ଲଘୁଚାପ ପ୍ରଭାବରେ ବର୍ଷା : ଫୁଲିଲା ୬ ନଦୀ

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି  । ଫଳରେ ୬ ନଦୀରେ ଜଳସ୍ତର ବୃଦ୍ଧିପାଇଛି  । ମହାନଦୀ, ଦେବୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀର କେତେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି  । ଅପରପକ୍ଷରେ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ଥିବାରୁ ୨ ଜିଲ୍ଳାକୁ ରେଡ୍, ୧୦ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । 
ଆଜି ସକାଳେ ଲଘୁଚାପ ଉପକୂଳ ପଶ୍ଚିମବଙ୍ଗ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇଥିଲା  । ସେହିପରି ମୌସୁମୀ ଟ୍ରଫ୍ ଅନ୍ୟ ସ୍ଥାନ ସମେତ ଉତ୍ତର ଓଡ଼ିଶାରେ  ଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଓଡ଼ିଶା ଉପରେ ସକ୍ରିୟ ରହିଛି  । ଯାହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜ, ବାଲେଶ୍ୱର ଓ ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି  । ଅପରପକ୍ଷରେ ଆସନ୍ତାକାଲି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି  । ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ  । ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  । ଏହାଛଡ଼ା ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । 
ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ମହାନଦୀର ଜଳସ୍ତର ବୃଦ୍ଧିପାଇଛି  । ଖଇରମାଳ, ଟିକରପଡ଼ା, ନରାଜରେ ଜଳସ୍ତର ବଢ଼ିଥିବାବେଳେ ଦେବୀ ନଦୀର ଜଳସ୍ତର ଆଳିପିଙ୍ଗଳ ଠାରେ ବଢ଼ିଛି  । ସେହିପରି ବ୍ରାହ୍ମଣୀର ଜଳସ୍ତର ପାନପୋଷ ଓ ଜେନାପୁର ଠାରେ ବୃଦ୍ଧି ପାଇଥିବାବେଳେ ବୈତରଣୀର ଜଳସ୍ତର ସ୍ୱମ୍ପାଟଣା ଓ ଆନନ୍ଦପୁର ଠାରେ ବୃଦ୍ଧିପାଇଛି  । ବୁଢ଼ାବଳଙ୍ଗ ନଦୀ ଚନ୍ଦନପୁର, ବାରିପଦା, ବାଲିମୁଣ୍ଡଳୀ ଓ ଏନଏଚ-୫ ଗୋବିନ୍ଦପୁର ଠାରେ ବୃଦ୍ଧି ପାଇଥିବାବେଳେ ଜଳକାର ଜଳସ୍ତର ମଥାନି ରୋଡ଼ ବି୍ରଜ୍ ନିକଟରେ ବଢ଼ିଛି  ।