ଏଯାଏଁ ବି ଛିଡୁନି ଟିକେଟ ଅଙ୍କ

Naveen Pattanaik Biju Janata Dal VK Pandian

ଏଯାଏଁ ବି ଛିଡୁନି ଟିକେଟ ଅଙ୍କ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ପ୍ରଚାର ପାଇଁ ବି ତିନି ପ୍ରମୁଖ ଦଳ ପ୍ରସ୍ତୁତ ହୋଇଗଲେଣି  । କିନ୍ତୁ ଏଯାଏଁ ବି ତିନି ଦଳ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି  । ଆଉ ଅଳ୍ପ ଆସନ ଥିଲେବି କାହାର ଅଙ୍କ ଛିଣ୍ଡୁନଥିବାବେଳେ ଆଉ କିଏ ଛକାପଞ୍ଝାରେ ରହିଥିବା ଲକ୍ଷ୍ୟ କରାଯାଉଛି  ।

ବିଜେଡ଼ି ଏଯାଏଁ ୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ  । ରଘୁନାଥପଲ୍ଲୀ, ହିନ୍ଦୋଳ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା, ବାଙ୍ଗିରିପୋଷୀ, ଭୋଗରାଇ, ନୀଳଗିରି, ବରି, କୋରେଇ, ବାଲିକୁଦା-ଏରସମା, କାକଟପୁର ପାଇଁ ଏଯାଏଁ ବି ଦଳର ଅଙ୍କ ଛିଣ୍ଡୁନାହିଁ  । ଗଦାଗଦା ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ନିଷ୍ପତ୍ତି ନେଇପାରୁନାହିଁ  । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି  ।

ସେହିପରି ବିଜେପି ମଧ୍ୟ ୧୬ ଆସନ ପାଇଁ ପ୍ରାର୍ଥୀ ଦେଇପାରିନି  । ଜୟପୁର, ତେଲକୋଇ, ଘସିପୁରା, ଚମ୍ପୁଆ, ହିନ୍ଦୋଳ, ବାରବାଟୀ-କଟକ, ବେଗୁନିଆ, ଖୋର୍ଦ୍ଧା, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରି, ସାଲେପୁର, କେନ୍ଦ୍ରାପଡ଼ାରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆଶାୟୀମାନେ ଦିନ ଗଣିବାରେ ଲାଗି ପଡ଼ିଛନ୍ତି  । 
ବିଜେଡ଼ି ଓ ବିଜେପି ଭଳି କଂଗ୍ରେସର ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଲଟକି ରହିଛି  । ଛତ୍ରପୁର, ପାଳଲହଡ଼ା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡ଼ଚଣା, ଜଗତସିଂହପୁର ଓ କାକଟପୁର ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଚୟନରେ ବିଫଳ ହୋଇଛି  ।


ଏହିସବୁ ଆସନରେ ପ୍ରାର୍ଥୀ ଚୟନ ସରିନଥିବାରୁ ସେହିସବୁ ନିର୍ବାଚନମଣ୍ଡଳୀର ରାଜନୀତିକ ମାହୋଲ ସରଗରମ ହୋଇପାରୁନାହିଁ  । ବିଜେଡ଼ି ବାରବାଟୀ କଟକ ପାଇଁ ପ୍ରାର୍ଥୀ ଦେଇଥିଲେବି  ବିଜେପି ପ୍ରାର୍ଥୀ କିଏ ହେବ ଜଣାପଡ଼ୁନାହିଁ  । ଦୁଇ ଅଭିନେତା ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଏଠାରୁ ଲଢ଼ିବାକୁ ଚାହୁଁଥିବା କୁହାଯାଉଛି  । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ମଧ୍ୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ସ୍ଥିର କରିପାରୁନାହାନ୍ତି  । ସେଠାରେ ଦୁଇ ଦଳରେ ଟିକେଟକୁ ନେଇ ବିବାଦ ଥିବାବେଳେ ପରସ୍ପର ଛକାପଞ୍ଝା ସ୍ଥିତିରେ ରହିଛନ୍ତି  । ସେହିପରି ବିଜେଡ଼ି ଓ ବିଜେପି ଆଶାୟୀ ଚିନ୍ତାରେ ପଡ଼ିଯାଇଛନ୍ତି  । କାହାର କଟିବ, କାହାର ରହିବ ଜାଣିପାରୁନାହାନ୍ତି  । ସବୁ ଆଶାୟୀଙ୍କୁ ଦଳ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ମିଳିଛି  । ଶେଷ ମୁହୂର୍ତ୍ତରେ ଟିକେଟ ନପାଇଲେ ଆଉ କେଉଁ ଦଳ ଡେଇଁ ଟିକେଟ ଆଶା ବି ନାହିଁ  । ଆଶାୟୀଙ୍କ ଭଳି ସେମାନଙ୍କ ସମର୍ଥକମାନେ ବି ଆଶଙ୍କାରେ ରହିଛନ୍ତି  ।