ଆସୁଛି ଦୁଇଟି ଲଘୁଚାପ : ରାଜ୍ୟରେ ୪ ପର୍ଯ୍ୟନ୍ତ ବର୍ଷା
 
                                ଭୁବନେଶ୍ୱର : ଆସୁଛି ଆଉ ଦୁଇଟି ଲଘୁଚାପ । ରାଜ୍ୟରେ ଲାଗିରହିବ ବର୍ଷା। ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରିଛି ପାଣିପାଗ ବିଭାଗ । ଅଧିକ ବର୍ଷା ନେଇ ବହୁ ଜିଲାରେ ଅରେଞ୍ଜ, ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି। ରାଜ୍ୟର କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଶନିବାର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରେ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ବଜ୍ରପାତ ଓ ପବନ ନେଇ ଦେବଗଡ଼, ଯାଜପୁର, ଅନୁଗୋଳ, ଜଗତସିଂହପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଆସନ୍ତାକାଲି ଉତ୍ତର - ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
 
 Henamanjaree Swain
                                    Henamanjaree Swain                                 
    
             
    
             
    
 
    
 
 
 
