ଏଲଓସିରେ ପୁଣି ଲଞ୍ଚ ପ୍ୟାଡ ସକ୍ରିୟ : କାଶ୍ମୀରରେ ପଶିବା ପାଇଁ ୧୨୦ ଆତଙ୍କୀ ତୟାର

ଏଲଓସିରେ ପୁଣି ଲଞ୍ଚ ପ୍ୟାଡ ସକ୍ରିୟ : କାଶ୍ମୀରରେ ପଶିବା ପାଇଁ ୧୨୦ ଆତଙ୍କୀ ତୟାର

ଶ୍ରୀନଗର :  ସୁଧୁରିବନି ପାକିସ୍ତାନ । ଅପରେସନ ସିନ୍ଦୂରରେ ଭାରତର ଭୟଙ୍କର ଆକ୍ରମଣ ପରେ ବି ଚେତିନି ପାକିସ୍ତାନ । ପୁଣି ସୀମାରେ ତିଆରି ହୋଇଛି ଆତଙ୍କବାଦୀଙ୍କ ଶିବିର । ଏଲଓସିରେ ପ୍ରାୟ ୬୯ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ ରହିଛି । ଆଉ କାଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି ୧୨୦ ଆତଙ୍କବାଦୀ । ସୋମବାର ଦିନ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବିଏସଏଫ । 


     ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଇଜି ବିଏସଏଫ କାଶ୍ମୀର ଫ୍ରଣ୍ଟିୟର୍‌ ଅଶୋକ ଯାଦବ କହିଛନ୍ତି ଯେ, ସେନା ସହିତ ସମନ୍ୱୟ ରଖି ବିଏସଏଫ କାଶ୍ମୀରରେ ନିୟନ୍ତ୍ରଣ ରେଖା ଉପରେ ପ୍ରଭାବଶାଳୀ ଭାବରେ ପ୍ରାଧାନ୍ୟ ବିସ୍ତାର କରିଛି । ଯାହା ଫଳରେ ଚଳିତ ବର୍ଷ ଚାରିଟି ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରାଯାଇଛି । ଯେଉଁଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଏସଏଫ ଏଲଓସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସେନା, ଜମ୍ମୁ କାଶ୍ମୀର ପୁଲିସ ଏବଂ ଅର୍ଦ୍ଧସାମରିକ ସିଆରପିଏଫ କର୍ମଚାରୀଙ୍କ ସହିତ ୨୨ ଟି ମିଳିତ ଅପରେସନ ମଧ୍ୟ କରିଛି । ଉତ୍ତର କାଶ୍ମୀରରେ କିଛି ଆତଙ୍କବାଦୀଙ୍କୁ ହତ୍ୟା କରିଛି ଏବଂ ଏକେ ୪୭ ରାଇଫଲ୍‌, ଏମପି-୫ ରାଇଫଲ୍‌, ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ୍‌, ୟୁବିଜିଏଲ, ୟୁବିଜିଏଲ ଗ୍ରେନେଡ୍‌, ଚାଇନିଜ୍‌ ଗ୍ରେନେଡ୍‌, ଏମଜିଏଲ ଏବଂ ବିଭିନ୍ନ କ୍ୟାଲିବରର ଗୁଳିଗୋଳା ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛି । କାଶ୍ମୀରରେ ୩୪୩ କିଲୋମିଟର ଏଲସି ସମେତ ସେନା ସହିତ ଘନିଷ୍ଠ ସମନ୍ୱୟ ରଖି ନିୟନ୍ତ୍ରଣ ରେଖା ଉପରେ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରୁଛି ବିଏସଏଫ । ଯାଦବ କହିଛନ୍ତି ଯେ ଏପ୍ରିଲ ୨୨ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ପୋନିୱାଲାଙ୍କ ମୃତ୍ୟୁ ପରେ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଯୋଗାଇବା ପାଇଁ ପୁଲିସ କର୍ମଚାରୀଙ୍କ ସହିତ ଗୁଲମାର୍ଗରେ ବିଶେଷ ତାଲିମପ୍ରାପ୍ତ ବିଏସଏଫ ସିଆଇ/ସିଟି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି ।