ବିଶ୍ୱର ସର୍ବକନିଷ୍ଠ ସହିଦ ବାଜି ରାଉତ

ଆମର ସୌଭାଗ୍ୟ ଯେ, ବିଶ୍ୱର କନିଷ୍ଠତମ ସହିଦ ବାଜି ରାଉତଙ୍କର ଜନ୍ମ ଶତାବାର୍ଷିକୀ ଆମେ ପାଳନ କରୁଛେଁ । ସେ କେବଳ ଢେଙ୍କାନାଳ, ଓଡ଼ିଶା ବା ଭାରତର ଗର୍ବ ନୁହନ୍ତି, ବିଶ୍ୱର ଗର୍ବ ଗୌରବ । ପବିତ୍ର ବ୍ରାହ୍ମଣୀ ତଟସ୍ଥ ନୀଳକଣ୍ଠପୁର ଗ୍ରାମର ସେ ଏକ କୃଷକ ପରିବାରରେ ଜନ୍ମ ନେଇଥିଲେ ହେଁ ମାତ୍ର ବାରବର୍ଷରେ ଆତ୍ମବଳି ପ୍ରଦାନ ପୂର୍ବକ ଆମକୁ ସ୍ୱାଧୀନତାର ସନ୍ଦେଶ ଦେଇ ଯାଇଛନ୍ତି । ତାଙ୍କ ଯୋଗୁ ଜନ୍ମମାଟି ମହାନ ତୀର୍ଥରେ ପରିଣତ ହୋଇଛି । ଶିକ୍ଷିତ ନହୋଇ ମଧ୍ୟ ସେ ଅଗଣିତ ଶିକ୍ଷିତଙ୍କର ଜାତୀୟ ଚେତନା ଜାଗ୍ରତ କରିବାକୁ ସମର୍ଥ ହୋଇଛନ୍ତି । ଦେଶ ମାତୃକାର ମୁକ୍ତି ନିମିତ୍ତ ତାଙ୍କ ପ୍ରାଣଦାନ ନିରର୍ଥକ ହୋଇନାହିଁ ।
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଭାରତର ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାର ଦାନ ଅତୁଳନୀୟ । ପୁରାଣ ଯୁଗରୁ ଓଡ଼ିଆ ଏକ ବୀରଜାତି ଭାବରେ ବିଶ୍ୱବିଦିତ । ଇଂରେଜ ଶାସନ ବିରୋଧରେ ଅଗଣିତ ଓଡ଼ିଆ ଯେଉଁ ସଂଗ୍ରାମ ଆରମ୍ଭ କଲେ ଓ ଆତ୍ମବଳି ହେଲେ ତହିଁର ସଠିକ ଇତିହାସ ଏପର୍ଯ୍ୟନ୍ତ ଲେଖା ହୋଇନାହିଁ । ଜୟୀ ରାଜଗୁରୁ, ଗଜପତି, ମୁକୁନ୍ଦ ଦେବ, ବକ୍ସି ଜଗବନ୍ଧୁ, ପାଇକବୀର ବୃନ୍ଦ ଓ ଅନ୍ୟାନ୍ୟ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଆତ୍ମୋତ୍ସର୍ଗ ଓଡ଼ିଆଙ୍କ ପ୍ରେରଣାର ଉତ୍ସ ହୋଇ ରହିଛି ଏବଂ ପ୍ରତିଟି ଓଡ଼ିଆ ପ୍ରାଣରେ ବୀରତ୍ୱର ସ୍ପନ୍ଦନ ସଞ୍ଚାର କରୁଛି । ଗୋ÷ରବର କଥା, ଯେଉଁ ବାରବର୍ଷର ବାଳକ ନିର୍ଭୀକ ଭାବରେ ଇଂରେଜ ସୈନ୍ୟଙ୍କ ଗୁଳିକୁ ଖାତିର ନକରି ଛାତି ଦେଖାଇ ଦେଶ ପାଇଁ ପ୍ରାଣବଳି ଦେଇ ବିଶ୍ୱର ସର୍ବକନିଷ୍ଠ ସହିଦ ହେଲା ସେ ହେଉଛି ବାଜି ରାଉତ । ୧୯୨୬ ମସିହାରେ ଢେଙ୍କାନାଳ ଜିଲାର ପୁଣ୍ୟତୋୟା ବ୍ରାହ୍ମଣୀ ତଟସ୍ଥ ଅଖ୍ୟାତ ଗ୍ରାମ ନୀଳକଣ୍ଠପୁରରେ ସେ ଜନ୍ମଦେଇ ବଂଶ, ଜାତି ଓ ଦେଶକୁ ଗୌରବ ମଣ୍ଡିତ କରିବା ସହିତ ନିଜ ଜନ୍ମ ଗ୍ରାମକୁ ସଂଗ୍ରାମର ତୀର୍ଥରେ ପରିଣତ କରିଥିଲା । ସେ ହିଁ ଆମର ଚିର ସ୍ମରଣୀୟ ବିଶ୍ୱର ସର୍ବକନିଷ୍ଠ ସହିଦ ବାଜି ରାଉତ। ଆମର ଗର୍ବ ଯେ ଆଜି ସମଗ୍ର ବିଶ୍ୱ ସେହି ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି ।
ଗଡ଼ଜାତ ରାଜ୍ୟ ସମୂହ ହିଁ ଓଡ଼ିଶାର ବୃହତ ଅଂଶ ହୋଇଥିଲେ ହେଁ ଇଂରେଜମାନେ ଗଡ଼ଜାତର ପ୍ରଜାଗଣ ରାଜ୍ୟରେ ପରୋକ୍ଷରେ ଶାସନ କରୁଥିଲେ । ରାଜାମାନଙ୍କ ଉପରେ ଗଡ଼ଜାତ ରାଜ୍ୟମାନଙ୍କର ଆଭ୍ୟନ୍ତରୀଣ ଶାସନ କ୍ଷମତା ଥିଲେ ହେଁ ସେମାନେ ଇଂରେଜମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିଲେ । ଫଳରେ ଗଡ଼ଜାତର ପ୍ରଜାଗଣ ରାଜା ଓ ଇଂରେଜ ଉଭୟଙ୍କ ଦ୍ୱାରା ଶୋଷିତ ଓ ଅତ୍ୟାଚାରିତ ହେଉଥିଲେ । ସ୍ୱାଧୀନତା ସଂଗ୍ରାମର ପଦଧ୍ୱନି ଗଡ଼ଜାତ ରାଜ୍ୟମାନଙ୍କ ଭିତରେ ଶୁଣାଗଲା । ରାଜାମାନେ ଆତଙ୍କିତ ହୋଇ ଇଂରେଜ ସରକାରଙ୍କ ପଦକ୍ଷେପ ନେଲେ । ପ୍ରାଚୀନ ଓ ଐତିହ୍ୟ ବିମଣ୍ଡିତ ଢେଙ୍କାନାଳ ରାଜ୍ୟରେ ପ୍ରଜାଗଣ ମାତ୍ରାଧିକ ଅତ୍ୟାଚାରିତ ହୋଇଥିଲେ । ୧୯୩୮ ଜୁନ ୨୭ ତାରିଖରେ ଢେଙ୍କାନାଳର ପ୍ରଜାଗଣ ପ୍ରଜାମଣ୍ଡଳ ଗଠନ କରି ରାଜା ଓ ଇଂରେଜ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇଥିଲେ । ୧୯୩୮ ସେପ୍ଟେମ୍ବର ୨ ତାରିଖରେ ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ସଭାପତିତ୍ୱରେ ଜେନାପୁର ନିକଟ କଲାଣ୍ଡଠାରେ ଓଡ଼ିଶାର ପ୍ରଜାମଣ୍ଡଳ ଅଧିବେଶନ ଅନୁଷ୍ଠିତ ହେଲା । ଢେଙ୍କାନାଳ ରାଜାଙ୍କ ଭାଇ ପଟ୍ଟାୟତ ନରସିଂହ ପ୍ରତାପ ସିଂହଦେଓ ଢେଙ୍କାନାଳ ସହରର ପାଞ୍ଚ କିଲୋମିଟର ଉତ୍ତରରେ ଅବସ୍ଥିତ ଠକରନାଳୀ ପାହାଡ଼ରେ ଗୋଟିଏ ଅନେଶ୍ୱତ ପ୍ରକୋଷ୍ଠ ବିଶିଷ୍ଟ ତ୍ରିତଳ ପ୍ରାସାଦ ନିର୍ମାଣ କଲେ । ଏହି ପ୍ରାସାଦକୁ ଯତନ ନଗର କୁହାଯାଉଥିଲା । ଯତନନଗର ପ୍ରାସାଦ ନିର୍ମାଣ କାର୍ଯ୍ୟରେ ପ୍ରଜାମାନଙ୍କୁ ବେଠି ଖଟାଯାଉଥିଲା ଏବଂ କାର୍ଯ୍ୟରେ ଅବହେଳା କଲେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଅନ୍ୟ ଭାଷାରେ ଉଲ୍ଲେଖ କଲେ ଯତନନଗର ପ୍ରାସାଦ ମଣିଷ ରକ୍ତରେ ନିର୍ମାଣ କରାଯାଉଥିଲା । ପ୍ରଜାମାନେ ଆପତ୍ତି କରୁଥିଲେ କଠୋର ଦଣ୍ଡ ଦିଆଯାଉଥିଲା । ପ୍ରଜାମାନେ ସଂଗ୍ରାମ ନିମିତ୍ତ ପ୍ରଜାମଣ୍ଡଳ ଗଠନ କରିବାରୁ ଢେଙ୍କାନାଳ ରାଜା ୧୯୩୮ ସେପ୍ଟେମ୍ବର ୨୨ ତାରିଖରେ ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କଲେ ତଥା ଇଂରେଜ ସୈନ୍ୟ ମଗାଇ ଗ୍ରାମେ ଗ୍ରାମେ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କଲେ । ରାଜାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପ୍ରଜାଗଣ ଚାଷବାସ ପରିତ୍ୟାଗ ପୂର୍ବକ ଜେନାପୁର, ଯାଜପୁର, ସୁକିନ୍ଦା, କେନ୍ଦୁଝର, ବାଙ୍କୀ ଓ ଅନୁଗୁଳ ଅଞ୍ଚଳକୁ ସପରିବାର ଜଙ୍ଗଲରେ ଆତ୍ମଗୋପନ କଲେ । ଏହାକୁ ହିଜରାତ୍ କୁହାଯାଇଥିଲା ।
ପ୍ରଜାମଣ୍ଡଳ କର୍ମୀମାନେ ଗ୍ରାମେ ଗ୍ରାମେ ବୁଲି ପ୍ରଜା ଆନ୍ଦୋଳନ ଜାରି ରଖିଲେ ଏବଂ କୃଷକ ଓ ରଣଭେରୀ ପତ୍ରିକା ଲୋକଙ୍କୁ ବାଣ୍ଟିଲେ । ଏହି ପତ୍ରିକାରେ ସାରଙ୍ଗଧର ଦାସ ‘ଲଣ୍ଡା ଦେହୁରୀ’ରେ ଛଦ୍ମ ନାମରେ ପ୍ରଜାଙ୍କ ଦୁଃଖ, ଦୁର୍ଦ୍ଦଶା ଓ ଅତ୍ୟାଚାର ଲେଖୁଥିଲେ। ରାଜା ଅଧିକ ଇଂରେଜ ଫୋର୍ସ ମଗାଇ ପ୍ରଜା ଦମନ ଲୀଳା ବ୍ୟାପକ କଲେ । ଫୋର୍ସ ବାହିନୀ କେତେଗୋଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ତନ୍ମଧ୍ୟରୁ ଗୋଟିଏ ଫୋର୍ସବାହିନୀ ୧୯୩୮ ଅକ୍ଟୋବର ୮ ତାରିଖରେ ମାର୍ଥାପୁର ଶାସନରେ ପହଞ୍ôଚ ପ୍ରଜାମଣ୍ଡଳ ନେତା ସତ୍ୟବାଦୀ ମିଶ୍ରଙ୍କୁ ଖୋଜିଲେ । ସେ ଗ୍ରାମର ଘନଶ୍ୟାମ ଦାଶଙ୍କ ଘରେ ଆତ୍ମଗୋପନ କରିଛନ୍ତି ବୋଲି ଫୋର୍ସମାନେ ଘନଶ୍ୟାମଙ୍କ ଘର ତଲାସି କଲେ । ତଲାସି ସମୟରେ ଗୋଟିଏ ଦାମୁଡି ନାତ ମାରିବାରୁ ଫୋର୍ସମାନେ ସେହି ଦାମୁଡକୁ ଗୁଳି କରି ମାରିଦେଲେ । ଏହି ଘଟଣା ମାର୍ଥାପୁର ଶାସନରେ ଉତ୍ତେଜନା ସୃଷ୍ଟି କରିବାରୁ ଫୋର୍ସବାହିନୀ ତୁରନ୍ତ ଭୁବନ ଅଭିମୁଖେ ଯାତ୍ରା କଲେ । ବାଟରେ ନଦୀ କୂଳରେ ସତ୍ୟବାଦୀ ମିଶ୍ରଙ୍କର ଗଚ୍ଛିତ ଥିବା ଦୁଇ ଲକ୍ଷ ଟଙ୍କାର କାଠରେ ଫୋର୍ସମାନେ ଅଗ୍ନିସଂଯୋଗ କରିଦେଲେ । ଅକ୍ଟୋବର ୯ ତାରିଖ ରାତିରେ ପୋଲିସ ଫୋର୍ସ ଭୁବନରେ ପହଞ୍ôଚଲେ ଓ ୧୦ ତାରିଖରେ ସେଠାକାର ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ଭୁବନ ଭାରତର ପୂର୍ବାଞ୍ଚଳରେ ଏକ ବାଣିଜ୍ୟ ପେଣ୍ଠ । ଅଷ୍ଟମ ଶତାବ୍ଦୀରେ ଭୋ÷ମରାଣୀ ବ୍ୟବସାୟୀ । ତେଣୁ ପୋଲିସ ବାହିନୀ ସନ୍ଦେହ କଲେ ଯେ ଭୁବନର ବ୍ୟବସାୟୀମାନେ ଢେଙ୍କାନାଳ ଅତ୍ୟାଚାର କଥା କଟକ, କଲିକତାରେ ପ୍ରଘଟ କରୁଛନ୍ତି । ସେହି ଆକ୍ରୋଶରେ ସେମାନେ ପୁରୁଷ, ସ୍ତ୍ରୀ, ପିଲା ସମସ୍ତଙ୍କୁ ମାଡ ଦେଇ କେତେଜଣଙ୍କୁ ଗିରଫ କଲେ । ଭୁବନବାସୀ ପ୍ରତିବାଦ କରିବାରୁ ପୋଲିସ ଫୋର୍ସ ଗୁଳିଚାଳନା କଲେ । ଏହି ଗୁଳିରେ ଗୁରି ନାଏକ ସହିଦ ହେଲେ ତଥା ରଘୁ ନାଏକ ଗୁରୁତର ଆହତ ହେଲେ । ଏହି ଘଟଣାରେ ଭୁବନ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇପଡିଲେ ଓ ସନ୍ଧ୍ୟା ସମୟରୁ ଶହ ଶହ ପ୍ରଜା ଭୁବନଥାନା ଘେରାଉ ରଖି ରଖିଲେ । କ୍ରମେ ଆନ୍ଦୋଳନକାରୀ ସଂଖ୍ୟା ବୃଦ୍ଧି ହେଲା ଓ ଥାନା ଉପରକୁ ଆନ୍ଦୋଳନକାରୀମାନେ ଟେକା ପଥର ଫୋପାଡିଲେ । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପୋଲିସ ବାହିନୀ ଆତଙ୍କିତ ହୋଇପଡିଲେ । ପ୍ରାୟ ରାତି ଦୁଇଟା ସମୟରେ ପୋଲିସ ବାହିନୀ ସହିଦର ଶବ, ଆହତ ବ୍ୟକ୍ତି ଓ ଗିରଫ ଲୋକଙ୍କୁ ଧରି ଢେଙ୍କାନାଳ ପଳାଇ ଆସିବାକୁ ନୀଳକଣ୍ଠପୁର ଘାଟ ଆଡେ ପଳାୟନ କଲେ । ଆନ୍ଦୋଳନକାରୀ ପ୍ରଜାମାନେ ସେମାନଙ୍କର ପଶ୍ଚାତଧାବନ କରି ଟେକା ପଥର ଫୋପାଡିଲେ । ପ୍ରାଣ ଭୟରେ ରାତି ୪ଟା ସମୟରେ ପୋଲିସ ବାହିନୀ ନୀଳକଣ୍ଠପୁର ଘାଟରେ ପହଞ୍ôଚ ସେମାନଙ୍କୁ ତୁରନ୍ତ ପାରି କରିଦେବାକୁ ନାଉରିଆମାନଙ୍କୁ ଆଦେଶ ଦେଲେ । କିନ୍ତୁ ନାଉରିଆମାନେ ପୋଲିସଙ୍କ କଥା ଶୁଣିଲେ ନାହିଁ । ପ୍ରଜାମଣ୍ଡଳର ନିଷ୍ପତ୍ତି କ୍ରମେ ନୀଳକଣ୍ଠପୁର ଗ୍ରାମର ନାଉରୀ, ଖଣ୍ଡାୟତ, ଗୁଡିଆ ଅନ୍ୟ ଜାତିର ବ୍ୟକ୍ତି ପାଳି କରି ଘାଟ ଜଗୁଥିଲେ ତଥା ସରକାରୀ ଲୋକଙ୍କୁ ଡଙ୍ଗାରେ ପାରି କରୁନଥିଲେ । ଘାଟ ଜଗିଥିବା ଲୋକମାନେ ଫୋ÷ଜଙ୍କୁ କହିଲେ ଯେ ସେମାନେ ପ୍ରଜାମଣ୍ଡଳର ଆଦେଶ ବିନା ପାରି କରିବେ ନାହିଁ । ଘାଟ ଜଗିଥିବା ଲୋକଙ୍କୁ ଭିତରେ କିଛି ନାଉରୀ ଓ ଖଣ୍ଡାୟତ ଥିଲେ । ସେଦିନ ବାଜି ରାଉତ ବାରବର୍ଷର ବାଳକ ହେଲେ ମଧ୍ୟ ଘାଟ ପାଳି ଜଗିବାକୁ ଆସିଥିଲା । ଫୋର୍ସ ଦେଖିଲେ ଯେ ଆନ୍ଦୋଳନକାରୀ ପ୍ରଜାମାନେ ନିକଟତର ହୋଇଗଲେଣି । ସେମାନେ ଗୁଳିକରି ଲୋକଙ୍କୁ ଘଉଡାଇବାକୁ ମାଜିଷ୍ଟ୍ରେଟଙ୍କୁ ଆଦେଶ ମାଗିଲେ । ମାଜିଷ୍ଟ୍ରେଟ ବିଜୟ ଘୋଷଙ୍କ ଆଦେଶରେ ପୋଲିସ ଫୋର୍ସ ଗୁଳି ଚାଳନା କଲେ । ପୋଲିସ ଫୋର୍ସଙ୍କ ଗୁଳିରେ ବାଜି ରାଉତ, ହୃଷି ପ୍ରଧାନ, ନଟମଳିକ ଓ ଲକ୍ଷ୍ମଣ ମଳିକ ସହିଦ ହେଲେ । ଏତଦ୍ଭିନ୍ନ ଅନ୍ୟ ଆଠଜଣ ଗୁଳି ମାଡ ଖାଇ ରକ୍ତାକ୍ତ ଓ ଗୁରୁତର ଆହତ ହେଲେ । ନୀଳକଣ୍ଠପୁର ବ୍ରାହ୍ମଣୀ ଘାଟ ସଂଗ୍ରାମୀମାନଙ୍କ ରକ୍ତରେ ରଞ୍ଜିତ ହୋଇଗଲା । ବାରବର୍ଷର ବାଳକ ବାଜି ରାଉତର ମୃତ୍ୟୁ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତି ସୃଷ୍ଟି କଲା । ଆନ୍ଦୋଳନକାରୀ ପ୍ରଜାଗଣ ମାଡି ଆସୁଥିବାର ଦେଖି ପୋଲିସ ବାହିନୀ ନିଜେ ଡଙ୍ଗା ବାହି ନଦୀର ଅପରପାଶ୍ୱର୍କୁ ଗଲେ ଓ ତତ୍ପରେ ଢେଙ୍କାନାଳ ପଳାୟନ କଲେ ।
