ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର : ଓଡ଼ିଶା କ୍ରୀଡାରେ ଯୋଡି ହେଲା ନୂଆ ଅଧ୍ୟାୟ

 ଭୁବନେଶ୍ୱର :  କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍  (କାଂସ୍ୟ) ଦୌଡକୁଦ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ଦିନିକିଆ ପ୍ରତିଯୋଗିତାର ଆୟୋଜନ ସହ ଓଡିଶା କ୍ରୀଡା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡିଛି । କଳିଙ୍ଗ ଷ୍ଟାଡିୟମ୍ ଏହି ବହୁରାଷ୍ଟ୍ରୀୟ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତର ପ୍ରଥମ ବହୁମୁଖୀ ଷ୍ଟାଡିୟମ୍ ହେବାର ଗୌରବ ଅର୍ଜନ କରିଛି । ୮ବର୍ଷ ତଳେ ମାତ୍ର ୯୦ ଦିନର ସ୍ୱଳ୍ପ ସମୟରେ ପୂର୍ବ ଭାରତର ଏହି ପ୍ରତିଷ୍ଠିତ ଷ୍ଟାଡିୟମ୍ ଏସିଆନ୍ ଆଥଲେଟିକ୍ସ ଭଳି ବଡ ଚାମ୍ପିଅନ୍ସିପ୍ ଆୟୋଜନ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା । ଏଥର ଏସିଆ ମହାଦେଶରୁ ବାହାରି ବିଶ୍ୱ ପ୍ରତିଯୋଗିତା ଆୟୋଜନ କରିବାର ପ୍ରତୀକ୍ଷିତ ସଫଳତାକୁ ନିଜ କ୍ରୀଡା ଇତିହାସରେ ସାମିଲ କରିଛି । ଓଡିଶା ସରକାର ମଧ୍ୟ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍, ହକି ବିଶ୍ୱକପ୍, ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍,  ଇଣ୍ଡିଆନ୍ ଗ୍ରାଁ ପ୍ରି, ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ସ ଭଳି ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜକ ଓ ପ୍ରାୟୋଜକ ଭାବେ ନୂଆ ଇତିହାସ ରଚିଛନ୍ତି । 
ବିଶ୍ୱ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ ମହାସଂଘ ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ଦେଶର ପାଖାପାଖି ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଭାରତୀୟ ଖେଳାଳିଙ୍କ ସଂଖ୍ୟା ପାଖାପାଖି ୧୦୦ ରହିଥିଲା । ଓଡିଶାର ୫ଜଣ ଖେଳାଳି ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର), ଅନିମେଷ କୁଜୁର (ପୁରୁଷ ୧୦୦ ଓ ୨୦୦ ମିଟର), କିଶୋର ଜେନା (ପୁରୁଷ ଜାଭଲିନ୍), ଲାଲୁ ପ୍ରସାଦ ଭୋଇ (ପୁରୁଷ ୧୦୦ ଓ ୨୦୦ ମିଟର) ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ (ମହିଳା ବାଧାଦୌଡ)ଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କିଶୋର ଆହତ ଥିବାରୁ ଖେଳିବେ ନାହିଁ ।  ଏଣୁ କେବଳ ୩ଜଣ ସ୍ଥାନୀୟ ଖେଳାଳି ହିଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଏହି ପ୍ରତିଯୋଗିତାରୁ ଜାପାନର ଟୋକିଓଠାରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିବାରୁ ସ୍ଥାନୀୟ ଖେଳାଳିଙ୍କ ପାଇଁ ଏହା ବହୁତ ବଡ ସୁଯୋଗ ଭାବେ ଉଭା ହୋଇଛି । ପ୍ରଥମ ଥର ପାଇଁ ଭାରତରେ କଣ୍ଟିନେଣ୍ଟାଲ ଟୁର ଆୟୋଜିତ ହୋଇଛି । ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ । ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଥିବା ଅନିମେଶ୍ କୁଜୁର୍ ପ୍ରଥମ ହେବା ସହ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ୧୦୦ ମିଟର ମହିଳା ହର୍ଡ୍ସଲରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ହୋଇଛନ୍ତି । ସେହିଭଳି ମହିଳା ୧୦୦ ମିଟର ବର୍ଗରେ  ପଞ୍ଚମ ସ୍ଥାନ ହାସଲ କରିଛନ୍ତି ଶ୍ରାବଣୀ ନନ୍ଦ । ୧୪ଟି ଇଭେଣ୍ଟରେ ଭାରତୀୟ ମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମାତ୍ର ଜଣେ ବି ଜାପାନରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହାନ୍ତି ।