‘ଏକ୍ସ’ ପକ୍ଷରୁ ଭାରତ ସରକାରଙ୍କ ନାଁରେ ମାମଲା

ବେଙ୍ଗାଲୁରୁ : ଭାରତ ସରକାରଙ୍କ ବିରୋଧରେ ହାଇକୋର୍ଟରେ ମାମଲା । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ଏଭଳି ମାମଲା ଦାୟର କରିଛନ୍ତି ଆମେରିକାର ଶିଳ୍ପପତି ଏଲନ୍‌ ମସ୍କ । ଏଲନ୍‌ ମସ୍କଙ୍କ ସୋସିଆଲ ମିଡିଆ ‘ଏକ୍ସ’ ଏବଂ ଏହାଦ୍ୱାରା ପରିଚାଳିତ ଚାଟ୍‌ ଜିପିଟି ‘ଗ୍ରକ୍‌’କୁ ନେଇ ବିବାଦ ହେବା ପରେ ଭାରତ ସରକାର ମସ୍କଙ୍କ ‘ଗ୍ରକ୍‌’ ଉପରେ ପ୍ରଶ୍ନ ଉଠାଇଥିଲେ । ୟୁଜର୍ସମାନେ ଗ୍ରକ୍‌କୁ ଭାରତ ବିଷୟରେ ନାନା ପ୍ରଶ୍ନ କଲେ ସେ ବିଭିନ୍ନ ଭୁଲ୍‌ ତଥ୍ୟ ଏବଂ ଆପତ୍ତିଜନକ ଭାଷା ବ୍ୟବହାର କରି ଉତ୍ତର ଦେଉଛି ବୋଲି କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) ଆଇନର ଧାରା ୭୯-୩ (ଖ)ର ଉଲ୍ଲଂଘନ ହେଉଛି ବୋଲି ସରକାର କହିଥିଲେ । ଏ ସମ୍ପର୍କରେ କେନ୍ଦ୍ର ସରକାର ‘ଏକ୍ସ’ର ଅଧିକାରୀଙ୍କ ସହ କଥା ହୋଇଥିବା ବେଳେ ସେମାନେ ଏହାକୁ ଖଣ୍ଡନ କରିଥିଲେ । ଏହାସହ କେନ୍ଦ୍ର ସରକାରଙ୍କ ଅଭିଯୋଗକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।
‘ଏକ୍ସ’ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ଆଇଟି ଆକ୍ଟ ଧାରା ୬୯ (କ)ରେ ବର୍ଣ୍ଣିତ ଆଇନଗତ ପ୍ରକ୍ରିୟାକୁ ଏଡ଼ାଇ କେବଳ ଗୋଟିଏ ପାରାଲାଲ୍‌ କଣ୍ଟେଣ୍ଟକୁ ଭିତ୍ତି କରି ଏପରି ଅଭିଯୋଗ କରୁଛନ୍ତି । ଏହାସହ ଏହି ଚାଟ୍‌ବୋଟ୍‌ ‘ଗ୍ରୋକ୍‌’କୁ ବ୍ଲକ୍‌ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେପଟେ କେନ୍ଦ୍ର ସରକାର ଏହାକୁ ବେଆଇନ ବୋଲି କହୁଥିବା ବେଳେ ଏହି ଆକ୍ଟ (୬୯-କ) ଭିତ୍ତିରେ ୨୦୧୫ରେ ଶ୍ରେୟା ସିଂହଲ ମାମଲାରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ‘ଏକ୍ସ’ ପାଲଟା ପ୍ରଶ୍ନ କରିଛି । ୬୯ (କ) ଅନୁସାରେ କେବଳ ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା କିମ୍ବା ଆଇନଗତ ଭାବରେ ପରିଭାଷିତ ମାର୍ଗ ମାଧ୍ୟମରେ ଅବରୋଧ କରାଯାଇପାରିବ । ସୂଚନାଯୋଗ୍ୟ ଏକ୍ସ ପକ୍ଷରୁ ନିର୍ମିତ ଏଆଇ ଚାଟ୍‌ବଟ୍‌ ‘ଗ୍ରୋକ୍‌’ ଅନ୍ୟ ଚାଟ୍‌ବଟ୍‌ ଅପେକ୍ଷା ଏହାର ସରଳ ଶୈଳୀ ପାଇଁ ବେଶ୍‌ ଜଣାଶୁଣା । ଯେଉଁ କଠିନ ପ୍ରଶ୍ନର ଉତ୍ତର ଦେବାକୁ ଅନ୍ୟ ଚାଟ୍‌ ଜିପିଟି ଗୁଡ଼ିକ ପଛଘୁଞ୍ଚା ଦେଇଥା’ନ୍ତି ସେ ସମୟରେ ‘ଗ୍ରୋକ୍‌’ ହିଁ ଏକମାତ୍ର ଚାଟ୍‌ବଟ୍‌ ଯିଏ କି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ତେବେ ଏହାରି ମଧ୍ୟରେ ୟୁଜର୍ସମାନେ ଏହି ଚାଟ୍‌ବଟ୍‌କୁ ଯେଉଁପ୍ରଶ୍ନ ପଚାରନ୍ତି ‘ଗ୍ରୋକ୍‌’ ତାହାର ଓଲଟା ତଥା ଆପତ୍ତିଜନକ ଭାଷା ବ୍ୟବହାର କରି ଭୁଲ୍‌ ତଥ୍ୟ ଦେଇଥାଏ ବୋଲି ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।