ଯୁବତୀଙ୍କ ଆପତ୍ତି ଜନକ ଭିଡ଼ିଓ ଭାଇରାଲ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୫ା୫ : ୬ ମାସ ପ୍ରେମ ତା ପରେ ବ୍ରେକପ୍ । ଏଭଳି ଘଟଣା ପରେ ଯୁବତୀଙ୍କ ୬ ମାସ ପୂର୍ବରୁ ଭିଡ଼ିଓ କଲରେ ରେକର୍ଡ ହୋଇଥିବା ଆପତ୍ତି ଜନକ ଭିଡ଼ିଓକୁ ସାଙ୍ଗ ମାନଙ୍କୁ ପଠାଇ ଭାଇରାଲ କରିବା ପଡ଼ିଲା ମହଙ୍ଗା । ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ଇନଫୋଭ୍ୟାଲି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲା ସରଣକୁଳର ବିକ୍ରମ ବେହେରା । ଆଜି ତାକୁ ପୁଲିସ କେସ ନମ୍ବର ୧୪୬ରେ ମାମଲା ରୁଜୁକରି ଦଫା ୩୪୧, ୩୨୩, ୨୯୪, ୩୫୪, ୫୦୯,୫୦୬ ଆଇପିସି ଆର/ଡବ୍ଲୁ୍ୟ ସେକ୍ସନ ୬୬ ଇ/୬୭/୬୭(ଏ) ଅଫ୍ ଆଇଟି ଆକ୍ଟରେ ସେକ୍ସନ-୬ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଯୁବତୀ ଏବଂ ଅଭିଯୁକ୍ତ ବିକ୍ରମ ବେହେରା ପରସ୍ପରଙ୍କର ଜଣାଶୁଣା ଓ ସେମାନେ ସମାନ ଅଞ୍ଚଳର ଅଟନ୍ତି । ସେମାନେ ଗି ୬ ମାସ ପୂର୍ବରୁ ପରସ୍ପରକୁ ଭଲ ପାଇଥିଲେ ଏବଂ ଭିଡ଼ିଓ କଲ ମାଧ୍ୟମରେ ମଧ୍ୟ କଥା ହେଉଥିଲେ । ଏହି ଭିଡ଼ିଓ କଲ ସମୟରେ ଅଭିଯୁକ୍ତ ବିକ୍ରମ ଅଭିଯୋଗକାରିଣୀଙ୍କ କିଛି ଆପତ୍ତି ଜନକ ଭିଡ଼ିଓ ରେକର୍ଡ କରି ମୋବାଇଲରେ ରଖିଥିଲା । ୬ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯିବା ପରେ ଅଭିଯୁକ୍ତ ବିକ୍ରମ ଅଭିଯୋଗକାରିଣୀଙ୍କୁ ବାରମ୍ବାର ହଇରାଣ କରିଆସୁଥିଲା ଓ ହ୍ୱାଟସଆପ୍ ଦ୍ୱାରା ଅଭିଯୋଗକାରିଣୀଙ୍କ ସାଙ୍ଗ ମାନଙ୍କୁ ତାଙ୍କର ଆପତ୍ତି ଜନକ ଭିଡ଼ିଓ ସବୁ ପଠାଇଥିଲା । ଯାହାକୁ ନେଇ ଅଭିଯୋଗକାରିଣୀ ଇନଫୋଭ୍ୟାଲି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।