ଏବର୍ଷ ସାରା ଦେଶରେ ଏସ୍ଆଇଆର୍


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ 

ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଏସଆଇଆର ହେବ  । ଆସନ୍ତା ୧୦ରେ ଏନେଇ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବବୋଲି ଜାଣିବାକୁ ମିଳିଛି  । ଆସନ୍ତା ୨୦୨୬ରେ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡ଼ୁଚେରୀରେ ନିର୍ବାଚନ ହେବ  । ବିହାରରେ ଏସଆଇଆରକୁ ନେଇ ବିରୋଧୀ ଦଳ ରାଜନୀତିକ ପ୍ରସଙ୍ଗ କରିଥିବାବେଳେ ସାରା ଭାରତରେ ଏଭଳି ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି  ।
ଏହି ଏସଆଇଆର ଜରିଆରେ ବେଆଇନ୍ ଅନୁପ୍ରବେଶକାରୀମାନଙ୍କୁ ବାଦ୍ ଦିଆଯିବ  । ବାଂଲାଦେଶ ଓ ମିଅାଁମାରରୁ ଅନେକ ଅନୁପ୍ରବେଶକାରୀ ବିଭିନ୍ନ ରାଜ୍ୟର ଭୋଟର ତାଲିକାରେ ଥିବା ଜାଣିବାକୁ ମିଳିଛି  । ବିହାରରେ ଏସଆଇଆରକୁ ନେଇ ବିରୋଧୀ ଦଳ ତୁମ୍ବିତୋଫାନ୍ କରିଥିବାବେଳେ ଏବେ ବଙ୍ଗାଳୀ କହୁଥିବା ଲୋକଙ୍କୁ କେନ୍ଦ୍ର ସରକାର ଟାର୍ଗେଟ୍ କରୁଛନ୍ତି ବୋଲି ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି  ।
ରାଜ୍ୟ ବାହାରୁ ଏବେ ଯେଉଁମାନେ ଭୋଟର ତାଲିକାରେ ସାମିଲ୍ ହେବାକୁ ଚାହିଁବେ ସେମାନଙ୍କୁ ଅତିରିକ୍ତ ଘୋଷଣାପତ୍ର ଦେବାକୁ ପଡ଼ିବ  । ୧୯୮୭ ଜୁଲାଇ ପହିଲା ପୂର୍ବରୁ ଜନ୍ମିତ ବ୍ୟକ୍ତିମାନେ ସେମାନଙ୍କ ଜନ୍ମସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ  । ସେହିପରି ୧୯୮୭ ଜୁଲାଇ ୧ରୁ ୨୦୦୪ ଡିସେମ୍ବର ୨ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ସେମାନଙ୍କ ପିତାମାତାଙ୍କ ଜନ୍ମସ୍ଥାନର ପ୍ରମାଣ ପତ୍ର ଦେବାକୁ ପଡ଼ିବ  । ଯାହାଫଳରେ ବିଦେଶୀ ନାଗରିକମାନେ ଭୋଟର ତାଲିକାରେ ସାମିଲ୍ ହୋଇପାରିବେନି  ।