ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା : ତଦନ୍ତ ପାଇଁ ଗଠନ ହେଲା ୬ ଜଣିଆ ଟିମ୍

ଭୁବନେଶ୍ୱର, ୧୭ା୧୨ : ଭୁବନେଶ୍ୱର ଏମ୍ସରେ ଆଜି ସକାଳୁ ଜଣେ ଦିଲୀପ ସାହୁ ନାମକ ବୃଦ୍ଧ ରୋଗୀ ହସ୍ପିଟାଲର  ଅର୍ଥପେଡିକ୍ ୱାର୍ଡରେ ଜୀବନ ହାରିଛନ୍ତି । ସେ ମେଡିକାଲ ବେଡରେ ଛିଡା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି । ତାଙ୍କ ହାତରେ ସାଲାଇନ୍ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକୁ୍ୟରିଟି ଗାର୍ଡ ଥାଇ ମଧ୍ୟ ରୋଗୀ ଜଣଙ୍କ କିଭଳି ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ଭୁବନେଶ୍ୱର ଏମ୍ସରେ ରୋଗୀ ଆତ୍ମହତ୍ୟା କରିବା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍ । ୭୦ ବର୍ଷୀୟ ବୃଦ୍ଧ ରୋଗୀ ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାର କାରଣ ଖୋଜିବ ଏମ୍ସର ଏହି ୬ଜଣିଆ ଟିମ୍ । ତେବେ କର୍ମଚାରୀମାନେ ଅବହେଳା କରିନାହାନ୍ତି ବୋଲି ଏମ୍ସ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ରାତି ଗୋଟାଏ ପର୍ଯ୍ୟନ୍ତ ନର୍ସିଂ ଟିମ ତାଙ୍କ କାର୍ଯ୍ୟ ତୁଲାଇଥିଲେ । ଗୋଟାଏ ୧୫ ମିନିଟରେ ରୋଗୀ ଫ୍ୟାନରେ ଝୁଲି ପଡିଥିବା ଦେଖିଥିଲେ ନର୍ସିଂ ଷ୍ଟାଫ୍ । ସେପଟେ ଏମ୍ସରେ ରୋଗୀଙ୍କ ଆତ୍ମହତ୍ୟା ନେଇ ମେଡିକାଲ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ଝିଅ । ମେଡିକାଲ ଷ୍ଟାଫଙ୍କ ଅବହେଳା ପାଇଁ ବାପାଙ୍କ ଜୀବନ ଚାଲି ଯାଇଥିବା କହିଛନ୍ତି ମୃତ ଦୀଲିପ ସାହୁଙ୍କ ଝିଅ । ଅନ୍ୟପଟେ ଏମ୍ସରୁ ଆସିଥିବା ପୋଷ୍ଟମଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । 
 ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଅଟଳପୁର ଅଞ୍ଚଳର ଦିଲୀପ ସାହୁ ରୋଗରେ ପୀଡିତ ଥିଲେ । ତାଙ୍କୁ ଗତ ୫ ତାରିଖରେ  ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିସôା ଜାରି ଥିବା ବେଳେ ଆଜି ରାତିରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଡାକ୍ତରଖାନାର କର୍ମଚାରୀ, ନର୍ସ ଓ ସିକୁ୍ୟରିଟି ଗାର୍ଡ ଥିବା ସତ୍ତ୍ୱେ କେମିତି ରୋଗୀ ଜଣକ ଜୀବନ ହାରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଏମ୍ସରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡ଼ିଛି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।