣ୍ଟ ବିପଦରେ ପଡ଼ିବ ଓ ଚାଲିଥିବା ବୈଦେଶିକ ଆଲୋଚନା ଉପରେ ଅନିଶ୍ଚିତତାର ଛାୟା ପଡ଼ିବ । ସରକାର କହିଛନ୍ତି ଯେ ଶୁଳ୍କ ଯୋଗୁଁ ଛଅଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଓ ୨୭-ରାଷ୍ଟ୍ରୀୟ ୟୁରୋପୀୟ ସଂଘ ପୂର୍ବରୁ ଫ୍ରେମୱାର୍କ ଚୁକ୍ତି କରିସାରିଛନ୍ତି । ଯାହା ଆମେରିକାର ବିଶ୍ୱ ସ୍ଥିତିକୁ ସୁଦୃଢ଼ କରିବ । ଟ୍ରମ୍ପ ପ୍ରଶାସନ ବିଚାରପତିମାନଙ୍କୁ ଶୀଘ୍ର ରାୟ ଦେବାକୁ ଅନୁରୋଧ କରିଥିଲେ । କାରଣ ରାଷ୍ଟ୍ରପତିଙ୍କ ପାଖରେ ଫେଡେରାଲ୍ ଆଇନ ଅନୁଯାୟୀ ବ୍ୟାପକ ଆମଦାନୀ କର ଲାଗୁ କରିବାର ଅଧିକାର ଅଛି ବୋଲି କୁହାଯାଇଛି ।