ଏହି ଘଟଣାସ୍ଥଳରେ କଟକର ସାମ୍ବାଦିକ ଓ ସଂଗ୍ରାମୀ ରବିଘୋଷ ଓ ଫନୀପାଲ ଉପରିସ୍ଥ ଥିଲେ । ତତକ୍ଷଣାତ୍ ମହନ୍ତ ପ୍ରଧାନ, କୃତ୍ତିବାସ ପ୍ରଧାନ, ସତ୍ୟବାଦୀ ମିଶ୍ର, ଶ୍ରୀକାନ୍ତ ରାଉତ ଓ ଅନ୍ୟ କେତେକ ତୁଙ୍ଗ ନେତା ଘଟଣାସ୍ଥଳରେ ପହଞ୍ôଚଲେ । ମୃତ ଓ ଆହତମାନଙ୍କୁ ଛଅଗୋଟି ଶଗଡରେ କଟକ ନିଆଗଲା । ଅକ୍ଟୋବର ୧୨ ତାରିଖରେ କଟକରେ ଶବଗୁଡିକ ବ୍ୟବଚ୍ଛେଦ କରାଗଲା ଓ ଆହତମାନେ ବଡଡାକ୍ତରଖାନାରେ ଚିକିତ୍ସିତ ହେଲେ । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଲା । ତେଣୁ ମୃତ୍ୟୁ ସଂଖ୍ୟା ସାତରେ ପହଞ୍ôଚଲା । କଟକରେ ହଜାର ହଜାର ବ୍ୟକ୍ତି ବିରାଟ ଶୋଭାଯାତ୍ରାରେ ସାତଗୋଟି ଶବକୁ ସାତଗୋଟି ଶଗଡ଼ରେ ନେଇ ଖାନନଗର ଶ୍ମଶାନରେ ଦାହ କଲେ । ଯେତେବେଳେ ଖାନନନଗର ଶ୍ମଶାନରେ ନୀଳକଣ୍ଠପୁର ସହିଦମାନଙ୍କର ଶବ ଦାହ କରାଗଲା ସେତେବେଳେ ହଜାର ହଜାର ଜନତା ‘ନୀଳକଣ୍ଠପୁର ସହିଦ ଅମର ରହେ’, ‘ବାଜିରାଉତ ଅମର ରହେ’ ଓ ‘ହୃଷୀ, ନଟ, ଲକ୍ଷ୍ମଣ, ଫରା, ଗୁରି ଅମର ରହେ’ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କଲେ । ଖାନନଗର ଶ୍ମଶାନରେ ସାତଜଣ ସହିଦଙ୍କର ସାତଗୋଟି ଜୁଇର ଲେଲିହାନ ଅଗ୍ନିଶିଖା ଦେଖି ଯୁବକବି ସଚ୍ଚିଦାନନ୍ଦ ରାଉତରାୟଙ୍କ ହୃଦୟରେ ଜାତୀୟ ଚେତନା ଜାଗ୍ରତ ହେଲା ଏବଂ ସେ ବାଜି ରାଉତ କବିତା ରଚନା କରିଥିଲେ ।
ନୁହେଁ ବନ୍ଧୁ ନୁହେଁ ଏହା ଚିତା
ଏ ଦେଶ ତିମିର ତଳେ
ଏହା ଏକ ମୁକତି ସଳିତା ।
ନୁହେଁ ଏହା ଜଳିଯିବା ପାଇଁ
ଏହାର ଜନମ ଏଠି
ଜାଳି ପୋଡି ଦେବାକୁ ଧସାଇ...
