ଲୋକଙ୍କ ଅଗୋଚରରେ ଓଡିଶା ଜନସେବା ଅଧିକାର ଆଇନ 

ବଡ଼ସାହି:  ସାଧାରଣ ଲୋକେ ସୁବିଧାରେ, ସହଜରେ, ସୁଗମରେ ବିଭିନ୍ନ ସରକାରୀ ସେବା ପାଇବା ପାଇଁ ହକ୍ଦାର । ଅଧିକାରୀମାନେ ଏହି ସେବାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ବାଧ୍ୟ । ଏଥିପାଇଁ ସରକାରୀସ୍ତରରେ ଓଡିଶା ଜନସେବା ଅଧିକାର ଆଇନ -୨୦୧୨ ଲାଗୁ କରାଯାଇଛି । ଉକ୍ତ ଆଇନ ବଳରେ ଆବେଦନର ଫଇସଲା ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇ ନ ପାରିଲେ ସମ୍ପୃକ୍ତ ଅଧିକାରୀ ଏହାର କାରଣ ଆବେଦନକାରୀଙ୍କୁ ଜଣାଇବେ । ନଚେତ୍ ସେ ଅପିଲ କଲେ ବିଳମ୍ବ ପାଇଁ ଦାୟୀ ପ୍ରାଧିକୃତ ଅଧିକାରୀ ପ୍ରତି ବିଳମ୍ବିତ ଦିନ ପିଛା ୨୫୦ ଟଙ୍କା ଜୋରିମାନା ଦେବାର ପ୍ରାବଧାନ ରହିଛି । ଏହି ଆଇନର ସବୁଠାରୁ ବଡ଼ ଦିଗ ହେଉଛି ଜନସାଧାରଣ ଅବଗତି ନିମନ୍ତେ ସମସ୍ତ ସମ୍ପୃକ୍ତ କାର୍ଯ୍ୟାଳୟରେ ଉକ୍ତ ଆଇନ ଅନ୍ତର୍ଗତ ସବୁ ସେବାର ବିସ୍ତୃତ ବିବରଣୀ  ଏକ ପ୍ରଦତ୍ତ ସାରଣୀରେ ନୋଟିସ ବୋର୍ଡ ମାଧ୍ୟମରେ ପ୍ରଦର୍ଶିତ କରିବାର ବାଧ୍ୟ ବାଧକତା ରହିଛି । ମାତ୍ର ପରିତାପର ବିଷୟ, ମୟୂରଭଞ୍ଜ ଜିଲ୍ଲାରେ ଅନେକ ଅଫିସରେ ସାଧାରଣ ଲୋକଙ୍କୁ ଲୁଚାଇବା ପାଇଁ କିମ୍ବା ଅଜ୍ଞାନବଶତଃ ଏହି ନୋଟିସ୍ ବୋର୍ଡ ଏବେ ଦୃଷ୍ଟି ଗୋଚର ହେଉନାହିଁ । ଯାହାଫଳରେ ଅନେକ ଲୋକେ ଠିକ୍ ସମୟରେ ସେବା ନ ପାଇ ମଧ୍ୟ ଏହି ଆଇନର ଉପକାରିତା ଜାଣି ନ ପାରି ଏହାକୁ ସଫଳ ଉପଯୋଗ କରିବା ଦେଖା ଯାଉନାହିଁ । ତେଣୁ ଏ ସମ୍ୱନ୍ଧୀୟ ଅପିଲ ୨୦୧୨ରୁ ଆଜି ପର୍ଯ୍ୟନ୍ତ ଅତି ନଗଣ୍ୟ କିମ୍ବା ନାହିଁ କହିଲେ ଅତୁ୍ୟକ୍ତି ହେବ ନାହିଁ । ବଡ଼ସାହି ତହସିଲ କାର୍ଯ୍ୟାଳୟ ସମେତ ଏହାର ବିଭିନ୍ନ ସେବାର ଅପିଲ ଅଧିକାରୀ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ ଉକ୍ତ ନୋଟିସ୍ ବୋର୍ଡ ଲାଗି ନ ଥିବା ଦେଖାଯାଉଛି । ପୂର୍ବରୁ ଗତ ୨୦୧୩-୧୪ ମସିହାରେ ଏ ସମ୍ପର୍କିତ ଏକ କେସ୍ ବଡ଼ସାହି ତହସିଲଦାର ବିରୁଦ୍ଧରେ ହେବା ପରେ ଏହା ମଧ୍ୟ ଦ୍ୱିତୀୟ ଅପିଲ ଅବା ରିଭିଜନ କଲେକ୍ଟର ନିକଟରେ ହୋଇଥିଲା । ଏବେ ପୁନର୍ବାର ବଡ଼ସାହି ତହସିଲରେ ଧାର୍ଯ୍ୟ ସମୟରେ ଏକ ମୁ୍ୟଟେସନ (ଦାଖଲ ଖାରଜ) କେସ ଫୈସଲା ନ ହେବାରୁ ଚଳିତ ଜାନୁଆରୀ ୮ତାରିଖରେ ବଡ଼ସାହି ତହସିଲ ଅନ୍ତର୍ଗତ ଜଗନ୍ନାଥ ପାତ୍ର ନାମକ ଜନୈକ ବ୍ୟକ୍ତି ଏକ ଅପିଲ ବାରିପଦା ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ହେଁ ଅଫିସରୁ ନିୟମ ମୁତାବକ ଏକ ନିର୍ଦ୍ଧାରିତ ଫର୍ମ-୧ ରେ ପ୍ରାପ୍ତି ସ୍ୱୀକାର ପତ୍ର ପାଇନଥିବା ଜଣାଯାଇଛି ।  ଉଲ୍ଲେଖଯୋଗ୍ୟଯେ, ଗତ ସପ୍ତାହରେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଏ ସମ୍ବନ୍ଧରେ ଏକ କେସ୍ ବିଚାର କରି ଭୁବନେଶ୍ୱର ତହସିଲକୁ ବିନା ବିରୋଧ ମୁ୍ୟଟେସନ ସାତ ଦିନ ମଧ୍ୟରେ ସେବା ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସରକାର ପକ୍ଷରୁ ମଧ୍ୟ ମୁଖ୍ୟ ଶାସନ ସଚିବ ଇତି ମଧ୍ୟରେ ଜନ ଅଧିକାର ଆଇନକୁ ସମସ୍ତ ଅଧିକାରୀ କଡାକଡି ପାଳନ କରିବା ପାଇଁ କଡା ନିଦେ୍ର୍ଦଶ ଦେଇଛନ୍ତି ।