ଏନସିସିରେ ସାମିଲ ହେଲା ବାଳିକା ବିଭାଗ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପଦାତିକ ବାଳିକା ବିଭାଗର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏହାକୁ ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ପାଇଁ ୧୭ ଜଣ ଛାତ୍ରୀ ଏଥିରେ ଯୋଗ ଦେଇଥିବା ବେଳେ ମୋଟ୍ ୫୦ ସିଟ୍ ରହିଛି । ମହାବିଦ୍ୟାଳୟ କର୍ତ୍ତୁପକ୍ଷ କହିଛନ୍ତି ଯେ, ଛାତ୍ରୀମାନଙ୍କ ନିମନ୍ତେ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହାଦ୍ୱାରା ସେମାନେ ଦେଶ ଏବଂ ସମାଜ ଗଠନରେ ସହାୟକ ହେବେ । ତାଲିମ ପାଇବା ପରେ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଚାକିରିର ସୁଯୋଗ ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀମାନେ ୬୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ସେମାନେ ପାଇଲଟ୍ ତାଲିମ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପ୍ରଥମ ଥର ପାଇଁ ଜିଲାରେ ଏହି ବିଭାଗର ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ଏହା ବାଳିକାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ପଥ ପ୍ରଦର୍ଶକ ହେବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।