ମଦ ବୋଝେଇ କାର ଜବତ, ଚାଳକ ଅଟକ


ାା ଖୋର୍ଦ୍ଧା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା 
କଟକ ଜିଲ୍ଲା ଆଠଗଡ଼ରୁ ରାଜଧାନୀକୁ ଦାମୀ କାର ଯୋଗେ ଚାଲଣ ହେଉଥିଲା ଚୋରା ଦେଶୀ ମଦ । ଶହ ଶହ ଲିଟର ଦେଶୀ ମଦ ଇନୋଭା ଗାଡିରେ ଆସୁଥିବା ବେଳେ ମାଡି ବସିଲା ବେଗୁନିଆ ଅବକାରୀ ବିଭାଗ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅବକାରୀ ଥାନା ଅଧିନ ଗେଡିଆପଲ୍ଲୀରେ । ଚୋରା ଦେଶୀ ରନ୍ଧା ମଦ ଭର୍ତ୍ତି ହୋଇ ଆସୁଥିବା ଇନୋଭା ଗାଡିକୁ ଅବକାରୀ ଦଳ ଅଟକାଇବା ସହ ଗାଡିରୁ ବିପୁଳ ପରିମାଣର ଚୋରା ଦେଶୀ ମଦକୁ ଜବତ କରିବା ପରେ ଗାଡି ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଲାଇଛନ୍ତି ବେଗୁନିଆ ଅବକାରୀ ଅଧିକାରୀ । ମଦ ବୋଝେଇ କାରକୁ ଏସ୍କର୍ଟ ଦେଇ ମଦ ମାଫିଆ ମାନେ ଠିକଣାରେ ପହଞ୍ଚାଉଥିବା ବେଳେ ଆଜି ଖସି ଯିବାରେ ସକ୍ଷମ ହୋଇଛନ୍ତି  । ଗ୍ରାମାଞ୍ଚଳରେ ମଦ ପିଇ ଅନେକ ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ଆଜି ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଅବକାରୀ ଦଳ ବାଘମାରୀ-ଧଳାପଥର ରାସ୍ତାରେ ଛକି ବସିଥିଲା । ପୂର୍ବରୁ ସୂଚନା ପାଇଁ ଓଆର୦୨ଏଜି୦୦୯୯ ଏକ ଇନୋଭା ଗାଡିରେ ମଦ ଚାଲଣ ହେଉଥିବା ଜାଣି ପାରିଥିଲା ଅବକାରୀ ଦଳ । ଗେଡିଆପଲ୍ଲୀ ନିକଟରୁ ସେହି ଇନୋଭା ଗାଡିକୁ ଅଟକାଇବା ସହ ସେଥିରୁ ବିପୁଳ ପରିମାଣ ଦେଶୀ ରନ୍ଧା ମଦ ଜବତ କରିବା ଏବଂ କାର ସହ ଚାଳକକୁ ଅଟକ ରଖିଛି ଅବକାରୀ ପୁଲିସ ।ମଦ କାରବାରରେ କେଉଁ ମାନେ ସଂପୃକ୍ତ ଅଛନ୍ତି ସେ ନେଇ ଚାଳକକୁ ଅଧିକ ପଚରାଉଚରା ଜାରି ରହିଛି ।