‘ଏଇ ଦଶନ୍ଧି ଦେଖିବ ଓଡ଼ିଶାର ସମୃଦ୍ଧି’

‘ଏଇ ଦଶନ୍ଧି ଦେଖିବ ଓଡ଼ିଶାର ସମୃଦ୍ଧି’

 ଭୁବନେଶ୍ୱର: ପୂର୍ବ ଦଶନ୍ଧିଗୁଡ଼ିକ ଓଡ଼ିଶାର ଗରିବୀ ଦେଖିଲା, ହେଲେ ଏଇ ଦଶନ୍ଧି ଓଡ଼ିଶାର ସମୃଦ୍ଧି ଦେଖିବ  । ଓଡ଼ିଶା ଉପରେ କେନ୍ଦ୍ର ସରକାର ଫୋକସ କରୁଛନ୍ତି  । ପ୍ରକୃତି ଓଡ଼ିଶାକୁ ବହୁତ କିଛି ଦେଇଛି  । ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି, ବଡ଼ ବଡ଼ କମ୍ପାନୀ ପ୍ରତିଷ୍ଠା ସହ ଜନମଙ୍ଗଳକାରୀ ଯୋଜନା ଦ୍ୱାରା ରାଜ୍ୟର ପ୍ରଗତି କରାଯାଉଛି  । ଡବଲ ଇଞ୍ଜିନ ସରକାର ରାଜ୍ୟର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  । 
ଜୟ ଜଗନ୍ନାଥ, ଜୟ ମା’ ସମଲେଇ, ଜୟ ମା’ ରାମଚଣ୍ଡୀ କହି ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କୁ ଲୋକପ୍ରିୟ ଓ କର୍ମଠ ବିଶେଷଣରେ ଭୂଷିତ କରିଥିଲେ  । ସେ କହିଥିଲେଯେ, ବିଧାନସଭା ନିର୍ବାଚନ ସମୟରେ ଆପଣମାନେ ଏକ ନୂଆ ସଂକଳ୍ପ ସହ ଆଗକୁ ବଢ଼ିବାକୁ ସଂକଳ୍ପ ନେଇଥିଲେ  । ବିକଶିତ ଓଡ଼ିଶାର ସଂକଳ୍ପ ନେଇଥିଲେ ଓଡ଼ିଶାବାସୀ  । ଆଜି ଓଡ଼ିଶା ଡବଲ ଇଞ୍ଜିନ ବେଗରେ ଆଗକୁ ବଢୁଛି  । ଓଡ଼ିଶାର ବିକାଶ ପାଇଁ, ଦେଶର ବିକାଶ ପାଇଁ ହଜାର ହଜାର କୋଟିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି  । ଆଜି ବିଏସଏନଏଲର ନୂଆ ଅବତାର ବି ସାମ୍ନାକୁ ଆସିଛି  । ବିଏସଏନଏଲର ସ୍ୱଦେଶୀ ୪ଜି ସେବାର ଶୁଭାରମ୍ଭ ହୋଇଛି  । ଓଡ଼ିଶାରେ ଶିକ୍ଷା, ଦକ୍ଷତା ସହ ଜଡ଼ିତ ପ୍ରକଳ୍ପର ବି ଲୋକାର୍ପଣ ହୋଇଛି  । ବ୍ରହ୍ମପୁରରୁ ସୁରତ ପର୍ଯ୍ୟନ୍ତ ଆଧୁନିକ ଅମୃତ ଭାରତ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି  । ପଶ୍ଚିମବଙ୍ଗ ପରେ ଗୁଜୁରାଟର ସୁରତରେ ଅଧିକ ଓଡ଼ିଆ ରହୁଛନ୍ତି  । ସୁରତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଉପସ୍ଥିତ ଅଛନ୍ତି  । ବିଜେପି ଗରିବଙ୍କୁ ସଶକ୍ତ କରୁଥିବା ସରକାର  । ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ  ।
ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭାର୍ଥôଙ୍କୁ କାର୍ଯ୍ୟାଦେଶ ପ୍ରଦାନର ସୌଭାଗ୍ୟ ମିଳିଲା  । ୪ କୋଟିରୁ ଅଧିକ ଗରିବ ପରିବାରଙ୍କୁ ଆମ ସରକାର ପକ୍କା ଘର ଦେଇସାରିଛି  । ଓଡ଼ିଶାରେ ବି ଏହି କାର୍ଯ୍ୟ ଦ୍ରୁତଗତିରେ ଚାଲିଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ପ୍ରଶଂସନୀୟ କାମ କରୁଛନ୍ତି  । ଓଡ଼ିଶାର ସାମର୍ଥ୍ୟ ଓ ଲୋକଙ୍କ ପ୍ରତିଭା ଉପରେ ମୋର ବିଶ୍ୱାସ ରହିଛି  । ପ୍ରକୃତି ଓଡ଼ିଶାକୁ ବହୁତ କିଛି ଦେଇଛି  । ବହୁ ଦଶନ୍ଧି ଧରି ଓଡ଼ିଶା ଗରିବୀ ଦେଖିଛି  । ଏହି ଦଶନ୍ଧି ଦେଖିବ ଓଡ଼ିଶାର ପ୍ରଗତି  । ବଡ଼ ବଡ଼ ପ୍ରକଳ୍ପ ଆମେ ଓଡ଼ିଶାକୁ ଆଣୁଛୁ  । ଏବେ ଦୁଇ ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଓଡ଼ିଶାରେ ସେମି କଣ୍ଡକ୍ଟର ପାର୍କ ବି ହେବ  । ଓଡ଼ିଶାରେ ଏବେ ଚିପ୍ ତିଆରି ହେବ  । ଚିପ୍ରୁ ନେଇ ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ  । ପାରାଦୀପରୁ ନେଇ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବିଶାଳ ଔଦ୍ୟୋଗିକ କ୍ଷେତ୍ରର ନିର୍ମାଣ ହେଉଛି  । ଜାହାଜ ଉତ୍ପାଦନ ପାଇଁ ୭୦ ହଜାର କୋଟିର ପ୍ୟାକେଜ୍ କରାଯାଇଛି  । ସାଢ଼େ ୪ ଲକ୍ଷ କୋଟିର ନିବେଶ ଆସିବ  । ଆଜି ଦେଶ ଆତ୍ମନିର୍ଭର ଆଡ଼କୁ ବଡ଼ ପଦକ୍ଷେପ ନେଇଛି  । ଟେଲିକମ୍ କ୍ଷେତ୍ରରେ ଭାରତ ବହୁ ପଛରେ ରହି ଯାଇଥିଲା  ।
ବିଏସଏନଏଲ ଭାରତରେ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୪ଜି ପ୍ରଯୁକ୍ତିବିଦ୍ୟା ସଫଳତାର ସହିତ ବିକଶିତ କରିଛି ବୋଲି ସେ ଗର୍ବର ସହିତ କହିଥିଲେ  । ଭାରତୀୟ କମ୍ପାନୀଗୁଡ଼ିକ ଏବେ ବିଶ୍ୱର ପାଞ୍ଚଟି ମନୋନୀତ ଦେଶ ମଧ୍ୟରେ ଭାରତକୁ ସ୍ଥାନିତ କରିଛନ୍ତି ଯେଉଁଠାରେ ୪ଜି ସେବା ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ଅଛି  । ବିଏସଏନଏଲର ସ୍ୱଦେଶୀ ୪ଜି ନେଟୱାର୍କ ଝାରସୁଗୁଡାରୁ ଆରମ୍ଭ ହେଉଛି  । ଯେଉଁଥିରେ ପ୍ରାୟ ଏକ ଲକ୍ଷ ୪ଜି ଟାୱାର ଅନ୍ତର୍ଭୁକ୍ତ  । ପୂର୍ବରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ନଥିବା ପ୍ରାୟ ତିରିଶ ହଜାର ଗ୍ରାମକୁ ଏହି ପଦକ୍ଷେପ ମାଧ୍ୟମରେ ସଂଯୋଗ କରାଯିବ ।
ପ୍ରଧାନମନ୍ତ୍ରୀ କହିଥିଲେ, ହଜାର ହଜାର ଗ୍ରାମ ଏହି ଐତିହାସିକ ଦିନକୁ ସାକ୍ଷୀ ରଖିବା ପାଇଁ ଆଭାସୀ ମାଧ୍ୟମରେ ଯୋଡି ହୋଇଛନ୍ତି  । ହାଇ-ସ୍ପିଡ୍ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ଏହି କାର୍ଯ୍ୟକ୍ରମକୁ ଶୁଣି ଏବଂ ଦେଖିପାରୁଛନ୍ତି  । କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଆସାମରୁ ଯୋଡି ହୋଇଥିବା ସେ କହିଥିଲେ  । ବିଏସଏନଏଲର ସ୍ୱଦେଶୀ ୪ଜି ସେବା ଆଦିବାସୀ ଅଞ୍ଚଳ, ଦୁର୍ଗମ ଗ୍ରାମ ଏବଂ ପାହାଡ଼ିଆ ଅଞ୍ଚଳ ପାଇଁ  ସର୍ବାଧିକ ଲାଭଦାୟକ ହେବ  । ଗ୍ରାମାଞ୍ଚଳର ପିଲାମାନେ ଅନଲାଇନ୍ରେ ପାଠ ପଢ଼ିପାରିବେ  । ଆଜି ଉଦଘାଟନ ହୋଇଥିବା ବିଏସଏନଏଲ ଟାୱାରଗୁଡ଼ିକ ୫ଜି ସେବା ବି ଦେଇପାରିବ  ।  
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ଦେଶବ୍ୟାପୀ ଶିକ୍ଷା ଏବଂ ଦକ୍ଷତା ବିକାଶରେ ହେଉଥିବା ଅଭୂତପୂର୍ବ ନିବେଶ ଉପରେ ଆଲୋକପାତ କରିଥିଲେ  । ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକ୍ନିକ୍ ଆଧୁନିକୀକରଣ ପାଇଁ ମେରିଟ ନାମକ ନୂତନ ଯୋଜନା ଆରମ୍ଭ କରାଯାଇଛି  । ଦେଶର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ସମ୍ପ୍ରଦାୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁବିଧା ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଅଭୂତପୂର୍ବ ପ୍ରୟାସ ଚାଲିଛି  । ଲୋକମାନେ ପୂର୍ବ ପରିସ୍ଥିତି ବିଷୟରେ ଭଲ ଭାବରେ ଜାଣନ୍ତି । ବିରୋଧୀ ଜନତାଙ୍କୁ ଶୋଷଣ କରିବାର ସୁଯୋଗ କେବେ ହାତଛଡ଼ା କରିନାହାଁନ୍ତି ବୋଲି ସେ ଦୃଢ଼ ଭାବରେ କହିଥିଲେ । ତାଙ୍କ ସରକାର ଅଧୀନରେ, ଦ୍ୱିଗୁଣିତ ସଞ୍ଚୟ ଏବଂ ଦ୍ୱିଗୁଣିତ ରୋଜଗାରର ଏକ ନୂତନ ଯୁଗ ଆରମ୍ଭ ହୋଇଛି  । ଜିଏସଟି ସଂସ୍କାର ଦ୍ୱାରା ଲୋକମାନଙ୍କର ଅର୍ଥ ସଞ୍ଚୟ ହୋଇପାରିବ  । ଓଡ଼ିଶାରେ ଗୋଟିଏ ପରିବାର ପ୍ରତିବର୍ଷ ତେଜରାତି ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ର ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ  । ଏମାନେ ୨୦୧୪ ପୂର୍ବରୁ ତକôାଳୀନ ଶାସକ ସରକାରଙ୍କ ସମୟରେ ୨୦ ହଜାରରୁ ୨୫ ହଜାର ଟଙ୍କାର ଟିକସ ଦେଉଥିଲେ  । ୨୦୧୭ରେ ବିଜେପି ସରକାର ଜିଏସଟି ପ୍ରଚଳନ ପରେ ଏହି ଟିକସ ପରିମାଣ ହ୍ରାସ ପାଇଥିଲା । ବର୍ତ୍ତମାନ, ଟିକସ ବୋଝ ଯଥେଷ୍ଟ ହ୍ରାସ ପାଇଛି  । ପରିବାରଗୁଡ଼ିକ ବାର୍ଷିକ ମାତ୍ର ୫ ହଜାରରୁ ୬ ହଜାର ଟଙ୍କାର ଟିକସ ଦେଉଛନ୍ତି । ବିରୋଧୀ ଯୁଗ ତୁଳନାରେ, ପରିବାରଗୁଡ଼ିକ ଏବେ ପ୍ରତିବର୍ଷ ଏପରି ଖର୍ଚ୍ଚ ପାଇଁ ୧୫ ହଜାରରୁ ୨୦ ହଜାର ଟଙ୍କା ସଞ୍ଚୟ କରୁଛନ୍ତି ବୋଲି ସେ କହିଥିଲେ  ।
ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ଜୀବିକା ପାଇଁ ଜଙ୍ଗଲ ଉତ୍ପାଦ ଉପରେ ନିର୍ଭର କରନ୍ତି  । କେନ୍ଦୁପତ୍ର ଉପରେ ଜିଏସଟି ଯଥେଷ୍ଟ ହ୍ରାସ ହୋଇଛି  । ତାଙ୍କ ସରକାର ନିରନ୍ତର ଟିକସ ରିହାତି ପ୍ରଦାନ କରୁଛି ଏବଂ ନାଗରିକମାନଙ୍କ ପାଇଁ ସଞ୍ଚୟ ବୃଦ୍ଧି କରୁଛି  । ବିରୋଧୀ ଦଳ ଯେଉଁଠାରେ ଶାସନ କରେ, ସେଠାରେ ଶୋଷଣ ହୁଏ  । ନାଗରିକମାନଙ୍କୁ ଏହି ଦଳ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲେ  ।
ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଟିକସ ରିହାତି ଏବଂ ଆଧୁନିକ ସଂଯୋଗୀକରଣ ସହିତ ସୁବିଧା ଓ ସମୃଦ୍ଧିର ପଥ ପ୍ରଶସ୍ତ କରିମାଧ୍ୟମରେ ଦେଶ ଏବଂ ଏହାର ନାଗରିକମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି  ।  ଓଡ଼ିଶା ଏହି ପ୍ରୟାସରୁ ଗୁରୁତ୍ୱପୂର୍ଣ୍ଣ ଲାଭ ପାଉଛି  । ରାଜ୍ୟରେ ବର୍ତ୍ତମାନ ଛଅଟି ବନେ୍ଦ ଭାରତ ଟ୍ରେନ୍ ଚାଲୁଛି ଏବଂ ପ୍ରାୟ ଷାଠିଏଟି ରେଳ ଷ୍ଟେସନରେ ଆଧୁନିକୀକରଣ ଚାଲିଛି  । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ବର୍ତ୍ତମାନ ଭାରତର ଅନେକ ପ୍ରମୁଖ ସହର ସହିତ ଯୋଡି ହୋଇଛି  । ଖଣିଜ ପଦାର୍ଥ ଏବଂ ଖଣି ଖନନରୁ ଓଡ଼ିଶା ମଧ୍ୟ ଯଥେଷ୍ଟ ଅଧିକ ରାଜସ୍ୱ ପାଉଛି  । ସୁଭଦ୍ରା ଯୋଜନା ନିରନ୍ତର ଭାବରେ ଓଡ଼ିଶାର ମହିଳାମାନଙ୍କୁ ସମର୍ଥନ କରୁଛି ବୋଲି ମୋଦି ଉଲ୍ଲେଖ କରିଥିଲେ  ।