ସିଡିଏସଙ୍କ ମନ୍ତବ୍ୟ ସାହସର ପ୍ରତୀକ


ଗୋପାଳ ମହାପାତ୍ର : ସିଙ୍ଗାପୁରରେ ସଙ୍ଗରି-ଲା ଡ଼ାଇଲଗ ସିକୁ୍ୟରିଟି ଫୋରମ୍ରେ ଯୋଗଦେବା ଅବସରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ଅନୀଲ ଚୌହାନ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଏବଂ ବ୍ଲମବର୍ଗକୁ ଏକ ସାକ୍ଷାତକାରରେ ଅପରେସନ ସିନ୍ଦୂର ସମ୍ପର୍କରେ କେତେକ ସୂଚନା ଦେଇଥିଲେ । ସିଡିଏସ୍ ଯାହା କହିଥିଲେ ତାହା ଭାରତୀୟ ଶଶସ୍ତ୍ରବା ଗଣମାଧ୍ୟମକୁ ଦେଇଥିବା ସୂଚନା ଠାରୁ ଭିନ୍ନ । ଜେନେରାଲ ଚୌହାନ ଅପରେସନ ସିନ୍ଦୂରରେ ଭାରତର ହୋଇଥିବା କ୍ଷତି ସମ୍ପର୍କରେ କହିଥିଲେ କିନ୍ତୁ କେତୋଟି ଏୟାରକ୍ରାଫ୍ଟ ନଷ୍ଟ  ହୋଇଛି ସେକଥାକୁ ଏଡ଼ାଇ ଯାଇଥିଲେ । ଅପରେସନ ସିନ୍ଦୂର ବେଳର କ୍ଷତି ପ୍ରସଙ୍ଗରେ ଏହା ହେଉଛି ପ୍ରଥମ ଅଧିକାରିକ (ଅଫିସିଆଲ) ସ୍ୱୀକୃତି ଯେ ଅପରେସନ ସିନ୍ଦୂରରେ ଫାଇଟର ଜେଟ କ୍ଷତିଗ୍ରସ୍ତ ହୋଇଛି । ଭାରତ- ପାକିସ୍ଥାନ ଜଣେ ଅନ୍ୟ ଜଣକ ବିରୁଦ୍ଧରେ ସେନା କାର୍ଯ୍ୟାନୁଷ୍ଠାନ କରିବେ ନାହିଁବୋଲି ସହମତି ପ୍ରକାଶ ପାଇବାର ୩ ସପ୍ତାହ ପରେ ଭାରତର କ୍ଷତି ହୋଇଥିବା କଥା ଜଣାପଡିଛି । ସିଡିଏସ୍ଙ୍କ ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି । କେତେକ ସିଡିଏସ୍ ବିଦେଶୀ ଗଣମାଧ୍ୟମ ଆଗରେ ଦେଇଥିବା ବିବୃତିକୁ ସମର୍ଥନ କରୁଥିବା ବେଳେ କେତେକ ବିରୋଧ ମଧ୍ୟ କରୁଛନ୍ତି । ସିଡିଏସ୍ ଯାହା କହିଛନ୍ତି ତଦନୁସାରେ ଅପରେସନ ସିନ୍ଦୂରର ପ୍ରଥମ ଦିନ ଭାରତର କ୍ଷତି ପରେ ଭାରତ ତାର ରଣନୀତିରେ ପରିବର୍ତ୍ତନ କରିଥିଲା ଓ ୩ଦିନ ପରେ ଯୁଦ୍ଧବିରତି ଘୋଷଣା ପୂର୍ବରୁ ପାକିସ୍ଥାନର ଅନେକ କ୍ଷତି ହୋଇଥିଲା । ସିଡିଏସ୍ କହିଥିଲେ “ଗୁରୁତ୍ୱପୁର୍ଣ୍ଣ ହେଉଛି ଏହି କ୍ଷତି କାହିଁକି ହେଲା ଏବଂ ଏହା ପରେ ଆମେ କ’ଣ କଲୁ...... ଆମେ ଆମ ରଣନୀତିରେ ପରିବର୍ତ୍ତନ କଲୁ ଏବଂ ପୁଣି ୭.