ଏହି ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କଲା ।
ଆମର ସୋ÷ଭାଗ୍ୟ ଯେ, ବିଶ୍ୱର କନିଷ୍ଠତମ ସହିଦ ବାଜି ରାଉତଙ୍କର ଜନ୍ମ ଶତାବାର୍ଷିକୀ ଆମେ ପାଳନ କରୁଛେଁ । ସେ କେବଳ ଢେଙ୍କାନାଳ, ଓଡ଼ିଶା ବା ଭାରତର ଗର୍ବ ନୁହନ୍ତି, ବିଶ୍ୱର ଗର୍ବ ଗୋ÷ରବ । ପବିତ୍ର ବ୍ରାହ୍ମଣୀ ତଟସ୍ଥ ନୀଳକଣ୍ଠପୁର ଗ୍ରାମର ସେ ଏକ କୃଷକ ପରିବାରରେ ଜନ୍ମ ନେଇଥିଲେ ହେଁ ମାତ୍ର ବାରବର୍ଷରେ ଆତ୍ମବଳି ପ୍ରଦାନ ପୂର୍ବକ ଆମକୁ ସ୍ୱାଧୀନତାର ସନ୍ଦେଶ ଦେଇ ଯାଇଛନ୍ତି । ତାଙ୍କ ଯୋଗୁ ଜନ୍ମମାଟି ମହାନ ତୀର୍ଥରେ ପରିଣତ ହୋଇଛି । ଶିକ୍ଷିତ ନହୋଇ ମଧ୍ୟ ସେ ଅଗଣିତ ଶିକ୍ଷିତଙ୍କର ଜାତୀୟ ଚେତନା ଜାଗ୍ରତ କରିବାକୁ ସମର୍ଥ ହୋଇଛନ୍ତି । ଦେଶ ମାତୃକାର ମୁକ୍ତି ନିମିତ୍ତ ତାଙ୍କ ପ୍ରାଣଦାନ ନିରର୍ଥକ ହୋଇନାହିଁ । ଅଜ୍ଞାତ ପଲ୍ଲୀରେ ସେ ଜନ୍ମ ହୋଇ ମଧ୍ୟ ସେ ସମଗ୍ର ବିଶ୍ୱରେ ଜ୍ଞାତ ହୋଇଛନ୍ତି । ତାଙ୍କ ନାମରେ ଅନେକ ପୁସ୍ତକ ପ୍ରକାଶିତ, ଶିକ୍ଷାନୁଷ୍ଠାନ ନାମିତ, ସେଠୁ ଲୋକାର୍ପିତ ତଥା ପ୍ରତିବର୍ଷ ତାଙ୍କର ବଳିଦାନ ଦିବସ ପାଳିତ । ଆଜି ଜନ୍ମ ଶତବାର୍ଷିକୀରେ ଅଗଣିତ ଭାରତବାସୀ ତାଙ୍କ ଜାତୀୟ ଚେତନାରେ ଅନୁପ୍ରାଣିତ ହୋଇପାରିଲେ, ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