ଏମ୍ଭି ଗାଁର ନାମ ପରିବର୍ତ୍ତନକୁ ତୀବ୍ର ବିରୋଧ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଥିବା ଏମଭି ଗାଁର ନାମ ପରିବର୍ତ୍ତନ ଓ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରସ୍ତାବକୁ ପଞ୍ଚାୟତ ଗ୍ରାମସଭାରେ ୧୪ଟି ଆଦିବାସୀ ସମାଜ ପକ୍ଷରୁ ଘୋର ବିରୋଧ କରାଯାଇଛି । ଯାହାଫଳରେ ଗ୍ରାମ ସଭାରେ ଉକ୍ତ ପ୍ରସ୍ତାବ କାଟ୍ ଖାଇଛି । ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଞ୍ଚାୟତରେ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାରେ ମୁଖ୍ୟତଃ ବଙ୍ଗୀୟ ଭାଷାଭାଷିଙ୍କ ବସ୍ତି ଏମଭି ନମ୍ବର ପରିବର୍ତ୍ତନ କରି ସ୍ଥାୟୀ ରାଜସ୍ୱ ଗ୍ରାମ ଭାବେ ନାମିତ କରିବା ପ୍ରସ୍ତାବକୁ ଗ୍ରାମବାସୀଙ୍କ ସହିତ ୧୪ଟି ଆଦିବାସୀ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା । ଚାଲାଣଗୁଡା ପଞ୍ଚାୟତରେ ଥିବା ବଙ୍ଗୀୟ ସମ୍ପ୍ରଦାୟ ବାସ କରୁଥିବା ଏମଭି ୧, ଏମଭି ୪, ଏମଭି ୯, ଏମଭି ୪୪, ଏମଭି ୪୫, ଭଳି ଗ୍ରାମ ଗୁଡ଼ିକର ନାମ ପରିବର୍ତ୍ତନ କୌଣସି ପରିସ୍ଥିତିରେ କରାଇ ଦେବୁନି ଏବଂ ରାଜସ୍ୱ ଗ୍ରାମର ମାନ୍ୟତା ଦେଲେ ଆନେ୍ଦାଳନ ଜୋରଦାର୍ ହେବ ବୋଲି କୁହାଯାଇଛି । ତେବେ ମାଲକାନଗିରି ଜିଲ୍ଲାରେ ଭାଇଚାରା ରହିଛି, ଏମଭି ଗ୍ରାମ ପରିବର୍ତ୍ତନ କରି ରାଜସ୍ୱ ଗ୍ରାମ ହେଲେ ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିବ । ସରକାରଙ୍କ ଏହି ବ୍ୟବସ୍ଥା ଓ ପ୍ରସ୍ତାବକୁ ଆଦିବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି ବୋଲି ଗ୍ରାମ ସଭାରେ ଲୋକେ ମତ ରଖିଛନ୍ତି । ଏହି ଗ୍ରାମ ସଭାରେ ଚାଲାଣ ଗୁଡା ପଞ୍ଚାୟତ ସରପଞ୍ଚ ଅରକ୍ଷିତ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୟାନିଧି ନିମାଲ, ରାଜସ୍ୱ ନିରୀକ୍ଷକ ପଦ୍ମା ବତୀ ସରକାର, ନାଏବ ସରପଞ୍ଚ ସୁନାମଣୀ କିସକୁ, ୧୬ଟି ରାଜସ୍ୱ ଗ୍ରାମର ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ୫ ଟି ଏମଭି ଗ୍ରାମର ମୁଖିଆଙ୍କ ସହିତ ଏକ ହଜାରରୁ ଊଦ୍ଧ୍ୱର୍ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଠିକ ସେହିପରି ସେରପାଲି, ପଦ୍ମଗିରି ପଞ୍ଚାୟତ ଓ କାଲିମେଳା, ପଡିଆ, କୋରକୁଣ୍ଡା ବ୍ଲକର ଅନ୍ୟାନ ପଞ୍ଚାୟତରେ ଅନୁଷ୍ଠିତ ସ୍ୱତନ୍ତ୍ର ପଲ୍ଲିସଭାରେ ଏହି ପ୍ରସ୍ତାବକୁ ବଙ୍ଗୀୟ ସମ୍ପ୍ରଦାୟମାନେ ସମର୍ଥନ କରୁଥିବାବେଳେ ଆଦିବାସୀ ଗ୍ରାମବାସୀ ଓ ଆଦିବାସୀ ସମାଜ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଉଭୟ ସମ୍ପ୍ରଦାୟ ମୁହାଁମୁହିଁ ପରେ ଗ୍ରାମସଭାରେ ପ୍ରସ୍ତାବ ପାରିତ ନ ହୋଇ କାଟ ଖାଇଛି । ଗତ ୨୦୨୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଏମଭି ଓ ଏମପିଭି ଗ୍ରାମଗୁଡ଼ିକର ନାମ ପରିବର୍ତ୍ତନ ସହ ରାଜସ୍ୱ ମାନ୍ୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ମାଲକାନଗିରି ବ୍ଲକ୍ ସମେତ ଜିଲ୍ଲାର କାଲିମେଳା, ପଡ଼ିଆ, କୋରୁକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା । ଗ୍ରାମସଭାରେ ଗୃହୀତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥାନ୍ତା । କିନ୍ତୁ ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତବାସୀ ନାମ ପରିବର୍ତ୍ତନ ଓ ରାଜସ୍ୱ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ତୀବ୍ର ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଏମଭି ଗ୍ରାମରେ ବସବାସ କରୁଥିବା ବଙ୍ଗୀୟ ସମ୍ପ୍ରଦାୟ ତୁରନ୍ତ ନାମ ବଦଳାଇବା ସହ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିବାରୁ ଉଭୟ ପକ୍ଷର ଦାବିକୁ ନେଇ ଗ୍ରାମସଭାରେ ଉାତ୍ତଜନା ଦେଖିବାକୁ ମିଳିଛି । ସୂଚନା ଥାଉକି ଗତ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବାଂଲାଦେଶୀ ଶରଣାର୍ଥୀଙ୍କୁ ମାଲକାନଗିରି ଜିଲ୍ଲାରେ ଏମଭି ଓ ଏମପିଭି ନମ୍ବରିଙ୍ଗ ଭିଲେଜରେ ଥଇଥାନ କରିଥିଲେ । ବର୍ତ୍ତମାନ ସରକାର ଏହି ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିବାବେଳେ ଏହାକୁ ନେଇ ବିବାଦ ଘନେଇ ଥିବା ଅନୁମାନ କରାଯାଉଛି ।