୮ ଏବଂ ୧୦ରେ ପାକିସ୍ଥାନ ଭିତରେ ପଶି ତାର ଏୟାରବେସ ଉପରେ ଆକ୍ରମଣ ହେଲା ଓ ପାକିସ୍ଥାନର ସବୁ ଏୟାର ଡିଫେନ୍ସକୁ ଭେଦକରି ସଠିକ୍ ଆକ୍ରମଣ କରାଗଲା” । ଯୁଦ୍ଧ ସମୟରେ ସତ୍ୟ ସୂଚନାର ମୂଲ୍ୟ ଅଧିକ କିନ୍ତୁ ଏଥି ସହ ମିଛମଧ୍ୟ ରହିଥାଏ । ଏକଥା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ କହିଥିଲେ । ଖେଳରେ ଯେମିତି ହାରିବାର ସମ୍ଭାବନା ହୋଇଥାଏ ଯୁଦ୍ଧରେ ମଧ୍ୟ ସେମିତି । ଆମେରିକାକୁ ଜଣାଥିଲା ଯେ ସେ ଭିଏତନାମ ଯୁଦ୍ଧ ହାରୁଛି କିନ୍ତୁ ଆମେରିକା ଏ କଥାକୁ କେବେ ସ୍ୱୀକାର କରୁନଥିଲା । ୧୯୭୧ ମସିହାରେ ପେଣ୍ଟାଗନ ପେପର୍ସ ଲିକ୍ ହେବା ପରେ ପ୍ରକୃତ ସତ୍ୟ ଜଣାପଡିଥିଲା । ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଆମେରିକା ଚେଷ୍ଟା କରି ମଧ୍ୟ ଆଫଗାନିସ୍ଥାନରେ ନିଜର ସ୍ଥିତିକୁ ସୁଦୃଢ଼ କରି ପାରିନଥିଲା । କିନ୍ତୁ ଆଫଗାନିସ୍ଥାନ ତାର ନିୟନ୍ତ୍ରଣରେ ବୋଲି କହୁଥିଲା । ଏହାର ବିପରୀତ ଭାରତ ଅପରେସନ ସିନ୍ଦୂର ବେଳେ ହୋଇଥିବା କ୍ଷତି ବାବଦରେ ସ୍ପଷ୍ଟବାଦୀ ଥିଲା । ଯୁଦ୍ଧ ବିରତି ଘୋଷଣା ହେବାର ଆର ଦିନ ଅର୍ଥାତ୍ ମେ ମାସ ୧୧ ତାରିଖଦିନ ଏୟାର ଅପରେସନର ନିର୍ଦେଶକ ଏୟାର ମାର୍ଶାଲ ଏକେ ଭାରତୀ ଗଣମାଧ୍ୟମକୁ ସୂଚନା ଦେବା ବେଲେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଭାରତର ଏୟାରକ୍ରାଫ୍ଟ ନଷ୍ଟ ହୋଇଛି କି ନାହିଁ ସେ ବାବଦରେ ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି । ଏୟାର ମାର୍ଶାଲ ଭାରତୀ କହିଥିଲେ ଯେ ସୈନ୍ୟ ଅପରେସନ ବେଳେ କ୍ଷତିହେବା ଏକ ସାଧାରଣ ଘଟଣା କିନ୍ତୁ ଭାରତୀୟ ସେନା ତାର ଉଦେଶ୍ୟ ପୁରଣ କରିପାରିଛି । ସବୁ ବାୟୁସେନା ପାଇଲଟ ଘରକୁ ଫେରିଛନ୍ତି । ଭାରତୀ କହିଥିଲେ ଯେ ପାକିସ୍ଥାନ ବାୟୁସେନାର କିଛି ଏୟାରକ୍ରାଫ୍ଟ ନଷ୍ଟ ହୋଇଛି ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ କାରଣରୁ ତାର ଏୟାରବେସ୍ ମଧ୍ୟ ନଷ୍ଟ ହୋଇଛି । ଅନ୍ୟପକ୍ଷରେ ସିଡିଏସ୍ ଚୌହାନ ରଏଟର୍ସକୁ କହିଛନ୍ତି ଯେ ୧୦ ମଇରେ ଭାରତୀୟ ଏୟାରଫୋର୍ସ (ବାୟୁସେନା) ରାଓଲପିଣ୍ଡିରେ ନୁରଖାନ ଏୟାରବେସ ସହିତ ପାକିସ୍ଥାନର ବହୁତ ଭିତରକୁ ଯାଇ ଆକ୍ରମଣ କରିଥିଲା । ସିଡିଏସ୍ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଥିଲେ । ସେ କହିଥିଲେ ଯେ ପାକିସ୍ଥାନ ଏବଂ ଚୀନ ମଧ୍ୟରେ ଯଦିଓ ଗଭୀର ସମ୍ପର୍କ ରହିଛି କିନ୍ତୁ ଭାରତର କାର୍ଯ୍ୟାନୁଷ୍ଠାନ ବେଳେ ଚୀନ ବାସ୍ତବିକ ଭାବେ ସହଯୋଗ କରୁଥିବାର କୌଣସି ସୂଚନା ମିଳିନଥିଲା ।
    ପାକିସ୍ଥାନ ପକ୍ଷରୁ ଦାବି କରାଯାଇଥିଲା ଯେ ମେ ମାସ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା ଓ ସେହିଦିନ ରାତିରେ ୫ଟି ଭାରତୀୟ ବାୟୁସେନା ଜେଟକୁ ପାକିସ୍ଥାନ ଧ୍ୱଂସ କରିଦେଇଥିଲା । ଭାରତ କିନ୍ତୁ ଏ କଥାକୁ ଖଣ୍ଡନ କରିନଥିଲା । କିନ୍ତୁ ମେ ୧୦ ତାରିଖରେ ଏୟାର ମାର୍ଶାଲ ଭାରତୀ ଗଣମାଧ୍ୟମକୁ କହିଥିଲେ ଯେ “କ୍ଷତି ସେନା କାର୍ଯ୍ୟାନୁଷ୍ଠାନର ଏକ ଅଂଶ ବିଶେଷ ।” କିନ୍ତୁ ସିଡିଏସ୍ କହିଛନ୍ତି ଯେ ମେ ମାସ ୭ ତାରିଖରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତର କିଛି କ୍ଷତି  ହୋଇଥିଲା କିନ୍ତୁ ପାକିସ୍ଥାନ ଭାରତର କ୍ଷତି ବାବଦରେ ଯାହା କହୁଛି ତାହା ଠିକ୍ ନୁହେଁ । ସିଡିଏସ୍ଙ୍କ ଏହି ସ୍ୱୀକୃତି ଭାରତର ସାହାସିକତାର ପ୍ରଦର୍ଶନ ନିଶ୍ଚୟ । ଅପରେସନ ସିନ୍ଦୂରର ସମସ୍ତ ଉଦେଶ୍ୟ ସଫଳ ହୋଇଥିବାରୁ ଭାରତ କ୍ଷତି ସମ୍ପର୍କରେ କିଛି ଲୁଚାଇବାର ଆବଶ୍ୟକ ନାହିଁ । ଏଣୁ ସିଡିଏସ୍ଙ୍କ ବୟାନକୁ ନେଇ ଅଧିକ ବିବାଦ ସୃଷ୍ଠି ହେବା ଅନାବଶ୍ୟକ । ଏବେ ଯୁଦ୍ଧ ବିରତି ହୋଇଛି ଅର୍ଥାତ୍ ସେନା ଅପରେସନ ସ୍ଥଗିତ କରାଯାଇଛି, ସମାପ୍ତ କରାଯାଇନାହିଁ । ସିଡିଏସ୍ କହିଥିଲେ ଯେ ଅପରେସନ ସମୟରେ ୧୫ ପ୍ରତିଶତ ସମୟ ଫେକ୍ନୁ୍ୟଜ୍ ବା ଭୁଲ ସମ୍ବାଦର ଖଣ୍ଡନ କରିବାରେ ବିତିଯାଉଥିଲା । ସିଡିଏସ୍ ଯାହା କହିଛନ୍ତି ତାହା ସତ୍ୟ ନିଶ୍ଚୟ ଏବଂ ଏଥିପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଅନାବଶ୍ୟକ ।
ରାମଚନ୍ଦ୍ରପୁର, ରଣପୁର,ମୋ:୯୪୩୮୪୮୫୦୯୪