ଯୌତୁକ ନିର୍ଯାତନା ସହିନପାରି ମହିଳାଙ୍କ ଆତ୍ମହତ୍ୟା; ସ୍ୱାମୀ ଗିରଫ

ଭୁବନେଶ୍ୱର, ୧୯ ।୧୧ : ମହିଳାଙ୍କୁ ଶାଶୁଘର ଲୋକଙ୍କ ଅଧିକ ଯୌତୁକ ଦାବି କରି ଅକଥନୀୟ ନିର୍ଯାତନା । ଫଳରେ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ମହିଳା । ଏନେଇ ଯୌତୁକ ଜନିତା ହତ୍ୟାକାଣ୍ଡ ହୋଇଥିବା ନେଇ ମହିଳାଙ୍କ ବାପାଘର ଲୋକଙ୍କ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ଚକେଇଶିଆଣୀର କ୍ୟଷ୍ଠଚନ୍ଦ୍ର ଜେନା ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀଙ୍କ ଝିଅ ଅଭିଯୁକ୍ତ କୃଷ୍ଠଚନ୍ଦ୍ର ଜେନାଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହର କିଛିଦିନ ପରେ ଶାଶୁଘର ଲୋକ ଅଧିକ ଯୌତୁକ ଦାବି କରି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଏନେଇ ମହିଳା ଜଣଙ୍କ ତାଙ୍କ ମାଆଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଘଟଣା ବିଷୟରେ ଅବଗତ ହେବା ପରେ ଅଭିଯୋଗକାରିଣୀ ଉଭୟଙ୍କ ଭିତରେ ଆପୋଷ ବୁଝାମଣା କରିବାକୁ ପ୍ରୟାସ କରିଥିଲେ । ଏହା ପରଠାରୁ ଅର୍ଥାତ ଘଟଣା ଘଟିବାର ଗତ ୧୨ ଦିନ ପୂର୍ବରୁ ଉଭୟ ପତିପତ୍ନୀ ଚକେଇସିଆଣୀ ଆସି ସେଠାରେ ଥିବା ଏକ ଭଡା ଘରେ ରହୁଥିଲେ । ସେଠାରେ ରହିବା ପରେଧ୍ଧ୍ ଶାଶୁଘର ଲୋକ ତାଙ୍କୁ ଜୀବନରୁ ମାରିଦେବା ଲାଗି ପ୍ରୟାସ କରୁଥିବା ନେଇ ଝିଅ ଗତ ୧୬ ତାରିଖ ବିଳମ୍ବିତ ରାତିରେ ତାଙ୍କ ମାଆଙ୍କୁ ଫୋନ କରି ଜଣାଇଥିଲେ । ତା ପରଦିନ ଅର୍ଥାତ ୧୭ ତାରିଖ ପ୍ରାତଃ ସମୟରେ, ତାଙ୍କ ଝିଅ ରହୁଥିବା ଭଡ଼ାଘରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏବଂ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଅଭିଯୋଗକାରିଣୀ, ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ସୂଚନା ପାଇ ଅଭିଯୋଗକାରିଣୀ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିବା ବେଳେ, ତାଙ୍କ ଝିଅର ମୃତୁ୍ୟ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ମଞ୍ଚେଶ୍ୱର ଥାନାକୁ ଯାଇ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।