ନିର୍ବାଚନ ଲାଗି କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଚଢାଉ ଅଭିଯାନ
ଭୁବନେଶ୍ୱର, ୨୦ା୪ : ଆସନ୍ତା ୨୦୨୪ ନିର୍ବାଚନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଚଢାଉ ଅଭିଯାନ ଜାରି ରହିଛି । ଅପରାଧୀଙ୍କ ଠାରୁ ଆରମ୍ଭ କରି ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି କ୍ରମରେ ୪୩୮ ନମ୍ବର ଅଣ-ଜାମିନଯୋଗ୍ୟ ୱାରେଣ୍ଟ ଗୁଡିକ କାର୍ଯ୍ୟକାରୀ କରାଯାଇଛି । ୧୬୦ଟି ଅଭ୍ୟାସଗତ ଅପରାଧୀ ଓ ଆଜି ପର୍ଯ୍ୟନ୍ତ ବନ୍ଧା ହୋଇଥିବା ମୋଟ ୧୧୧ ବ୍ୟକ୍ତିଙ୍କ ବିରୋଧରେ ୧୧୦ ଧାରାରେ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୫୯୧ କିଲୋଗ୍ରାମ ଚୋରା ଗଞ୍ଜେଇ ଏବଂ ୧୨୪୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ୫୪ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ମୋଟ ୧୧୩୦୦ ଲିଟର ଦେଶୀ ମଦ ଓ ଆଇଏମଏଫଏଲ୍ ମୋଟ ୬୮୮ ଲିଟର ଜବତ କରାଯାଇଛି । ଏହି ଘଟଣାରେ ମୋଟ ୨୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ମୋଟ ୫ଟି ବେଆଇନ ଅସ୍ତ୍ରଶସ୍ତ୍ର ସହ ୨୪ଟି ଗୁଳି ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ବିଭିନ୍ନ ଥାନାରେ ମୋଟ ୮୬୦ ନମ୍ବର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି ଏବଂ ୪୦୩ ଟି ବନ୍ଧୁକ ଜମା ହେବା ପ୍ରକ୍ରିୟାରେ ଅଛି । ସେହିପରି ସମୁଦାୟ ୧୧୧୭ଟି ବୁଥ ମଧ୍ୟରୁ ୧୪୯ଟି ବୁଥକୁ ଗୁରୁତର ବୋଲି ଚିହ୍ନଟ କରାଯାଇଛି । ଆତ୍ମ ବିଶ୍ୱାସ ସୃଷ୍ଟି କରିବା ପାଇଁ ସିଆରପିଏଫର ଏକ କମ୍ପାନୀ ଏବଂ ସ୍ଥାନୀୟ ପୁଲିସ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରୁଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟା ସମୟରେ ନଗଦ ଅର୍ଥର ବେଆଇନ ପରିବହନକୁ ଚିହ୍ନଟ କରିବା ପାଇଁ କମିଶନରେଟ୍ ପୁଲିସ ଅବରୋଧ ଏବଂ ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।