୬ ଜିଲ୍ଲାରେ ବନ୍ୟା : ବାଲେଶ୍ୱର ଓ ମୟୂରଭଞ୍ଜ ବେଶୀ ପ୍ରଭାବିତ

 ଭୁବନେଶ୍ୱର:  ସୁବର୍ଣ୍ଣରେଖା, ଜଳକା ଓ ଜମ୍ଭୀରା ନଦୀ ଉଛୁଳୁଛି  । ଯାହାର ପ୍ରଭାବରେ ବାଲେଶ୍ୱର ଓ ମୟୂରଭଞ୍ଜ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛନ୍ତି  । ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏସେହିପରି ମହାନଦୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଭଳି ନଦୀରେ ଜଳସ୍ତର କମିବାରେ ଲାଗିଛି  । ଅବଶ୍ୟ ବର୍ଷା କମିଯାଇଥିବାରୁ ଆଶ୍ୱସ୍ତି ମିଳିଛି  । ସମ୍ପ୍ରତି ଲଘୁଚାପ କି ଅବପାତର ପ୍ରଭାବ ନାହିଁ  । ଫଳରେ ଆଗାମୀ ଦୁଇଦିନ ବର୍ଷା ପୂର୍ବାପେକ୍ଷା କମିଯିବ  । କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ଅପରପକ୍ଷରେ ଅଗଷ୍ଟ ୨ ଯାଏଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  ।
ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଆଜି ସଂଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳସ୍ତର ୩୬.୨୪ ମିଟର ରହିଛି  । ଏହା ହ୍ରାସ ପାଉଥିବା ଜଣାଯାଇଛି  । ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର  । ସେହିପରି ଆଖୁଆପଦା ଠାରେ ଜଳସ୍ତର ୧୭.୬୬ ମିଟର ରହିଛି ୬ ଜିଲ୍ଲାରେ ବନ୍ୟା...
ଓ ଏହା ହ୍ରାସ ପାଉଛି  । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩  ମିଟର  । ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର ୬.୫୨ ମିଟର ରହିଛି ଓ ଏଠାରେ ଜଳପ୍ରବାହ     କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି  । ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର  । ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୪୮.୮୬  ମିଟର ରହିଛି ଓ ଏଠାରେ ମଧ୍ୟ ଜଳପ୍ରବାହ ହ୍ରାସ ପାଉଥିବା ଜଣାଯାଉଛି  । ଏଠାରେ  ବିପଦ ସଂକେତ ସ୍ତର ୪୯.୧୬ ମିଟର  । ରାଜଘାଟ ଠାରେ ଜଳ ସ୍ତର ୧୧.୧୭  ମିଟର ଥିବା ବେଳେ ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି  । ଏହାର ବିପଦ ସଂକେତ ସ୍ତର ୧୦.୩୬  ମିଟର  । ଯାହାକି ୧୧.୪୦ ମିଟର ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରାଯାଇଛି  । ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ କାର୍ଯ୍ୟରତ ଅଛି  । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ  କାର୍ଯ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂ ପରାମର୍ଶ ଦିଆଯାଇଛି  । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ୍  କ୍ଷେତ୍ରସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି  । ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ବାଲେଶ୍ୱରରେ ଏକ ଶିବିର(କ୍ୟାମ୍ପ)ରେ ଉପସ୍ଥିତ ରହି ବନ୍ୟା ପରିଚାଳନାକୁ ତଦାରଖ କରୁଛନ୍ତି  । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବାଲିଆପାଳ ବ୍ଲକର ପୁରୁଲିଆସେତୁ ଠାରେ ସୁବର୍ଣ୍ଣରେଖା ନଦୀରେ ବନ୍ୟାସ୍ଥିତି ନିରୀକ୍ଷଣ କରିଛନ୍ତି  । ସେହିପରି ସେ ମଧ୍ୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଜଳକା ନଦୀ ଓ ଜମ୍ଭିରା ନଦୀର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି  । ଜଳ ସଂପଦ ବିଭାଗର  ଅଧିକାରୀ, ଯନ୍ତ୍ରୀ  ଓ କର୍ମଚାରୀମାନେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର୍ଯ୍ୟ ଜାରିରଖିଛନ୍ତି  ।