ଆହୁରି ସପ୍ତାହେ ବର୍ଷିବ
ଭୁବନେଶ୍ୱର : ଏପଟେ ଲଘୁଚାପ, ସେପଟେ ମୌସୁମୀ ସକ୍ରିୟ । ଫଳରେ ଆଉ ସପ୍ତାହେ ରାଜ୍ୟରେ ଭଲ ବର୍ଷା ହେବ । ଅପରପକ୍ଷରେ ମୌସୁମୀ ଋତୁରେ ଓଡ଼ିଶାର ୨୭ ଜିଲ୍ଳାରେ ସ୍ୱାଭାବିକ ବା ଅଧିକ ବର୍ଷା ହୋଇଛି । ତେବେ ପୁରୀ, ବଲାଙ୍ଗୀର ଓ ଗଜପତିରେ ଏବେବି ବର୍ଷା ନିଅଣ୍ଟିଆ ସ୍ଥିତି ଲାଗିରହିଛି । ପ୍ରାୟ ପ୍ରତିଦିନ ବର୍ଷା ହେଉଥିବାବେଳେ ଅନେକ ସ୍ଥାନରେ ବିଭିନ୍ନ ନଦୀର ଜଳସ୍ତର ସ୍ଥିର ରହିଛି । କେବଳ ୫ ନଦୀ କିଛି ସ୍ଥାନରେ ବଢ଼ିଥିବା ଲକ୍ଷ୍ୟ କରାଯାଉଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆସନ୍ତା ୩୧ ଯାଏଁ ଭଲ ବର୍ଷା ହେବ ।
ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯେତେବେଳେକି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ପାଇଁଳ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ସାରା ରାଜ୍ୟରେ ବର୍ଷା ଜାରି ରହିଥିଲେବି ପ୍ରମୁଖ ନଦୀର ଜଳସ୍ତର ଅନେକ ସ୍ଥାନରେ ସ୍ଥିର ରହିଛି । ତେବେ ତାଳଚେରରେ ବ୍ରାହ୍ମଣୀ, ଆଖୁଆପଦା ଠାରେ ବୈତରଣୀ, ଏନଏଚ-୫ ଗୋବିନ୍ଦପୁର ଠାରେ ବୁଢ଼ାବଳଙ୍ଗ, ଜାମସେଦପୁରରେ ସୁବର୍ଣ୍ଣରେଖା ଓ ଗୁଣୁପୁର ଏବଂ କାଶୀପୁର ଠାରେ ବଂଶଧାରା ନଦୀ ବଢୁଥିବା ଲକ୍ଷ୍ୟ କରାଯାଇଛି । ସେପଟେ ହୀରାକୁଦରେ ୪, ରେଙ୍ଗାଲୀରେ ୧, ମାଛକୁଣ୍ଡରେ ୧, ସାଳନ୍ଦୀରେ ୨ ଓ କାନୁପୁରରେ ୨ଟି ଗେଟ୍ ଖୋଲାରହିଛି ।