ଖୁସି ଖବର : ଏଣିକି ଏଟିଏମ୍ରୁ ମିଳିବ ଇପିଏଫ୍ ଟଙ୍କା
ଏଣିକି ଇପିଏଫ ଟଙ୍କା ପାଇବା ପାଇଁ ଆପଣଙ୍କୁ ହାଉ ହଇରାଣ ହେବାକୁ ପଡିବନି । ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ଉଠାଇବା ପାଇଁ ଏତେ କଷ୍ଟ କରିବାକୁ ପଡିବନି । ସିଧାସଳଖ ଏଟିଏମ୍ରୁ ଇପିଏଫ୍ ଟଙ୍କା ଉଠାଇ ପାରିବେ ଆପଣ । ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର ବ୍ୟାକିଂ ସିଷ୍ଟମ୍ ଭଳି ସୁବିଧା ଯୋଗାଇବ । ଏହାସହିତ ଇପିଏଫଓ ୱେବସାଇଟ୍ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇପିଏଫ୍ଓ- ୩.୦ ଲାଗୁହେଲେ ଏହାର ସଦସ୍ୟଙ୍କୁ ମିଳିବ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ । ୱେବସାଇଟ୍ରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ମାସ ଶେଷ ସୁଦ୍ଧା ସମାଧାନ କରିଦିଆଯିବ । ଇପିଏଫ୍ ସଦସ୍ୟଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ।