ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀପଲ: ଘଉଡ଼ାଇବାରେ ବନବିଭାଗ ବିଫଳ, ଦାନା ବାନ୍ଧୁଛି ଅସନ୍ତୋଷ
ନୀଳଗିରି: ୫୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଆତଙ୍କ ଥମିବାର ନାମ ନେଉନାହିଁ । ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ହାତୀଙ୍କ ବାସସ୍ଥଳୀ ପାଲଟିଲାଣି । ଝାଡଖଣ୍ଡରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀପଲ ଆସୁଥିବାରୁ ବନବିଭାଗ ହାତୀ ଗ୍ରାମାଞ୍ଚଳ ମୁହାଁ ନ ହେବା ପାଇଁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଖୋଳାଯାଇଥିବା ଟ୍ରେଞ୍ଜ, ସୌରବାଡ ଗୁଡିକ ଧ୍ୱଂସ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡିରହିଛି । ଖାଦ୍ୟ ଅନ୍ୱେଷଣରେ କେତେବେଳେ ଯେ ହାତୀ ଜନବସତି ମୁହାଁ ହେଇ ଧନ ଜୀବନ କ୍ଷତି କରିବ, ତାହା କହି ହେବ ନାହିଁ । ଏହି ତିନିଦିନ ହେବ ସନ୍ଧ୍ୟା ହେଲେ ଖାଦ୍ୟ ସନ୍ଧାନରେ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଚାଷଜମିରେ ବ୍ୟାପକ କ୍ଷୟ କ୍ଷତି ଘଟାଉଛନ୍ତି । ଫସଲ କ୍ଷେତରେ ପଶି ଦର ପାଚିଲା ଧାନକୁ ଯେତିକି ଖାଉଛନ୍ତି, ତା’ଠୁ ଅଧିକ ଦଳି ମକଚି ନଷ୍ଟ କରୁଛନ୍ତି । ବର୍ଷ ତମାମ୍ ପରିଶ୍ରମ କରି ଦାନା ପାଣି ଯୋଗାଡ କରିବାକୁ ବହୁ ଆଶା କରିଥିଲେ ଚାଷୀ । ହେଲେ ଅମଳ ସମୟରେ ହାତୀ ମୁହଁରେ ବର୍ଷକର ପରିଶ୍ରମ ନଷ୍ଟ ହୋଇଯାଉଥିବାରୁ ଏବେ ଭାଙ୍ଗି ପଡିଛନ୍ତି ଚାଷୀ । ଅବଶ୍ୟ ବନବିଭାଗ କ୍ଷତି ପୂରଣ ଦେବାକୁ କହୁଛି, କିନ୍ତୁ ହାତୀପଲ ଯାହା କ୍ଷତି କରୁଛନ୍ତି ସେହି ପରିମାଣର କ୍ଷତିପୂରଣ ରାଶି ମିଳୁ ନାହିଁ । ଯାହା ମିଳୁଛି ବହୁ ବିଳମ୍ବରେ, ତାହା ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ । ସବୁଠାରୁ ଗୁରୂତ୍ୱପୂର୍ଣ୍ଣ ବିଷୟ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱକୁ ସଂଲଗ୍ନ ଥିବା ୧୫ରୁ ଊଦ୍ଧ୍ୱର୍ ଗ୍ରାମବାସୀ ଆତଙ୍କିତ ହେବା ସହ ଭୟରେ ରାତ୍ରୀ ଯାପନ କରୁଛନ୍ତି । ତେଣୁ ଗତ ରବିବାର ରାତ୍ରିରେ ଜଙ୍ଗଲ ସଂଲଗ୍ନ ଥିବା ଗ୍ରାମମାନଙ୍କରେ ଲୋକେ ଉଜାଗର ରହି ନିଆଁ ଧୁନୀ କରି ଗାଁ ମୁଣ୍ଡରେ ପାଳି କରି ଜଗି ରହୁଛନ୍ତି । ପୂର୍ବରୁ ହାତୀ ଆସିଲେ ଉପଦ୍ରବ ରୋକିବାକୁ ନେଇ ବନ ବିଭାଗ ସମସ୍ତ ପଦ ପଦାଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରିଥାଏ । ହେଲେ ଏବେ ତାହା ଦେଖିବାକୁ ମିଳିନାହିଁ । ତେବେ ହାତୀଙ୍କୁ ଘଉଡାଇବାରେ ବନକର୍ମଚାରୀ ବିଫଳ । ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା ଏବଂ ମଣିଷ କବଳରୁ ହାତୀଙ୍କୁ ସୁରକ୍ଷା ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ନୀଳଗିରି ବନବିଭାଗର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡÿ, ସବୁଜବାହିନୀ କେବଳ ଜଗି ରହିଛନ୍ତି । ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ହାତି ଘଉଡାଇବା ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ରହୁନାହିଁ । ଏ ନେଇ ବନାଞ୍ଚଳବାସୀଙ୍କ ଭିତରେ ପ୍ରଶାସନ ବିରୁଦ୍ଧରେ ଆକ୍ରଶ ଦାନା ବାନ୍ଧୁଛି । ତେବେ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ପ୍ରଶାସନ ହାତୀମାନଙ୍କୁ ନୀଳଗିରି ସୀମା ପାର କରିବାକୁ ସାଧାରଣରେ ଦାବି ହୋଇଛି ।