ଭାବର ଠାକୁର ଶ୍ରୀଜଗନ୍ନାଥ
ମୀରା ବେଉରା : ସମଗ୍ର ପୃଥିବୀରେ ଯେତେ ଦେଶ ଅଛି ସବୁଠାରୁ ଭାରତବର୍ଷ ହେଉଛି ଶ୍ରେଷ୍ଠ ଆଧ୍ୟାତ୍ମିକ ପୁଣ୍ୟ ପବିତ୍ର ଭୂମିର ଦେଶ । ତାହା ମଧ୍ୟରୁ ଉକ୍ରଳ ହେଉଛି ସବୁଠାରୁ ଶ୍ରେଷ୍ଠ ରାଜ୍ୟ ଯାହାର ପରିଚିତି, ମାହାତ୍ମ୍ୟ, ବୈଶିଷ୍ଟ୍ୟ ସବୁ କିଛି ତ ଜଗନ୍ନାଥଙ୍କୁ କେନ୍ଦ୍ର କରି ହୋଇଥାଏ । ସେ ଜଗନ୍ନାଥ ହେଉଛନ୍ତି କୈବଲ୍ୟ ପ୍ରଦାୟକ, ମୁକ୍ତିଦାତା, କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର, ମଉଡ଼ମଣି, ନୀଳାଦ୍ରିନାଥ, ପ୍ରଭୁ ଜଗନ୍ନାଥ । ସେ ପୁଣି ସମଗ୍ର ପୃଥିବୀବାସୀଙ୍କ ନିଃଶ୍ୱାସ, ବିଶ୍ୱାସ ଓ ପରମାରାଧ୍ୟ । ସେ କୋ÷ଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି ଓ ସଂପ୍ରଦାୟର ଠାକୁର ନୁହନ୍ତି, ସେ ଶୈବ, ଶାକ୍ତ, ଜୈନ୍ୟ, ବୋ÷ଦ୍ଧ, ଶବର, ବୈଷ୍ଣବ ଆଦି ସମସ୍ତଙ୍କର ଉପାସ୍ୟ ଠାକୁର । ଓଡ଼ିଆର ଜୀବନଚର୍ଯ୍ୟା, ସଂସ୍କୃତି, ପର୍ବପର୍ବାଣି, ପୋଷାକ, ପରିଚ୍ଛଦ, ଆଚାର ବ୍ୟବହାର ସବୁକିଛି ଜଗନ୍ନାଥ ସଂସ୍କୃତିକୁ ନେଇ । ସେଇଥିପାଇଁ ତ ପୃଥିବୀରେ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପ୍ରଦେଶ ଅଟେ । ଯେଉଁ ଜାତିର କଳା କୋଣାର୍କର ନିଦର୍ଶନ ଓ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ଆଖିରୁ ନିଦ ହଜାଇ ଦିଏ ପୁଣି ଯେଉଁ ଓଡ଼ିଆ ରାଜ୍ୟର ରାଜା ରାଜ ସିଂହାସନ ପରିତ୍ୟାଗ କରି ବିଶ୍ୱ ଐତିହ୍ୟର ଜୟଯାତ୍ରା ରଥ ଯାତ୍ରାରେ ଝାଡ଼ୁଦାର ହେବାପାଇଁ ଅଧିକ ପସନ୍ଦ କରିଥିଲେ ଇଏ ସେହି ଉକ୍ରଳ ଯେଉଁଠି ରଥଯାତ୍ରା ସମୟରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତ ଭକ୍ତ ଧାଇର୍ ଆସନ୍ତି ପୃଥିବୀର ବିଭିନ୍ନ କୋଣରୁ କେବଳ ପ୍ରଭୁଙ୍କ ଦର୍ଶନ ପାଇଁ । ପ୍ରଭୁ ମଧ୍ୟ ପାଗଳ ହୁଅନ୍ତି ଭକ୍ତଙ୍କୁ ଭେଟିବାପାଇଁ । ଏମିତି କଥାକୁହା ଠାକୁର ପୃଥିବୀରେ ଅନ୍ୟ କୋ÷ଣସି ରାଷ୍ଟ୍ରରେ ଦେଖା ଯାଆନ୍ତି ନାହିଁ । ସର୍ବଧର୍ମର ଅପୂର୍ବ ସମନ୍ୱୟ ହୋଇଥିବା ଜଗନ୍ନାଥ ସଂସ୍କୃତି ବିଶ୍ୱବିଦିତ । ପୃଥିବୀର ପ୍ରତ୍ୟେକ ଧର୍ମ ଜଗନ୍ନାଥ ସଂସ୍କୃତିରେ ସମାହିତ । ମହାପ୍ରଭୁ କେବଳ ରଥଯାତ୍ରାରେ ହିଁ ଗର୍ଭଗୃହର ରତ୍ନ ସିଂହାସନରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଦର୍ଶନ ଦେଇଥାନ୍ତି । ସେହି ପ୍ରକୃତରେ ମାନବତାର ଜୟଯାତ୍ରାର କାରଣ । ସେ ହିଁ ପୁଣି ସର୍ବଧର୍ମ ସମନ୍ୱୟର ପ୍ରତୀକ । ପୁଣି ଶାନ୍ତି, ମୈତ୍ରୀ ଓ ପ୍ରୀତିର ଠାକୁର ।
ଏ ସମଗ୍ର ବିଶ୍ୱରେ ମାନବ ଧର୍ମ ହିଁ ସବୁଠାରୁ ଶ୍ରେଷ୍ଠ ଧର୍ମ ଯିଏ ପତିତ ଉଦ୍ଧାର ପାଇଁ ଦୁଃଖି ଦରିଦ୍ରଙ୍କୁ ଦେଖିବା ପାଇଁ ସେମାନଙ୍କ ଠାରୁ ଦୁଃଖ ରୋଗ ଶୋକରୁ ଅପହରଣ କରିବାପାଇଁ ପ୍ରଭୁ ନିଜେ ରତ୍ନ ବେଦୀରୁ ଓହ୍ଲାଇ ଆସିଛନ୍ତି । ସିଏ ମୋ ପ୍ରଭୁ ଜଗନ୍ନାଥ । ସର୍ବଦା ଶାନ୍ତି, ମୈତ୍ରୀ ପ୍ରୀତିର ଗୀତ ଗାଆନ୍ତି । ସେ ସବୁବେଳେ ସାଧାରଣ ମଣିଷମାନଙ୍କୁ ଚେତାଇ ଦିଅନ୍ତି ଯେ ମଣିଷ ବଡ଼ ନୁହେଁ, ମଣିଷପଣିଆ ବଡ଼ । ଜାତି ବଡ଼ ନୁହେଁ, ଧର୍ମ ବଡ଼ ନୁହେଁ; ଜଗତ ବଡ଼, ଭକ୍ତ ବଡ଼ । ହାତ ନଥାଇ ହାତ ପତାଇ ଦାସିଆ ବାଉରୀ ହାତରୁ ନଡ଼ିଆ ଖାଆନ୍ତି ପୁଣି ଗୋଡ଼ ନଥାଇ ପାଦରେ ଚାଲିଚାଲି ବାଇଗଣ କିଆରିରେ ପଶି ଜୟଦେବଙ୍କ ଗୀତଗୋବିନ୍ଦ ଶୁଣି ପାଟବସ୍ତ୍ର ଚିରନ୍ତି । ପୁଣି ବଳରାମଙ୍କ ବାଲିରଥରେ ଚାଲି ଚାଲି ଆସି ବସି ପଡ଼ନ୍ତି । ପାଟି ନଥାଇ କଥା କୁହନ୍ତି, ସବରୀ ଅଇଁଠା କୋଳି ତାଙ୍କ ପାଇଁ ପୁଣି ଦୁର୍ଲ୍ଲଭ । କାନ ନଥାଇ ଲକ୍ଷେ ଯୋଜନରୁ ଗଜ, ମୃଗୁଣୀ, ଦ୍ରୋ÷ପଦୀଙ୍କ ବିକଳ ସହି ନପାରି କଷ୍ଟ ନିବାରଣ ପାଇଁ ଧାଇଁ ଆସନ୍ତି । ସେ ହିଁ ମୋ ପ୍ରଭୁ ଜଗନ୍ନାଥ । ପାଟି ନଥାଇ ଷାଠିଏ ପଉଟି ଖାଦ୍ୟ ସେ ଭୁଂଜନ୍ତି । ସେ ପୁଣି ଭାବର ଠାକୁର, ସ୍ପର୍ଶର ଠାକୁର । ସୁଦାମାର ଖୁଦ ଭଜା ପ୍ରଭୁଙ୍କୁ ଅମୃତ ଲାଗେ । ପ୍ରତିବର୍ଷ ରଥଯାତ୍ରାରେ ମାନବପ୍ରେମରେ ଉଦବୁଦ୍ଧ ହୁଅନ୍ତି । କେବଳ ସେତିକି ନୁହେଁ, ଋତୁ ଓ ପର୍ବପର୍ବାଣି ଅନୁଯାୟୀ ତାଙ୍କର ବେଶ ବଦଳାନ୍ତି, ଚନ୍ଦନଲାଗି ହୁଅନ୍ତି । ସୁବାସିତ ପାଣିରେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରନ୍ତି । ପୁଣି ବିଭିନ୍ନ ସୁବାସିତ ଫୁଲରେ ଶୃଙ୍ଗାର ହୁଅନ୍ତି । ମହାପ୍ରଭୁଙ୍କ ପୁଷ୍ପ ଅଳଙ୍କାର ପାଇଁ ଯେଉଁ ଫୁଲ ସଂଗୃହୀତ ହୁଏ ସେଥିରେ ଥାଏ ଚମ୍ପା, ଗେଣ୍ଡୁ, ଗୋଲାପ, ତରାଟ, ମାଳତୀ, ଟଗର, ପଦ୍ମ, ଜୁଇ, ଯାଇ, ମଲ୍ଲୀ, ହେନା ଇତ୍ୟାଦି । ଏହି ପୁଷ୍ପାଳଙ୍କାରରେ ଯାହାଙ୍କର ବେଶୀ ପ୍ରାଧାନ୍ୟ ଥାଏ ସେ ହେଲେ ତୁଳସୀ ଓ ଦୟଣା । ଶ୍ରୀଭୁଜରେ ତୁଳସୀ ଓ ଶ୍ରୀକଣ୍ଠରେ ଦୟଣା ଲଗାଇ ସେ ଦିଶନ୍ତି ଅତ୍ୟନ୍ତ ମନୋରମ । ଯାହାକୁ ଦେଖିବାପାଇଁ ଦେବତାମାନେ ମଧ୍ୟ ଧାଇଁ ଆସନ୍ତି । ବେଳେ ବେଳେ ମନରେ ପ୍ରଶ୍ନ ଉଙ୍କି ମାରେ ପିଲାଦିନେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ କାଠ ପିତୁଳାରେ ଗଢ଼ା ଅସଂପୂର୍ଣ୍ଣ ଠାକୁରଙ୍କୁ ଦେଖିବା