ଆଶାରେ ରହିଲା ଘରେ ଘରେ ଟ୍ୟାପ୍ ପାଣି

 ଟମକା : ଦାନଗଦୀ ବ୍ଲକ୍ ଅଧିନସ୍ଥ ୮ନମ୍ବର ଜୋନ୍ରେ ପାନୀୟ ଜଳ ଏକ ବୃହତ ସମସ୍ୟା । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ୨୦୨୦-୨୧ ମସିହାରେ ପ୍ରାକ୍ତନ ସରକାର ଏହି ଅଞ୍ଚଳକୁ ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ଅନ୍ତର୍ଭୂକ୍ତ କରାଇଥିଲେ । ଗାଁଗାଁରେ ପାଇପ୍ ବିଛା କାର୍ଯ୍ୟ ଆରମ୍ଭ ଠାରୁ ଆରମ୍ଭ କରି ଓଭର ହେଡ୍ ଟାଙ୍କି ନିର୍ମାଣ କାର୍ଯ୍ୟ ବି ଜୋର୍ ସୋର୍ରେ ହୋଇଥିଲା । ଗତ ସାଧାରଣ ନିର୍ବାଚନର ଅବହିତ ପୁର୍ବରୁ ଏହି କାର୍ଯ୍ୟର ସମୀକ୍ଷା ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟର ଗତିକୁ ମଧ୍ୟ ବଢା ଯାଇଥିଲା । ଏହି କ୍ରମରେ ଟମକା ଅଞ୍ଚଳରେ ପ୍ରସ୍ତାବିତ ପାଖାପାଖି ସମସ୍ତ ଟାଙ୍କି କାର୍ଯ୍ୟ ମଧ୍ୟ ସମାପ୍ତ ହେବା ସହ ଅନେକ ଗ୍ରାମରେ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ସରିଥିଲା । ଯାହା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବ ଓ ଘରେ ଘରେ ପାଣି ପହଁଚିବ ବୋଲି ସ୍ଥାନୀୟ ଅଧିବାସୀଙ୍କ ମନରେ ଖୁସିର ଆଶା ସଞ୍ଚାର କରିଥିଲା । ହେଲେ ନିର୍ବାଚନରେ ବିଜେଡି ଦଳର ପରାଜୟ ହେବା ପରେ ଲୋକଙ୍କର ଏହି ଜଳ ସମସ୍ୟା ଦୂରୀକରଣ ଆଶା, ଆଶାରେ ରହିଯାଇଛି । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତେଇଥିବା କେଇସିଇର ନ୍ୟାସନାଲ ଲିମିଟେଡ୍ ଠିକାସଂସ୍ଥା ନିର୍ବାଚନ ପରେ କେଉଁଆଡେ ଛୁ ମାରିଛି ତାହାର ବାସ୍ନାଗନ୍ଧ ମଧ୍ୟ ପଂଚାୟତବାସୀ ପାଉନାହାନ୍ତି କି ତାର ଦେଖା ମଧ୍ୟ ମିଳୁନାହିଁ । ମେଗା ପ୍ରକଳ୍ପ କାର୍ଯ୍ୟ ଅଧ ପନ୍ତରିଆ ଭାବେ ପଡି ରହିଥିବା ବେଳେ ଲୋକ ମାନେ କେବଳ ଟାଙ୍କି ଦେଖି ଭଣ୍ଡି ହେଉଥିବା ଦେଖାଯାଇଛି । ଅନ୍ୟପଟେ ଗ୍ରୀଷ୍ମ ପ୍ରାରମ୍ଭରୁ ଉକ୍ତ ଜୋନର ଏକାଧିକ ଗ୍ରାମରେ ଜଳ ସମସ୍ୟା ପରିଲକ୍ଷିତ ହେଲାଣି । ବିଶେଷ କରି ଗ୍ରାମାଂଚଳରେ ଥିବା ଜଳାଶୟ ଗୁଡିକ ଶୁଖିବାରେ ଲାଗିଲାଣି । ଉକ୍ତ ବ୍ଲକ୍ର କିଆଝର, ଦେଉଳକଣ, ଅଶ୍ୱସ୍ତପାଳ, ନଚ୍ଛିପୁରା, ବାଙ୍ଗରକୋଟା, ଗୋବର୍ଦ୍ଧନପୁର, ଉଚ୍ଚବାଲି ଆଦି ପଂଚାୟତରେ ଏଭଳି ଜଳାଶୟ ଶୁଖିବା ସହ କୂପ ଓ ନଳକୂପ ଜଳ ହ୍ରାସ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ବାମ ପାଶ୍ୱର୍ ରେଙ୍ଗାଲି କେନାଲ୍ କାଯ୍ୟ ଚାଲୁଥିବା ବେଳେ ଗଭୀର ଖନନ ପାଇଁ ଜଳସ୍ତର ହ୍ରାସ ପାଇ କୂଅ ପୋଖରୀ ଶୁଖିଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।  ଯାହା ଫଳରେ ଏଠାରେ ଜଳର ଉକ୍ରଟ ସମସ୍ୟା ଦେଖା ହେବ ବୋଲି ଅନୁମାନ କରାଯାଉଛି । ତେବେ ସୁକିନ୍ଦା ସିଂହାସନ ହାସଲ କରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ଏହି ଅଞ୍ଚଳର ଜଳ କଷ୍ଟ ଦୂର କରିବା ପାଇଁ  ଅଧପନ୍ତରିଆ ହୋଇ ପଡିଥିବା ମେଗା ଜଳ ପ୍ରକଳ୍ପକୁ ପୂର୍ଣ କରିବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି ।