ମାମେକମ୍ ଶରଣମ ବ୍ରଜ
ପ୍ରଦୀପ୍ତ କୁମାର କର : ଯେତେବେଳେ ମନୁଷ୍ୟ ଚତୁର୍ଦ୍ଦିଗରୁ ସଙ୍କଟରେ ଘେରିଯାଏ , ତା ଜୀବନ ସବୁଦିଗରୁ ଅନ୍ଧକାର ଭିତରେ ରହିଯାଏ ଓ ସର୍ବଦା ସେହି ସଙ୍କଟ ଭିତରୁ ବାହାରି ଆସିବାକୁ ପ୍ରବଳ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥାଏ ,ତାର ସମସ୍ତ ଶକ୍ତି ,ସାମର୍ଥ୍ୟ ଜବାବ ଦେବାକୁ ଲାଗେ ଓ ସବୁଠି କେବଳ ନିଜକୁ ଅସହାୟ ଓ ଅସମର୍ଥ ସ୍ଥିତିରେ ପାଇଥାଏ ଶେଷରେ ସବୁ ଛାଡ଼ି ସେହି ସୃଷ୍ଟିକର୍ତ୍ତା ଲୀଳାମୟ ମହାପ୍ରଭୁଙ୍କୁ ହିଁ ସ୍ମରଣ କରି ତାଙ୍କର ଶରଣ ରେ ଆଶ୍ରିତ ହେବାକୁ ଦୌଡ ଲଗାଇ ଚିନ୍ତା କରେ ଯେ ଏ ସଂସାର ରେ ଏକମାତ୍ର ଶକ୍ତି ସେହି ଈଶ୍ୱର ହିଁ ତାର ସାହା ଭରସା ,ଉଦ୍ଧାର କର୍ତ୍ତା ,ସେ ହିଁ ତାକୁ ସମସ୍ତ ବିପତ୍ତିରୁ ରକ୍ଷା କରିବେ ଓ ସଙ୍କଟରୁ ମୁକ୍ତି ଦେଇ ପାରିବେ । ଠିକ୍ ସେହିପରି ଯେତେବେଳେ କୌଣସି ଏକ ସାଧକ ଜ୍ଞାନଯୋଗ ,କର୍ମଯୋଗ ,ଭକ୍ତିଯୋଗ ଆଦି ବିଭିନ୍ନ ପ୍ରକାରର ସାଧନା ସାହାଯ୍ୟରେ ଭଗବତ୍ ପ୍ରାପ୍ତି କରିପାରେ ନାହିଁ ସେତେବେଳେ ସେ ଭଗବାନଙ୍କ ଶରଣାଗତ ହୁଏ ଯାହା ସର୍ବ ଶେଷ ଉପାୟ । ଏଣୁ ସେଥିପାଇଁ ଆମକୁ ନିଜକୁ ସର୍ବଦା ସମର୍ପଣ ଭାବକୁ ନିଜ ଜୀବନରେ ଶ୍ରେୟ ଦେଇ ପ୍ରଭୁଙ୍କ ଶରଣାଗତ ହେଲେ ହିଁ ମନ ସର୍ବଦା ପ୍ରଫୁଲ୍ଲିତ ରହିବା ସହିତ ଭଗବତ୍ ପ୍ରେମ ହୃଦୟରେ ଜାଗ୍ରତ କରାଇଥାଏ । ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବାରେ ଅସମର୍ଥ ମନୁଷ୍ୟ ବା ସାଧକ ମନରେ ଯେତେବେଳେ ଭଗବତ୍ ଶରଣାଗତ ହେବାର ପରମ ଆକୁଳତା,ବ୍ୟାକୁଳତା ଚରମରେ ପହଞ୍ଚିଯାଏ ସେତେବେଳେ ସ୍ୱୟଂ ମହାପ୍ରଭୁଙ୍କୁ ନିଜର ଭକ୍ତକୁ ତାଙ୍କ ଚରଣରେ ନେବାକୁ ବାଧ୍ୟ ହୋଇଥାନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦାସିଆ ବାଉରୀ,ସାଲବେଗ ,ମିରାବାଈ , ପ୍ରହଲ୍ଲାଦ, ବଳରାମ ଦାସ ଇତ୍ୟାଦି ଏପରି ଅନେକ ଭକ୍ତ ଯେଉଁମାନଙ୍କର ସଂଖ୍ୟା କହିଲେ ସରିବ ନାହିଁ । ଶରଣାଗତି କେବଳ ଏକ ଶବ୍ଦ ନୁହେଁ ଯେ ତାହା ଉଚ୍ଚÿାରଣ କରିବା ମାତ୍ରକେ ଆମେ ବିଭୁପାଦ ପ୍ରାପ୍ତ ହୋଇ ପାରିବ ଏହା ହେଉଛି ଭଗବାନଙ୍କ ଚରଣରେ ଆମର ଆତ୍ମଦାନ, ବା ଆତ୍ମସମର୍ପଣ ଯେପରି ଦ୍ରୌପଦୀ କରିଥିଲେ । ବାଲ୍ମିକୀ ରାମାୟଣର ଯୁଦ୍ଧକାଣ୍ଡରେ ଅଛି- "ସକୃଦେବ ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ
ଅଭୟମ ସର୍ବ ଭୂତେଭ୍ୟେ ଦଦାମ୍ୟେତଦ ବ୍ରତମ୍ ମମ ।’
ଅର୍ଥାତ୍ ଯିଏ ଥରେ ମୋର ଶରଣକୁ ଆସି "ମୁଁ ଆପଣଙ୍କ ଶରଣାଗତ ,ମୁଁ ଆପଣଙ୍କର ,ଆପଣ ମୋର ରକ୍ଷାକର୍ତ୍ତା " କହି ପ୍ରାର୍ଥନା କରେ ବା ଶରଣାପନ୍ନ ହୁଏ ମୁଁ ତାକୁ ସର୍ବଭୂତ୍ ମାନଙ୍କ ଠାରୁ ଅଭୟ ଦିଏ । ସେହିପରି ଯେତେବେଳେ ଭଗବାନଙ୍କ ସମସ୍ତ ଉପଦେଶ ଶୁଣିବା ପରେ ବି ଅର୍ଜୁନ ନିଜର ଅସମର୍ଥତା ପ୍ରକାଶ କଲେ ଶେଷରେ ପ୍ରଭୁ ଶରଣାଗତିର ଉପଦେଶ ଦେଇ କହିଲେ-
"ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକ୍ ସରଣମ୍ ବ୍ରଜ
ଅହମ ତ୍ୱା ସର୍ବପାପେଭୋୟ ମୋକ୍ଷୟିଶ୍ୟାମି ମା ଶୁତଃ ।’
ଅର୍ଥାତ୍ ତୁମେ ସମ୍ପୂର୍ଣ୍ଣ ଧର୍ମ ,କର୍ମକୁ ମୋ ଠାରେ ତ୍ୟାଗ କରି କେବଳ ମୋର ଶରଣକୁ ହିଁ ଆସି ଯା,ମୁଁ ତୁମକୁ ସମ୍ପୂର୍ଣ୍ଣ ରୂପେ ସମସ୍ତ ପାପ ,କର୍ମ ,ଶୋକ ,ଦୁଃଖ ଓ ସମସ୍ତ ସାଂସାରିକ ମାୟାରୁ ମୁକ୍ତ କରିଦେବି । କିନ୍ତୁ ନିଜକୁ ସମ୍ପୂଣ୍ଣ ରୂପେ ଅତି ସରଳତାର ସହିତ, ନିଃସନେ୍ଦହ ମନରେ ,ଅତି ନିଷ୍ଠାର ସହିତ କ୍ଷୀରରେ ପାଣି ମିଶାଇ ଦେଲେ ଯେପରି କାହାର ନିଜତ୍ୱକୁ ଜାଣିବା ମୁସ୍କିଲ ସେହିପରି ମୋ ସହିତ ମିଶିବା ଉଚିତ୍ ତେବେ ମୋର ଆଶୀର୍ବାଦ ସର୍ବଦା ତୁମ ସହିତ ରହିଛି ।
ପ୍ଲଟ ନଂ ୨୫, ସୂର୍ଯ୍ୟ ନଗର
ଭୁବନେଶ୍ୱର
ମୋ: ୯୪୩୭୦୮୪୩୧୨