ପାଇଁ କାହିଁକି ବର୍ଷସାରା ଏତେ ଭକ୍ତ ଆସନ୍ତି, ଭିଡ଼ ଜମାନ୍ତି ପ୍ରଭୁଙ୍କୁ ଦେଖିବାପାଇଁ । ସତରେ କଣ ଜଗନ୍ନାଥ ଦୁଃଖ ଶୁଣନ୍ତି, କଥା ହୁଅନ୍ତି । ଏତେ ଆକର୍ଷଣ କଣ ପାଇଁ? ଇଏ ପୁଣି ସେହି ଠାକୁର ଯିଏ ଦାସଆ ଠାରୁ ଅଛୁଆଁ ହୋଇ ମଧ୍ୟ ନଡ଼ିଆ ହାତ ବଢ଼ାଇ ନେଇ ଖାଆନ୍ତି । ପୁଣି ଭକ୍ତ ସାଲବେଗ ଜାତିରେ ମୁସଲମାନ ହେଲେ ମଧ୍ୟ ତାଙ୍କୁୁ କୋଳେଇ ନେଇଥିଲେ । କେବଳ ସେତିକି ନୁହେଁ ବଳରାମ ଦାସଙ୍କ ପାଇଁ ସମୁଦ୍ରକୂଳ ବାଲିରେ ବଳରାମ ଦାସ ଗଢ଼ିଥିବା ରଥରେ ବସି ପଡ଼ିଲେ । ପୁଣି ସେତିକି ନୁହେଁ ବନ୍ଧୁ ମହାନ୍ତିଙ୍କୁ ସୁନା ଥାଳିରେ ଅର୍ଦ୍ଧରାତ୍ରିରେ ଅଭଡ଼ା ପରସି ଦେଇଥିଲେ । ଯେତେବେଳେ ପୁରୀର ଦଇତାପତିମାନେ ଭକ୍ତ ବଳରାମ ଦାସଙ୍କୁ ରଥରୁ ମାଡ଼ ମାରି ତଡ଼ି ଦେଇଥିଲେ, ଦୁଃଖ ଅପମାନ ଓ କ୍ଷୋଭର ଜ୍ଜ୍ୱଳାରେ ହୃଦୟ ଫାଟି ପଡ଼ୁଥିଲା ବଳରାମଙ୍କର । ଆଖିରୁ ବୋହି ଯାଉଥିଲା ଧାର ଧାର ଅଶ୍ରୁ । ସେ ଏକ ମୁହାଁ ହୋଇ ଚାଲିଥାନ୍ତି ସମୁଦ୍ର କୂଳ ରାସ୍ତାରେ । ମନରେ ଯାତ ହେଲା ଠାକୁରଙ୍କ ପ୍ରତି ଅଜସ୍ର ଅଭିମାନ । ରଥରେ ଚଢ଼ି ଠାକୁରଙ୍କୁ କୁଣ୍ଢେଇବା କଣ ମୋର ଅପରାଧ ଥିଲା? ଆଜି ଯେତେବେଳେ ଦଇତାପତିମାନେ ମୋତେ ଗାଳି କରି ତଳକୁ ଠେଲି ଦେଲେ ତୁ କେମିତି ସହିଲୁ ଯେ? କାଠରେ ଗଢ଼ା ବୋଲି ତୋର କଣ ହୃଦୟ ନାହିଁ । ଅଶ୍ରୁ ବୋହୁଥିଲା ଧାର ଧାର ହୋଇ ମୁହଁରୁ । ଏହାପରେ ସେହି ସମୁଦ୍ରବାଲି ଉପରେ ଗଢ଼ିଲେ ତିନୋଟି ବାଲି ରଥ । ସେହି ବାଲି ରଥରେ ଚିତ୍ରକରି ବିଜେ କରାଇଲେ ତିନି ଠାକୁରଙ୍କୁ । ଅଶ୍ରୁଳ ନୈବେଦ୍ୟରେ ବଳରାମ ପ୍ରାର୍ଥନା କରି କହିଲେ “ହେ ପ୍ରଭୁ! କାଳିଆ, ବଳିଆ, ମା ସୁଭଦ୍ରା! ଯଦି ମୁଁ ସତରେ ତୁମମାନଙ୍କୁ ଅନ୍ତରରୁ ଭଲ ପାଉଥିବି ଆଉ ଭକ୍ତି କରୁଥିବି, ମୋ ହୃଦୟରେ ଯଦି ପ୍ରକୃତରେ ତୁମମାନଙ୍କପାଇଁ ସ୍ନେହ, ଶ୍ରଦ୍ଧା, ଭକ୍ତି ଥିବ, ତେବେ ତିନି ଠାକୁର ମୋର ଏହି ବାଲିରଥରେ ବିଜେ କରିବ । ଆଉ ବଡ଼ଦାଣ୍ଡରେ ଚାଲିବ ନାହିଁ ରଥ । ଏହି ମୁହୂର୍ତ୍ତରୁ ରଥ ଅଚଳ ହୋଇଯିବ । ଗୋଟିଏ ପାଦ ଆଉ ଆଗକୁ ଯିବ ନାହିଁ । ସତକୁ ସତ ନନ୍ଦିଘୋଷ ରଥରେ ଘୋଡ଼ା ଯୋଚା ଯାଇ ରଥଟଣା ଆରମ୍ଭ ହେଲା । କିନ୍ତୁ ହଠାତ୍ ରଥ ଥମ୍ କରି ରହିଗଲା, ରଥ ଆଉ ଘୁଞ୍ଚôଲା ନାହିଁ । ସ୍ୱୟଂ ଗଜପତି ଯେତେ ନେହୁରା ହେଲେ, ପ୍ରାର୍ଥନା କଲେ ତଥାପି ରଥ ଚାଲିଲା ନାହିଁ । ସମସ୍ତେ କ୍ଷମା ମାଗିଲେ । ଏହା ପରେ ତୃତୀୟ ଦିନରେ ରାତ୍ରରେ ଜଗନ୍ନାଥ ରାଜା ପ୍ରତାପରୁଦ୍ରଦେବଙ୍କୁ ସ୍ୱପ୍ନରେ କହିଲେ ମୋର ଭକ୍ତ ବରଳରାମ ଦାସ ତା’ ବାଲିରଥରେ ମୋତେ ବନ୍ଦୀ କରି ରଖିଛି । ମହାରାଜା ଚିନ୍ତା କଲେ ସାମାନ୍ୟ ବେଶ୍ୟାଯୁକ୍ତ ମଣିଷ ପାଇଁ ପ୍ରଭୁଙ୍କର ଏତେ ଦରଦ! ଗଜପତି କ୍ଷମତାର ଅହଂକାରରେ ସବୁ ଭୁଲି ଯାଇଥିଲେ । ସେ ଭାବର ଠାକୁର ବୋଲି ପ୍ରତି ମୁହୂର୍ତ୍ତରେ ଚେତାଇ ଦେଇଛନ୍ତି । ସେ ଶାସ୍ତ୍ରରେ, ଶବ୍ଦରେ, ନୀତି ନିୟମରେ, ଶ୍ଲୋକରେ, ଛୁଆଁ ଅଛୁଆଁରେ ପାପପୁଣ୍ୟ ଭିତରେ ବାନ୍ଧି ରହନ୍ତି ନାହିଁ । ସେ ଯୁଗେ ଯୁଗେ ଭକ୍ତର ଭକ୍ତିରେ ବନ୍ଧା । ଏହାପରେ ସମଗ୍ର ପୁରବାସୀ ଜାଣିବାକୁ ପାଇଲେ ବଳରାମ ଦାସଙ୍କୁ ଅପମାନ କରି ରଥରୁ ତଡ଼ି ଦେଇଥିବାରୁ ଜଗନ୍ନାଥ ଆଉ ରଥରେ ନାହାନ୍ତି । ସେଥିପାଇଁ ରଥ ଆଉ ଚାଲୁନି । ସମସ୍ତେ ଧାଇଁଲେ ସମୁଦ୍ରକୂଳ, ଯେଉଁଠି ବାଲିର ରଥ ହୋଇଥିଲା । ମହାରାଜା କ୍ଷମା ପ୍ରାର୍ଥନା କଲେ । ସମସ୍ତେ ବଳରାମଙ୍କୁ ବଡଦାଣ୍ଡରୁ ପାଛୋଟି ଆଣିଲେ । ବଳରାମ ଦାସ ଯେମିତି ଆସି ପ୍ରଭୁ ଜଗନ୍ନାଥଙ୍କ ଦଉଡ଼ିରେ ହାତ ଦେଇଛନ୍ତି ଜୟ ଜଗନ୍ନାଥ ଓ ହରିବୋଲ ମିଳିତ ଧ୍ୱନିରେ ଘର୍ଘର ନାଦ କରି ବଡ଼ଦାଣ୍ଡରେ ରଥ ଗଡ଼ିଗଲା । ଭକ୍ତର ଠାକୁରଙ୍କ ନନ୍ଦିଘୋଷ ରଥ ଗଡ଼ି ଚାଲିଲା । ଆଜି ବି ଠିକ ସେହିଠାରେ ଭକ୍ତ ବଳରାମ ଦାସଙ୍କ ସ୍ମାରକୀ ସ୍ୱରୂପ ସେଠାରେ ବାଲିଗୁମ୍ଫା ରହିଛି । ସତରେ ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର ।
ପ୍ରତିବର୍ଷ ରଥଯାତ୍ରାରେ ମାନବପ୍ରେମରେ ଉଦବୁଦ୍ଧ ହୁଅନ୍ତି ପ୍ରଭୁ ଜଗନ୍ନାଥ । ଆଜି ଯେତେବେଳେ ସମଗ୍ର ବିଶ୍ୱରେ ଧର୍ମ ଧର୍ମ ଭିତରେ ଜାତି ଜାତି ଭିତରେ, ସଂପ୍ରଦାୟ ସଂପ୍ରଦାୟ ଭିତରେ ଘୃଣ୍ୟଭାବ ସୃଷ୍ଟି ହୋଇଛି । ମଣିଷ ମଣିଷକୁ ଭଲ ପାଇ ପାରୁନି, ସେଇଠି ପ୍ରଭୁ ଜଗନ୍ନାଥ ସମସ୍ତ ବିଶ୍ୱବାସୀଙ୍କୁ ଆପଣାର ବାହୁ ବନ୍ଧନ ଭିତରେ କୋଳେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି । ସୁନ୍ଦର, ଗୋ÷ରବମୟ, ବର୍ଣ୍ଣାଢ଼୍ୟ, ଐତିହ୍ୟମୟ ଦେଶ ଗଢ଼ିବାପାଇଁ ସମସ୍ତେ ମିଳିତ ହୋଇ ଗୋଟିଏ ପରିବାର ଭଳି ବସୁଧୈବକୁଟୁମ୍ଭକମ୍ ରୀତିରେ ଅହଂକାର ଶୂନ୍ୟ ହୋଇ ଆମେ ଯଦି ଦେଶର ତଥା ବିଶ୍ୱର ବିଭିନ୍ନତା ମଧ୍ୟରେ ଏକତାକୁ ବଜାୟ ରଖି ପ୍ରଭୁଙ୍କୁ ସବୁ ଅହମିକା ସମର୍ପି ଦେଇ ପ୍ରତିଯୋଗିତା ମନୋଭାବ ତ୍ୟାଗ କରି ବିଶ୍ୱପ୍ରେମରେ ଉଦବୁଦ୍ଧ ହେବା ତେବେ ତାହାହିଁ ହେବ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆମର ପ୍ରକୃତ ପ୍ରେମଭକ୍ତି ନିବେଦନ ।
ମୋ : ୭୮୬୪୯୨୧୪୦୦