ଉତ୍ତମଙ୍କ ପରଲୋକରେ ଶୋକ

 ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରସ୍ଥିତ ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଯାଇଛି ତାଙ୍କ ପାର୍ଥିବ ଶରୀର । ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ । ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି । ଉତ୍ତମଙ୍କ ଶେଷ ଦର୍ଶନ କରିବାକୁ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜି ତାଙ୍କ ବାସଭବନରେ ପ୍ରବଳ ଭିଡ ଜମି ଥିଲା । ଏ ଭିଡରେ କେବଳ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକମାନେ ନଥିଲେ, ଥିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ ଓ ରାଜନେତା । 
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂହଦେଓ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବିନାରାୟଣ ନାୟକ, ମନ୍ତ୍ରୀ କୃର୍ଷ୍ଣଚନ୍ଦ୍ର ମହାପାତ୍ର ଏବଂ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କ ଶୋକ ବାର୍ତ୍ତରେ କହିଛନ୍ତି ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କ ପବିବାରଜନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ।