ଏଆଇଟିୟୁସିର ବିକ୍ଷୋଭ ପ୍ରଦର୍ଶନ

  ବ୍ରହ୍ମପୁର: କର୍ମଚାରୀ ଭବିଷ୍ୟନିଧି ସଂଗଠନର କେନ୍ଦ୍ରୀୟ କମିଟିରେ ଅଖିଳ ଭାରତ ଟ୍ରେନ ୟୁନିୟନର କଂଗ୍ରେସ(ଏଆଇଟିୟୁସି)କୁ ସାମିଲ୍ କରିବା ଦାବିରେ ଅଖିଳ ଭାରତ ଟ୍ରେନ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ କେନ୍ଦ୍ରଶ୍ରମ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର କମିଶନର ପ୍ରକାଶ ନାରାୟଣ ସିଂଙ୍କୁ  ପ୍ରଦାନ କରାଯାଇଛି ।
ଏଆଇଟିୟୁସିର ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରୁ ପ୍ରଥମେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆଞ୍ଚଳିକ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚôବା ପରେ ଶ୍ରମିକ ନେତା ପ୍ରବୀଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା । ଏଥିରେ ଶ୍ରମିକ ନେତାମାନେ ଉଦ୍ବୋଧନ ଦେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ନବ ଗଠିତ କେନ୍ଦ୍ରୀୟ କମିଟିରୁ ଭାରତର ସର୍ବ ପୁରାତନ ଓ ସର୍ବ ବୃହତ ଶ୍ରମିକ ସଂଗଠନ ଏଆଇଟିୟୁସିକୁ ବାଦ ଦେଇଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏଥିସହିତ ଯଥା ଶୀଘ୍ର କେନ୍ଦ୍ରୀୟ କମିଟିରେ ଏଆଇଟିୟୁସିକୁ ସାମିଲ କରିବା ପାଇଁ ଦୃଢ଼ ଦାବି କରିଥିଲେ । ଅନ୍ୟଥା ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ପରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି, ପ୍ରଦୀପ ସେଠୀ, କାମଦେବ ନାହାକ, ପ୍ରବୀଣ ଦାଶ, ହରି ହର ପାତ୍ର ଓ ରୋହିତ ବିଷୋୟୀ ଏକ ପ୍ରତନିଧି ଦଳରେ ଯାଇ ଶ୍ରମ କମିଶନରଙ୍କୁ ଉପରୋକ୍ତ ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବ ସାଥି ଅଳକ ନାଥ ମିଶ୍ର, ଦଣ୍ଡ ପାଣି ସାମଲ, ଦଣ୍ଡ ପାଣି ପାତ୍ର, ପଞ୍ଚାନନ ସ୍ୱାଇଁ, ବିଜୟ ସାମନ୍ତରା, ଜ୍ୟୋସ୍ନା ମହାରଣା,  କୈଳାସ ଦାସ, ପ୍ରଫୁଲ୍ଲ ଜେନା, ମହମ୍ମଦ ଉଷ୍ମମାନ, ରବୀନ୍ଦ୍ର, ମମତାଜ ଖୁଟିଆ, ନର୍ମଦା ନାହାକ, ଜେ ଶଙ୍କର ପାତ୍ର, ସାନିଆ ପ୍ରଧାନ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।