୭୩ ହଜାର ଟପିଲା ସୁନା ଦାମ୍‌

୭୩ ହଜାର ଟପିଲା ସୁନା ଦାମ୍‌

ଭୁବନେଶ୍ବର: ସୁନା ଓ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ କରୁଛି। ଏହି ଧାତୁ ଦୁଇଟିର ଦର ଏତେମାତ୍ରାରେ ବଢ଼ୁଛି ଯେ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚକିତ କରିଛି। ଭୁବନେଶ୍ବର ବଜାରରେ  ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୯୦ ଟଙ୍କା ବଢ଼ି ୭୩,୩୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି ଘଟି ୬୭,୨୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଯଥାକ୍ରମେ ୭୩ ହଜାର ଓ ୬୭,୦୦୦ ଟଙ୍କା ଅତିକ୍ରମ କରିଛି। ‌ତେବେ ଭୁବନେଶ୍ବରର ଅନ୍ୟ କେତେକ ପ୍ରମୁଖ ସୋ’ରୁମ୍‌ରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୩,୦୮୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୬,୯୯୦ ଟଙ୍କା ରହିଛି। ସେହିଭଳି ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ମୂଲ୍ୟ ମଧ୍ୟ ପ୍ରଥମ ଥର ପାଇଁ ୯୦ ହଜାର ଟଙ୍କା ଛୁଇଁଛି। ଏପ୍ରିଲ ପହିଲାରେ ଭୁବନେଶ୍ବରରେ ୧ କିଗ୍ରା ରୁପା ଦାମ୍‌ ୮୧,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ରୁପା ମୂଲ୍ୟରେ ୮୪୦୦ ଟଙ୍କା ବା ୧୦.୨୯ ପ୍ରତିଶତ ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୯୩୮୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୩,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ୨୨ କ୍ୟାରେଟ୍‌ ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ୫.୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଲାଣି। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇଁ ଆଜି ଆଉନ୍ସ ପିଛା ୨୪୧୨ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି।