ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ
ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଦୀର୍ଘଦିନ ଦାବି ପୂରଣରେ ବିଧାୟକ ମାନସ କୁମାର ଦତ୍ତ ନିଜ ପ୍ରତିଶ୍ରୁତି ରକ୍ଷା ପାଇଁ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏହିକ୍ରମରେ କଷାଫଳ ପଂଚାୟତରେ ଏକାଧିକ ଜନକଲ୍ୟାଣ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି । ବିଧାୟକ ଶ୍ରୀ ଦତ୍ତଙ୍କ ସହିତ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକର ଶୁଭ ଭତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି । ଏଥିମଧ୍ୟରେ କଷାଫଳ ଗାଁର ଜେଟି ନିକଟରେ ଡୁବୁଡୁବି ନଦୀର ବାମପାଶ୍ୱର୍ ବନ୍ଧର ସୁରକ୍ଷାକରଣ ପ୍ରକଳ୍ପ ଥିବାବେଳେ ଏଥିନିମନ୍ତେ ମୋଟ ୪କୋଟି ୯୪ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ସେହିପରି ଜଳ ସମ୍ପଦ ବିଭାଗର ଜଳ ନିକାସ ବିଭାଜନ ପକ୍ଷରୁ ଡୁବୁଡୁବି ଓ ହଂସକରା ଶାଖାନାଳର ଉନ୍ନତିକରଣ ସହିତ ଚାଳୁତି ଓ ହାଣ୍ଡିବସା ନାଳ ଉପରେ ଦୁଇଟି ସୁଇସ ଗେଟ ନିର୍ମାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ଚାଳୁତି ନାଳ, ବଟପାଇ ସ୍କୁଲ, ବାସିଆନାଳ, ମରିଚି ନାଳ, ହରପ୍ରଧାନ ନାଳ ଓ ତେନ୍ତୁଳି ନାଳ ଉପରେ ୬ ଗୋଟି ପାଦଚଲା ରାସ୍ତା ନିର୍ମାଣ, କଷାଫଳ ପଣ୍ଡାଛକ ଠାରେ ୧୭୦ ମିଟରର ପକ୍କା ଡ୍ରେନ ନିର୍ମାଣକୁ ସାମିଲ କରାଯାଇଛି । ଶାଖା ନାଳଗୁଡିକ ମଧ୍ୟରେ ବାସିଆ ନାଳର ୧.୯୬ କିଲୋମିଟର, ହରପ୍ରଧାନ ନାଳର ୧.୭୦ କିଲୋମିଟର, ମରିଚି ନାଳର ୧.୦୮ କିଲୋମିଟର, ନାଇକାଣି ନାଳର ୧ କିଲୋମିଟର, ହାଣ୍ଡିବସା ନାଳର ୨.୫୮ କିଲୋମିଟର, ସାର୍ଥାବିନ୍ଧା ନାଳର ୩ କିଲୋମିଟର, ଚାଳୁତି ନାଳର ୨ କିଲୋମିଟର ପର୍ଯ୍ୟନ୍ତ ଉନ୍ନତିକରଣ କାର୍ଯ୍ୟ ରହିଛି । ସମସ୍ତ କାର୍ଯ୍ୟ ଶେଷ ପାଇଁ ସମୟସୀମା ଚଳିତ ବର୍ଷ ଅକ୍ଟୋବର ମାସ ଥିବା ବେଳେ ଏଥିପାଇଁ ୫କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟରେ ଶାସନାଧୀନ ଲୋକଙ୍କ ସରକାର ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ବିଗତ ୨୪ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ଜଳନିଷ୍କାସନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାବେଳେ ଏହାକୁ ସମ୍ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ଷଡଙ୍ଗୀ କହିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ ଜଳ ସମ୍ପଦ ବିଭାଗ ପକ୍ଷରୁ କଷାଫଳ ପଂଚାୟତରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହିତ ସମସ୍ତ ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ଜୟନ୍ତୀ ଆଦିକ, ସମିତି ସଭ୍ୟା ପ୍ରିୟଙ୍କା ଜେନା, ନାଏବ ସରପଂଚ ପ୍ରିୟରଞ୍ଜନ ପୃଷ୍ଟି, ଲୋକନାଥ ଭୂୟାଁ, ମୁକୁନ୍ଦ ଆଦିକ, ସତ୍ୟଜିତ ଜେନା, ସୁଶାନ୍ତ ପରିଡା, ଆଶିଷ ସାହୁ, ହେମନ୍ତ ପରିଡା, ଶମ୍ଭୁନାଥ ଶାବଳ, ମନ୍ମଥ ବେହେରା, ପ୍ରଭାତ ବେହେରା, ଆଶିଷ ରାୟ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।