ଉଦ୍ଧତ ପାପା କି ପରି
ଏହି କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଦୁଇଚକିଆ ଯାନର ଦୁର୍ଘଟଣାର ଭିଡ଼ିଓ ବହୁଳ ଭାବରେ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓଟିରେ ଜଣେ ମହିଳା ଦୁଇଚକିଆ ଯାନ ଆରୋହୀ ନିଜର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଚଉକି ପକାଇ ବସିଥିବା ଜଣେ ପୁଲିସ୍ଙ୍କୁ ଧକ୍କା ଦେଇ ରାସ୍ତାକଡ଼ରେ ଓଲଟି ପଡିଥିଲେ । ଏହି ଭିଡ଼ିଓଟିରେ କାହାର ଭୁଲ୍ ବୋଲି ପ୍ରଶ୍ନଟିଏ ପଚରା ଯାଇଥିଲା । ଏହାର ଉତ୍ତରରେ ଲକ୍ଷ ଲକ୍ଷ ଦର୍ଶକ ବିଭିନ୍ନ ମଜାଳିଆ କମେଣ୍ଟ୍ ଦେଇଥିଲେ । କିନ୍ତୁ ସେହି ମହିଳାଙ୍କର ଭୁଲ ବୋଲି କେହି ଜଣେ ବି ଲେଖି ନଥିଲେ ।
ଏବେ ବାସ୍ତବ ଦୁନିଆକୁ ଫେରି ଆସିବା । ସହରାଞ୍ଚଳ ଭିତରେ ଛୋଟ, ବଡ଼ ଅନେକ ଦୁର୍ଘଟଣା ମହିଳାମାନଙ୍କ ଦୁଇଚକିଆ ଯାନ ଚଲାଇବାକୁ ନେଇ ବି ଘଟୁଛି । ଅନେକ ଛୋଟ, ବଡ଼ ଦୁର୍ଘଟଣା ପ୍ରତିଦିନ ଘଟୁଥିଲେ ମଧ୍ୟ ଅଧିକାଂଶ ଘଟଣାରେ ମହିଳାଙ୍କର ଭୁଲ୍ ଥିଲେ ମଧ୍ୟ ସେମାନଙ୍କୁ କେହି ଦୋଷ ଦେଉନାହାଁନ୍ତି । ଓଲଟା ସେମାନଙ୍କ ଗାଡ଼ି ଧକ୍କାରେ ଆହତ ହେଉଥିବା ବ୍ୟକ୍ତିମାନେ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଘଟଣାସ୍ଥଳରୁ ଚୁପ୍ଚାପ୍ ଚାଲିଯିବାକୁ ଶ୍ରେୟସ୍କର ମଣୁଛନ୍ତି । ବହୁସ୍ଥାନରେ ଦେଖାଗଲାଣି ଯେ ମହିଳା କିମ୍ବା ଝିଅମାନେ ଦୁଇଚକିଆ ଯାନ ଚଢୁଥିବା ବେଳେ ସେମାନେ ନିୟନ୍ତ୍ରଣ ରକ୍ଷା କରିପାରୁନାହାଁନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଦୁର୍ଘଟଣା ଘଟାଇ କ୍ଷତିଗ୍ରସ୍ତମାନଙ୍କୁ ଧମକ ଦେଉଛନ୍ତି । ସେମାନଙ୍କୁ ଆଇନ୍ର ପରିସର ଭିତରକୁ ଆଣି ଦଣ୍ଡିତ କରିବା ଏତେ ସହଜ ହେଉ ନାହିଁ, ବରଂ ଦୁର୍ଘଟଣା ଘଟାଇ ସାରିବା ପରେ ମହିଳା ହୋଇଥିବାରୁ ତାହାର ସୁଯୋଗରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଉପରେ ବିଭିନ୍ନ ଆରୋପ ଲଗାଇ ଧମକ ଦେଉଛନ୍ତି । ଏବେ ସହରାଞ୍ଚଳ ଗୁଡ଼ିକରେ ଦେଖାଯାଉଛି ଯେ ଅଧିକାଂଶ ନାବାଳିକା ଯେଉଁ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ପାଇବାର ବୟସ ହୋଇ ନାହିଁ, ସେମାନେ ହାଲୁକା ଦୁଇଚକିଆ ଯାନରେ ଫିର୍ ଫିର୍ ହୋଇ ସହର ଭିତରେ ବୁଲୁଛନ୍ତି । ଖାଲି ସେତିକି ନୁହେଁ, ସେମାନଙ୍କ ଦ୍ରୁତ ଗତିର ଦୁଇଚକିଆ ଯାନ ଚାଳନା ଅନ୍ୟମାନଙ୍କ ପାଇଁ ବିପଦ ମଧ୍ୟ ସୃଷ୍ଟି କରୁଛି । କେବଳ ଦୁଇଚକିଆ ଯାନ ଚାଳନା ନୁହେଁ ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ନିଶା ସେବନ କରି ରାସ୍ତାରେ ଉନ୍ମତ୍ତ କାଣ୍ଡ କରିବା ଭଳି ଘଟଣା ସବୁ ଦିନକୁ ଦିନ ବଢିବାରେ ଲାଗିଛି । ଗେଇ ଭର୍ତ୍ତି ସିଗାରେଟ୍, ମଦ, ବ୍ରାଉନ୍ ସୁଗାର, ଇ-ସିଗାରେଟ୍ ଆଦି ସେବନ କରି ରାଜଧାନୀରେ ବହୁ ଯୁବତୀ ରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇଲେଣି । ଏହିଭଳି ନିଶା ସେବନ କରି କେତୋଟି ଘଟଣାରେ ମାତାଲ୍ ଯୁବତୀମାନେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ି ଦେଉଛନ୍ତି । ଏବେ ଗୋଟିଏ ଘଟଣାରେ ଭୁବନେଶ୍ୱରରେ ଜଣେ ଯୁବତୀ ନିଶାରେ ମାତାଲ ହୋଇ ପୁଲିସ୍ ଗାଡ଼ିକୁ ମଦ ବୋତଲ ଫୋପାଡ଼ି ଥିଲେ ।
ଗତ ବର୍ଷକ ଭିତରେ ୨୫ଟିରୁ ଅଧିକ ଘଟଣା ଏହି ପାପା କି ପରି ମାନେ ଘଟାଇଥିବା ପୁଲିସ୍ ରେକର୍ଡ୍ କହୁଛି । ଏହିସବୁ ଯୁବତୀମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ଶିକ୍ଷିତା ଏବଂ ବିଭିନ୍ନ କଲେଜ୍ର ଛାତ୍ରୀ ତଥା ବାହାରେ ମେସ୍ କରି ରହୁଛନ୍ତି । ତେଣୁ ସେମାନଙ୍କର ଦୈନନ୍ଦିନ ଜୀବନ ଉପରେ କାହାରି ନିୟନ୍ତ୍ରଣ ରହୁନାହିଁ । ଏଣେ ଦିନକୁ ଦିନ କୁସଙ୍ଗରେ ପଡ଼ି ସେମାନେ ମଧ୍ୟ ମାରାତ୍ମକ ନିଶା ସେବନ କରିବାରେ ଅଭ୍ୟସ୍ତ ହୋଇଗଲେଣି । ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ନିଶାସକ୍ତ ଯୁବତୀମାନେ ପୁଲିସ୍କୁ କିଭଳି ନାକେଦମ୍ କରି ଦେଉଛନ୍ତି ତାହାର ଏକ ବିସ୍ତୃତ ବର୍ଣ୍ଣନା ଏହି ଅଳ୍ପ ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ହସ୍ପିଟାଲ୍ ଏବଂ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟାଉଥିବା ଦିନକୁ ଦିନ ବଢୁଛି । ଦିନକୁ ଦିନ ମଦ ଦୋକାନରେ ସଂଖ୍ୟାବୃଦ୍ଧି ଏବଂ ଦୋକାନରୁ କିଣିବା କ୍ଷେତ୍ରରେ ମହିଳାଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଗଲାଣି । ଏଭଳି ଏକ ସାମାଜିକ ସ୍ଖଳନ ଭବିଷ୍ୟତ ପୀଢ଼ୀ ପାଇଁ ଆଦୌ ଶୁଭଙ୍କର ନୁହେଁ ।