ଇ-୨୦ ପେଟ୍ରୋଲ ବିବାଦ: ମୋ ମୁଣ୍ଡ ୨୦୦ କୋଟି : ନୀତୀନ

 ନାଗପୁର:  ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ । ତାଙ୍କର ରୋକଠୋକ ମନ୍ତ୍ରବ୍ୟ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଇଥାନଲ୍ ମିଶ୍ରିତ ପେଟ୍ରୋଲ ପାଇଁ ସରକାରଙ୍କ ପ୍ରୟାସ ଓ ସମାଲୋଚକମାନେ ତାଙ୍କ ପାଇଁ ବ୍ୟକ୍ତିଗତ ଲାଭ ଅଭିଯୋଗ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଏହି ଅଭିଯୋଗଗୁଡ଼ିକୁ ଖାରଜ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ମସ୍ତିଷ୍କର ମୂଲ୍ୟ ପ୍ରତି ମାସରେ ୨୦୦ କୋଟି ଟଙ୍କା । ଆଉ ଏହି ଟଙ୍କା ସେ ଠକେଇ ନକରି ସଚ୍ଚୋଟ ଭାବରେ ରୋଜଗାର କରନ୍ତି । ମୁଁ ସଚ୍ଚୋଟ ଭାବରେ କିପରି ରୋଜଗାର କରିବି ତାହା ଜାଣେ ବୋଲି ଗଡ଼କରୀ ନାଗପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । 
ସରକାର ଇଥାନଲ୍କୁ ଏକ ସ୍ୱଚ୍ଛ ଓ ଶସ୍ତା ବିକଳ୍ପ ଇନ୍ଧନ ଭାବରେ ପ୍ରୋସôାହିତ କରୁଥିବା ବେଳେ ଖାଦ୍ୟ ଓ ଜଳ ସୁରକ୍ଷା, ଯାନବାହାନ ସୁରକ୍ଷା ଓ ଗ୍ରାହକ ପସନ୍ଦ ଉପରେ ଏହାର ପ୍ରଭାବ ଉପରେ ଚିନ୍ତା ପ୍ରକାଶ ପାଇଛି । ସମାଲୋଚକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଦୁଇଟି ପ୍ରମୁଖ ଇଥାନଲ୍ କମ୍ପାନୀ ଗଡ଼କରୀଙ୍କ ପୁଅମାନେ ପରିଚାଳିତ କରୁଛନ୍ତି । ବିବାଦର ସିଧାସଳଖ ଉଲ୍ଲେଖ ନକରି ଗଡ଼କରୀ ବ୍ୟାଖ୍ୟା କରିଛନ୍ତି ଯେ ସେ ତାଙ୍କ ପୁଅମାନଙ୍କୁ ସଚ୍ଚୋଟ ବ୍ୟବସାୟିକ ଉଦ୍ୟମରେ ମାର୍ଗଦର୍ଶନ କରନ୍ତି । ମୁଁ ମୋ ପୁଅମାନଙ୍କୁ ଧାରଣା ଦିଏ, କିନ୍ତୁ ମୁଁ ଠକେଇ କରେ ନାହିଁ । ସମ୍ପ୍ରତି ମୋ ପୁଅ ଇରାନରୁ ୮୦୦ କଣ୍ଟେନର ସେଓ ଆମଦାନୀ କରିଛି ଓ ଭାରତରୁ ୧,୦୦୦ କଣ୍ଟେନର କଦଳୀ ଇରାନକୁ ରପ୍ତାନୀ କରିଛି । ଇରାନ ସହିତ କୌଣସି ଆର୍ଥିକ କାରବାର ନାହିଁ । ମୋ ପୁଅ ଆମଦାନୀ ଓ ରପ୍ତାନନୀ କରେ । ମୋର ଏକ ଚିନି କାରଖାନା, ଏକ ଡିଷ୍ଟିଲେରୀ ଓ ଏକ ପାୱାର ପ୍ଲାଣ୍ଟ ମଧ୍ୟ ଅଛି । ମୁଁ ବ୍ୟକ୍ତିଗତ ଲାଭ ପାଇଁ କୃଷି ସହିତ ପରୀକ୍ଷଣ କରୁନାହିଁ ବୋଲି ନୀତୀନ କହିଛନ୍ତି । ଗଡ଼କରୀ ସ୍ଥାନୀୟ ଉଦ୍ୟୋଗକୁ ଉସôାହିତ କରିବା ପାଇଁ ତାଙ୍କର ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଛନ୍ତି, ସେ କିପରି ପନିପରିବା ବିକ୍ରେତାମାନଙ୍କୁ ନାଗପୁରରେ ଫଳ ମଲ୍ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଥିଲେ ତାହା ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁଯାୟୀ ଏପରି ପଦକ୍ଷେପ ପ୍ରମୁଖ ସହର ସ୍ଥାନରେ ସିଧାସଳଖ ବିକ୍ରୟ ସକ୍ଷମ କରି ବ୍ୟବସାୟୀ ଓ ଚାଷୀମାନଙ୍କୁ ସଶକ୍ତ କରିଥାଏ ।
ମୁଁ ଆପଣଙ୍କୁ ପୂର୍ବରୁ କହିଦେଉଛି, ମୁଁ ଏସବୁ ମୋର ନିଜ ରୋଜଗାର ପାଇଁ କରୁନାହିଁ, ନଚେତ୍ ଆପଣ ଅନ୍ୟ କିଛି ଭାବିପାରନ୍ତି । ମୋର ଆୟ ପ୍ରଚୁର । ମୋର ମସ୍ତିଷ୍କ ପ୍ରତି ମାସରେ ୨୦୦ କୋଟି ଟଙ୍କାର । ମୋର ଟଙ୍କାର କୌଣସି ଅଭାବ ନାହିଁ ବୋଲି ଗଡ଼କରୀ ପୁନରାବୃତ୍ତି କରି କହିଛନ୍ତି ଯେ ତାଙ୍କ ବ୍ୟବସାୟିକ ପରାମର୍ଶଗୁଡ଼ିକ ଲାଭ ନୁହେଁ, ବିକାଶ ଦ୍ୱାରା ପରିଚାଳିତ । ଗଡ଼କରୀ ସମ୍ପ୍ରତି ଇ୨୦ ପେଟ୍ରୋଲ ଉପରେ ସମାଲୋଚନାକୁ ଖାରଜ କରି କହିଛନ୍ତି ଯେ ତାଙ୍କୁ ଟାର୍ଗେଟ କରିବା ପାଇଁ ଏକ "ଦେୟଯୁକ୍ତ’ ଏବଂ "ରାଜନୈତିକ ଭାବରେ ପ୍ରେରିତ’ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରାଯାଇଛି । ସେ ଦୃଢ଼ ଭାବରେ କହିଛନ୍ତି ଯେ ଇନ୍ଧନ ସୁରକ୍ଷିତ । ସରକାର କହିଛନ୍ତି ଯେ ଇ୨୦ ଏକ ଆମଦାନୀ ବିକଳ୍ପ, ମୂଲ୍ୟ-ପ୍ରଭାବଶାଳୀ ଓ ପ୍ରଦୂଷଣ ହ୍ରାସ କରେ । ମକା ଏବଂ ଆଖୁ ପରି ଫସଲର ଚାହିଦା ସୃଷ୍ଟି କରି ଚାଷୀମାନଙ୍କୁ ମଧ୍ୟ ଲାଭ ପହଞ୍ଚାଏ ।