ବ୍ଲାକମେଲିଂ ସହ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୪ ।୧୨ : ଯୁବତୀଙ୍କ ଆପତ୍ତି ଜନକ ଫଟୋ ଭାଇରାଲ ସହ ବ୍ଲାକମେଲିଂ କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲାର ଅଶୋକ କୁମାର ମିଶ୍ର । ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ଏକ ବେସରକାରୀ ପ୍ରତିଷ୍ଠାନରେ କାମ କରିବା ସହ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ରହୁଥିଲେ । ସମୟ କ୍ରମେ ତାଙ୍କର ଅଭିଯୁକ୍ତ ସହ ଚିହ୍ନା ପରିଚୟ ହେବା ପରେ ତାଙ୍କ ସହ ବନ୍ଧୁତା ହୋଇଥିଲା । ଏହା ମଧ୍ୟରେ ଉଭୟ ନିଜର ଅନ୍ୟ କିଛି ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇ ହୋଟେଲ ନେଇ ରହିଥିଲେ । ସେଠାରେ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କ ଅଜାଣତରେ ତାଙ୍କର ଆପତ୍ତି ଜନକ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିନେଇଥିଲା । ଏହାକୁ ଆଧାର କରି ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ବ୍ଲାକମେଲିଂ କରିବା ସହିତ ଶାରୀରିକ ସମ୍ପର୍କ ଲାଗି ତାଙ୍କ ଉପରେ ଚାପ ପକାଉଥିଲା । କିନ୍ତୁ ତା ପ୍ରସ୍ତାବରେ ରାଜି ନ ହେବାରୁ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ଆପତ୍ତି ଜନକ ଫଟୋକୁ ତା ସାଙ୍ଗ ମାନଙ୍କ ପାଖକୁ ପଠାଇ ଦେଇଥିଲା । ଏନେଇ ଅଭିଯୋଗକାରିଣୀ ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।