ଏମ୍ସରେ ଚାକିରି ଦେବାକୁ କହି ୧୨ ଲକ୍ଷ ଠକେଇ; ଠକ ଗିରଫ
ଭୁବନେଶ୍ୱର, ୧୯ା୧୧ : ଏମ୍ସ ହସ୍ପିଟାଲରେ ସିକୁ୍ୟରିଟି ଗାର୍ଡ ଭାବେ କାମ କରୁଥିବା ଅଭିଯୁକ୍ତ ଜଣଙ୍କ ବହୁ ଲୋକଙ୍କୁ ଏମ୍ସରେ ଚାକିରି କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ । ଏନେଇ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ବାଲେଶ୍ୱର ଜିଲ୍ଲାଯର କାର୍ତ୍ତୀକ ଗିରି । ଏଠାରେ ସେ ପାତ୍ରପଡ଼ା ଅଞ୍ଚଳରେ ରହି ଏମ୍ସରେ ସିକୁ୍ୟରିଟି ଗାର୍ଡ ଭାବେ କାମ କରିଆସୁଥିଲା ।
ସୂଚନା ଯୋଗ୍ୟଯେ, ଅଭିଯୁକ୍ତ ଜଣକ ଏମ୍ସ ହସ୍ପିଟାଲରେ ଗତ ୭ ବର୍ଷ ହେବ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା । ଚାକିରୀରେ ଥିବା ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀ ହରପ୍ରସାଦ ହୋତାଙ୍କୁ ଉକ୍ତ ହସ୍ପିଟାଲରେ ଏକ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇବା ସହିତ ପ୍ରତିଶୃତି ମଧ୍ୟ ଦେଇଥିଲା । ପରେ ଅଭିଯୁକ୍ତ ଗତ ୧୯.୧.୨୦୨୪ ତାରିଖ ଠାରୁ ଗତ ୨୮.୭.୨୦୨୪ ତାରିଖ ମଧ୍ୟରେ ଆକାଉଣ୍ଟ ଟ୍ରାନ୍ସଫର ଏବଂ ନଗଦ ଆକାରରେ ୨ ଲକ୍ଷ ଟଙ୍କା ଅଭିଯୋଗକାରୀ ତାଙ୍କୁ ଦେଇଥିଲେ । ପରେ ଅଭିଯୁକ୍ତ ଜଣକ ଟଙ୍କା ନେବାର ବହୁଦିନ ବିତିଯାଇଥିଲେ ମଧ୍ୟ ଅଭିଯୋଗକାରୀଙ୍କୁ ହସ୍ପିଟାଲରେ କୌଣସି ନିଯୁକ୍ତି ଦେଇନଥିଲେ ବଂର ଦିନ ପରେ ଦିନ ଗଡାଇ ଚାଲିଥିଲେ । ଫଳରେ ଟଙ୍କା ଫେରସ୍ତ ପାଇଁ ଅଭିଯୋଗକାରୀ ବାରମ୍ବାର ଅନୁରୋଧ ପରେ ଅଭିଯୁକ୍ତ ତାଙ୍କୁ ମାତ୍ର ୨୦ ହଜାର ଟଙ୍କା ଫେରସ୍ତ କରିଥିବା ବେଳେ, ବାକି ଟଙ୍କା ଆଉ ଫେରସ୍ତ କରିନଥିଲା । ଯାହାଫଳରେ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଠକକୁ ଗିରଫ କରିଛି । ପରେ ଜଣାପଡ଼ିଛି ଠକ ଜଣକ ପୂର୍ବରୁ ବହୁ ଜଣଙ୍କୁ ଏମ୍ସରେ ଚାକିରି କରାଇଦେବାକୁ କହି ୧୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଅଛି ।